ରାଜ୍ୟସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ । ଓଡ଼ିଶାର ଚାରୋଟି ରାଜ୍ୟସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ତିନିଟି ଯାକ ରାଜନୈତିକ ଦଳର ଶୀର୍ଷ ସ୍ତରରେ ରଣନୀତି ପ୍ରସ୍ତୁତି କରିଛନ୍ତି। ୪ ଆସନ ପାଇଁ ମୈଦାନରେ ଅଛନ୍ତି ୫ ପ୍ରାର୍ଥୀ । ଚତୁର୍ଥ ଆସନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି।  ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ । ଅପରାହ୍ଣ ୪ଟା ଯାଏଁ ଚାଲିବ ମତଦାନ, ୫ଟାରେ ଗଣତି ।

ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର ଏବଂ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର । ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଜଣାଇଥିବା ବେଳେ ବିଜେଡି ଓ କଂଗ୍ରେସର କମନ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା । ତାଙ୍କୁ ସିପିଆଇଏମ ମଧ୍ୟ ସମର୍ଥନ ଦେଉଛି । ଚତୁର୍ଥ ଆସନ ପାଇଁ ଦିଲ୍ଲୀପ ଓ ଦତ୍ତେଶ୍ବରଙ୍କ ମଧ୍ୟରେ ହେଉଛି ରୋଚକ ଲଢ଼େଇ ।

ଅନ୍ୟପଟେ ପାରାଦୀପରେ ଥିବା ବିଜେପି ବିଧାୟକମାନେ ବିଧାନସଭାରେ ପହଂଚି ଭୋଟଦାନ ପ୍ରକୋଷ୍ଠକୁ ଯାଇଛନ୍ତି । ଅନ୍ୟପଟେ ବିଜେଡି ବିଧାୟକମାନେ ନବୀନ ନିବାସରେ ପହଂଚୁଛନ୍ତି । ସେମାନେ ନବୀନ ନିବାସରୁ ବାହାରି ବିଧାନସଭା ଭୋଟ ଦେବାକୁ ଆସିବେ ।

ସୂଚନା ଯୋଗ୍ୟ; ୩୭ଟି ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି। ଭାରତୀୟ ନିର୍ବାଚନ କମିଶନ (ECI) ଅନୁଯାୟୀ, ସକାଳ ୯ ଟା ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ହେବ। ୪ଟା ଭିତରେ ସମସ୍ତ ୧୪୭ ବିଧାୟକ ଶୃଙ୍ଖଳିତ ଭାବେ ସେମାନଙ୍କର ମତଦାନ କରିବେ। ଯଦି କୌଣସି ବିଧାୟକ ଅନୁପସ୍ଥିତ ରୁହନ୍ତି ତେବେ ତାଙ୍କର ଉଦ୍ଦେଶ୍ୟ ଏବଂ କାରଣ ରାଜ୍ୟ ରାଜନୀତି ପାଇଁ ନୂଆ ସଙ୍କେତ ମଧ୍ୟ ଦେବ, ତା ଉପରେ ମଧ୍ୟ ରହିବ ନଜର। ୫ଟା ବେଳେ ମତ ଗଣନା ଆରମ୍ଭ ହେବ। ଏହାର କିଛି ସମୟରେ ଫଳାଫଳ ପ୍ରକାଶ ପାଇବ।

ମହାରାଷ୍ଟ୍ର, ଓଡ଼ିଶା, ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, ବିହାର, ଛତିଶଗଡ଼, ହରିୟାଣା, ହିମାଚଳ ପ୍ରଦେଶ ଏବଂ ତେଲେଙ୍ଗାନାରୁ ନିର୍ବାଚିତ ୩୭ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ ହେବ, ନୂତନ ସଦସ୍ୟମାନଙ୍କ ପାଇଁ ଆସନ ଖାଲି ହେବ।

Leave a Reply

Your email address will not be published. Required fields are marked *