ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏବେ ଦେଶର ପ୍ରାୟ ୮୦ କୋଟି ଲୋକ ଉପକୃତ ହେଉଛନ୍ତି ଏବଂ ଏଥିଲାଗି ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଖାଦ୍ୟ ସବସିଡ୍ ବାବଦରେ ୨,୨୭,୭୩୯ କୋଟି ୯୬ଲକ୍ଷ ଟଙ୍କା ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଭାରତୀୟ ଖାଦ୍ୟ ନିଗମକୁ ପ୍ରଦାନ କରୁଛନ୍ତି । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଖାଉଟି କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ନିମୁ ବେନ୍ ଜୟନ୍ତୀଭାଇ ବାମ୍ଭାନିୟା ଏହି ସୂଚନା ଦେଇଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କୋଭିଡ ପରେ ଦେଶରେ ଆର୍ଥିକ ବ୍ୟବସ୍ଥା ଖରାପ ହୋଇଯାଇଥିବାବେଳେ ଗରିବ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ । ଏହାକୁ ଆଖିଆଗରେ ରଖି ୨୦୨୦ ଏପ୍ରିଲ ମାସରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ । ଗତ ଆର୍ଥିକ ବର୍ଷରେ ଏଥିପାଇଁ ୨ଲକ୍ଷ ୨୭ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ କେନ୍ଦ୍ର ସରକାରଙ୍କୁ ବହନ କରିବାକୁ ପଡିଥିଲା । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ମୁଣ୍ଡପିଛା ୫କିଲୋ କରି ଚାଉଳ ବା ଗହମ ମାଗଣାରେ ଦିଆଯାଉଛି । ଏହାଛଡା ଅର୍ଯ୍ୟୋଦୟ ଅନ୍ନ ଯୋଜନାରେ ୪୬ଲକ୍ଷ ମେଟ୍ରିକ ଟନ୍ ରୁ ଅଧିକ ଖାଦ୍ୟ ଶସ୍ୟ ମଧ୍ୟ ମୁଣ୍ଡପିଛା ୩୫କିଲୋ ହିସାବରେ ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉଛି । ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତରରେ ସରକାରଙ୍କ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଛି ସେଥିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରେ ୩,୨୧,୯୩,୦୫୯ ଜଣ ଉପକୃତ ହେଉଥିବାବେଳେ ପଶ୍ଚିମବଙ୍ଗରେ ୬କୋଟିରୁ ଅଧିକ, ଉତ୍ତରପ୍ରଦେଶରେ ୧୪କୋଟିରୁ ଅଧିକ, ତେଲେଙ୍ଗାନାରେ ପାଖପାଖୁ ୨କୋଟି, ତାମିଲନାଡୁରେ ସାଢେ ୩କୋଟିରୁ ଅଧିକ, ରାଜସ୍ଥାନରେ ୪କୋଟିରୁ ଅଧିକ, ପଞ୍ଜାବରେ ପାଖପାଖି ଦେଢ କୋଟି, ମହାରାଷ୍ଟ୍ରରେ ୬କୋଟିରୁ ଅଧିକ, ମଧ୍ୟପ୍ରଦେଶରେ ୫କୋଟିରୁ ଅଧିକ, କର୍ଣ୍ଣାଟକରେ ୪କୋଟିରୁ ଅଧିକ, ଗୁଜୁରାଟରେ ୩କୋଟିରୁ ଅଧିକ, ବିହାରରେ ୮କୋଟିରୁ ଅଧିକ, ଆସାମ ଓ ଆନ୍ଧ୍ରପ୍ରଦେଶରେ ୨କୋଟିରୁ ଅଧିକ କରି ଲୋକ ଉପକୃତ ହେଉଛନ୍ତି । ସେହିପରି ଅନ୍ତ୍ଯୋଦୟ ଯୋଜନାରେ ଓଡିଶାକୁ ବାର୍ଷିକ ୧ଲକ୍ଷ ୮୭ହଜାର ଟନ୍ ଖାଦ୍ୟଶସ୍ୟ ମିଳୁଥିବାବେଳେ ଉତ୍ତରପ୍ରଦେଶକୁ ୮ଲକ୍ଷ, ପଶ୍ଚିମବଙ୍ଗକୁ ୩ଲକ୍ଷ, ତାମିଲନାଡୁକୁ ୩ଲକ୍ଷ, ରାଜସ୍ଥାନ ୨ଲକ୍ଷ, ମହରାଷ୍ଟ୍ର ୩ଲକ୍ଷ, ବିହାର ସାଢେ ୪ଲକ୍ଷ ମେଟ୍ରିକ ଟନରୁ ଅଧିକ ଖାଦ୍ୟ ଶସ୍ୟ ପାଉଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ଅର୍ଯ୍ୟୋଦୟ ଯୋଜନାରେ ଅନ୍ୟ ବହୁ ରାଜ୍ୟ ପରି ଓଡିଶାକୁ ଚାଉଳ ସହିତ ଗହମ ଯୋଗାଇବାପାଇଁ ଦିଲ୍ଲୀପ ରାୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସ୍ବାସ୍ଥ୍ୟଗତ କାରଣରୁ କେତେକ ଲୋକଙ୍କୁ ଭାତ ଖାଇବା ଉପରେ ପ୍ରତିବନ୍ଧକ ଥିବା ଦୃଷ୍ଟିରୁ ସେମାନଙ୍କ ଲାଗି ଗହମବ୍ୟବସ୍ଥା କରାଗଲେ ଲୋକେ ବେଶି ସଂଖ୍ୟାରେ ଉପକୃତ ହେବେ ବୋଲି ସେ କହିଛନ୍ତି । Post navigation Phulbani Medical College And Hospital Named After Swami Lakshmanananda Saraswati Banakalagi Niti: ଆସନ୍ତାକାଲି ଶ୍ରୀମନ୍ଦିରରେ ବନକଲାଗି ନୀତି; ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ