ଆଉ ଭିକ୍ଷା ମାଗିବେନି ଶିଶୁ । ରାଜ୍ୟର ବିଭିନ୍ନ ସହର ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ । ରାସ୍ତାକଡ଼ରେ ଅସୁରକ୍ଷିତ ଓ ଅସହାୟ ଅବସ୍ଥାରେ ରହୁଛନ୍ତି ଲକ୍ଷ ଲକ୍ଷ ଶିଶୁ । ତେଣୁ ଏମାନଙ୍କୁ ଚିହ୍ନଟ କରି ଉପଯୁକ୍ତ ଥଇଥାନ ଉପରେ ଗୁରୁତ୍ୱ ଦେବାକୁ ଏବେ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ଜିଲ୍ଲାପାଳ, ଏସ୍‌ପି ଓ ପୌର କମିଶନରଙ୍କୁ ଏ ନେଇ ସ୍ୱତନ୍ତ୍ର ଚିଠି ପଠାଯାଇଛି ।

ନିର୍ଦ୍ଦେଶନାମା ଅନୁଯାୟୀ ଟ୍ରାଫିକ୍‌ ଛକ, ବସ୍‌ଷ୍ଟାଣ୍ଡ ଓ ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତି ବନ୍ଦ କରାଯିବ । ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହେବ ‘ଜିଲ୍ଲା ଟାସ୍କ ଫୋର୍ସ । ଏହି ଟିମ୍‌ରେ ପୋଲିସ ଅଧିକ୍ଷକ, ପୌର କମିଶନର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (DCPO) ଏବଂ ଶ୍ରମ ଅଧିକାରୀ ପ୍ରମୁଖ ସଦସ୍ୟ ରହିବେ । ଏହି ଟାସ୍କ ଫୋର୍ସ ନିୟମିତ ଭାବେ ଚଢ଼ାଉ କରି ଭିକ୍ଷାବୃତ୍ତିରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କର ଥଇଥାନ ପାଇଁ ବ୍ୟବସ୍ଥା କରିବେ ।

ଶିଶୁ ମଙ୍ଗଳ କମିଟିରେ ହାଜର ପରେ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯିବ । ମାଗଣା ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କାଉନସେଲିଂ ପ୍ରଦାନ କରାଯିବ। ଭିକ୍ଷାବୃତ୍ତିରେ ନିୟୋଜନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ।

ସର୍ବସାଧାରଣଙ୍କୁ ଶିଶୁ ଭିକ୍ଷାବୃତ୍ତିକୁ ପ୍ରୋତ୍ସାହିତ ନ କରିବା ପାଇଁ ସଚେତନତା ସୃଷ୍ଟି କରାଯିବ । ଯଦି କେହି ଏପରି ଘଟଣା ଦେଖନ୍ତି, ତେବେ ତୁରନ୍ତ ଚାଇଲ୍ଡ ହେଲ୍ପଲାଇନକୁ ସୂଚନା ଦେବାକୁ କୁହାଯାଇଛି । ଏହି ଅଭିଯାନ ସମ୍ପର୍କରେ ପ୍ରତି ମାସରେ ଏକ ଅନୁପାଳନ ରିପୋର୍ଟ (Compliance Report) ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ସମସ୍ତ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *