manas-mangaraj-sulata-deo-felicitated-at-sankha-bhawan
ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ସାଂସଦ ମାନସ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳର ନେତା ଓ ସୁଲତା ଦେଓଙ୍କୁ ସଂସଦୀୟ ଦଳର ଉପନେତା ତଥା ମୁଖ୍ୟ ସଚେତକ ଭାବେ ମନୋନୀତ ହେବା ପରେ ଦୁହେଁ ତାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରି ଏହି ଦାୟିତ୍ୱ ଦେଇଥିବାରୁ, ଦଳର ସଭାପତିଙ୍କ ପ୍ରତି କୃତଜ୍ଞତା ଜଣାଇବା ସହିତ ଏହି ଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ କରିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ ବୋଲି କହିଛନ୍ତି ।
 
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ଉପସଭାପତି ପ୍ରଦୀପ ଅମାତ, ମାନସ ମଙ୍ଗରାଜ ଓ ସୁଲତା ଦେଓଙ୍କୁ ପ୍ରଦାନ କରାଯାଇଥିବା ନିଯୁକ୍ତିକୁ ସ୍ୱାଗତ କରିବା ସହିତ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସାମ୍ୱାଦିକ ମାନଙ୍କୁ ସମ୍ୱୋଧନ କରି ମଙ୍ଗରାଜ କହିଥିଲେ, ଦଳ ମୋ ଉପରେ ଭରସା କରି ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ମୁଁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି । ଏହା ସହିତ ଦଳର ସମସ୍ତ ନେତୃମଣ୍ଡଳୀ ଓ ଦଳର ଅଗଣିତ କର୍ମୀ ମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି । ବିଜୁ ଜନତା ଦଳର ସାଂସଦ ମାନେ ନିଷ୍ଠାର ସହିତ ରାଜ୍ୟର ହିତ ଦୃଷ୍ଟିରୁ ବିଭିନ୍ନ ପ୍ରସଙ୍ଗ ଉଠାଇ ଆସୁଛନ୍ତି । ବିଜେଡି ସାଂସଦ ମାନଙ୍କର ପ୍ରଦର୍ଶନ ଓ ଶୃଙ୍ଖଳା ସଂସଦରେ ସବୁ ସମୟରେ ଆଦୃତ ହୋଇଛି । ଆଗାମୀ ଦିନରେ ମଧ୍ୟ ରାଜ୍ୟର ହିତରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସାଂସଦ ମାନଙ୍କ ସ୍ୱର ନିଶ୍ଚିତ ଭାବେ ଶାଣିତ ରହିବ ।
 
ସୁଲତା ଦେଓ କହିଥିଲେ, ଦଳର ନେତା ମୋତେ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ, ମୁଁ ମୋର ନେତା ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି । ଦଳର ସଭାପତି ନବୀନ ପଟ୍ଟନାୟକ ଯେତେବେଳେ ଯେଉଁ ଦାୟିତ୍ୱ ପ୍ରଦାନ କରିଛନ୍ତି, ଜଣେ ଦାୟିତ୍ୱବାନ ସୈନିକ ହିସାବରେ ମୁଁ ସେହି ଦାୟିତ୍ୱକୁ ନିଷ୍ଠାର ସହିତ ତୁଲାଇଛି । ତେଣୁ ଏହି ଦାୟିତ୍ୱକୁ ମଧ୍ୟ ମୁଁ ନିଷ୍ଠାର ସହିତ ତୁଲାଇବା ପାଇଁ ଚେଷ୍ଟା କରିବି ।
 
ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ଅମାତ, ବିଜେଡି ମିଡ଼ିଆ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ, ମଙ୍ଗରାଜ ଓ ଦେଓଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *