ରାଜ୍ୟସଭା ସାଂସଦ ଦିଲୀପ କୁମାର ରାୟ ସଂସଦର ମୌସୁମୀ ଅଧିବେଶନରେ ଦେଶର ବର୍ଦ୍ଧିତ ଋଣ ସ୍ଥିତି ସମ୍ପର୍କିତ ପ୍ରସଙ୍ଗ ଉଠାଇଥିଲେ । ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା କେନ୍ଦ୍ର ସରକାରଙ୍କ ମୋଟ ଋଣଭାର ଓ ବିଦେଶୀ ଋଣର ସ୍ଥିତି, ଏହାସହ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହାର ଆକଳନ ସମ୍ପର୍କରେ ସୂଚନା ଦେବା ପାଇଁ ଶ୍ରୀ ରାୟ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟଙ୍କୁ ଅବଗତ କରାଇଥିଲେ । ସେ ଗତ କିଛି ଆର୍ଥିକ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୁଧ ଏବଂ ମୂଳଧନ ପରିଶୋଧ ସମ୍ପର୍କିତ ତଥ୍ୟ ମଧ୍ୟ ମାଗିଥିଲେ । ଏହାର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଦନକୁ ସୂଚନା ଦେଇଥିଲେ ଯେ, ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା କେନ୍ଦ୍ର ସରକାରଙ୍କ ମୋଟ ଋଣଭାର (ଅସ୍ଥାୟୀ ଆକଳନ ଅନୁଯାୟୀ) ୨୦୧.୧୭ ଲକ୍ଷ କୋଟି ଟଙ୍କା ରହିଥିଲା ବେଳେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହା ୨୧୮.୬୩ ଲକ୍ଷ କୋଟି ଟଙ୍କା ହେବ ବୋଲି ବଜେଟ୍ରେ ଆକଳନ କରାଯାଇଛି । ସେହିପରି, ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶର ବିଦେଶୀ ଋଣ ୯.୮୯ ଲକ୍ଷ କୋଟି ଟଙ୍କା ଥିବାବେଳେ, ୨୦୨୬-୨୭ ପାଇଁ ଏହାର ବଜେଟ୍ ଆକଳନ ୯.୬୪ ଲକ୍ଷ କୋଟି ଟଙ୍କା ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଅର୍ଥ ମନ୍ତ୍ରଣାଳୟ ୨୦୨୦-୨୧ ଆର୍ଥିକ ବର୍ଷଠାରୁ ଆରମ୍ଭ କରି ସରକାରୀ ସିକ୍ୟୁରିଟି ଓ ବିଦେଶୀ ଋଣ ଉପରେ ସୁଧ ଏବଂ ମୂଳଧନ ପରିଶୋଧର ବର୍ଷଭିତ୍ତିକ ବିବରଣୀ ମଧ୍ୟ ସଦନରେ ଉପସ୍ଥାପନ କରିଥିଲା । ଏଥିରେ ୨୦୨୬-୨୭ ପାଇଁ ବଜେଟ୍ ଆକଳନ ମଧ୍ୟ ସାମିଲ ରହିଛି । ଦେଶର ଆର୍ଥିକ ପରିଚାଳନା, ସରକାରୀ ଋଣଭାର ଓ ସାର୍ବଜନୀନ ଅର୍ଥ ବ୍ୟବସ୍ଥା ସମ୍ପର୍କିତ ପ୍ରସଙ୍ଗକୁ ସଂସଦରେ ଗୁରୁତ୍ୱର ସହ ଉଠାଇବା ଦିଗରେ ଶ୍ରୀ ରାୟଙ୍କ ଏହି ପଦକ୍ଷେପ ଉଲ୍ଲେଖନୀୟ । Post navigation Dilip Ray Raises AIIMS Satellite Centre Issue: ରାଜ୍ୟସଭାରେ ଏମ୍ସ ସାଟେଲାଇଟ୍ ସେଣ୍ଟର ପ୍ରସଙ୍ଗ ଉଠାଇଲେ ସାଂସଦ ଦିଲୀପ ରାୟ