୨୮ଟି ନୂଆ ଏନଏସି ଏବଂ ୭ଟି ନୂଆ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଆନୁସଙ୍ଗିକ ପ୍ରାରମ୍ଭିକ ବ୍ୟବସ୍ଥା ଆରମ୍ଭ ହୋଇଛି। ଓ୍ବାର୍ଡ ପୁନର୍ଗଠନ, ଆସନ ସଂରକ୍ଷଣ ମାର୍ଚ୍ଚ ଭିତରେ ସରିଯିବ। ଏହା ବାଦ ପୁରୀ ଓ ସମ୍ବଲପୁର ମହାନଗର ନିର୍ବାଚନଟି ହେବ। ପୁରୁଣା ଭାବେ ପାଖାପାଖି ୧୦୦ ପୌର ପରିଷଦର କାର୍ଯ୍ୟ ମାର୍ଚ୍ଚରେ ସରିବ। ତେଣୁ ସବୁ ପୌରପରିଷଦ ନିର୍ବାଚନ ସହ ପଞ୍ଚାୟତ ନିର୍ବାଚନ ଆସନ୍ତାବର୍ଷ ଜାନୁଆରୀ ଓ ଫେବୃଆରୀରେ ହୋଇଯିବ। ସୁତରାଂ ଶାସକ ଦଳ ସମେତ ଅନ୍ୟ ସବୁ ରାଜନୈତିକ ଦଳ ପାଇଁ ହାତରେ ଆଉ ୧୦ ମାସ ବି ସମୟ ନାହିଁ । ପ୍ରଥମ ଥର ପାଇଁ ସରକାରକୁ ଆସିଥିବା ଭାରତୀୟ ଜନତାପାର୍ଟି ସବୁଠୁ ଅଧିକ ଚ୍ୟାଲେଞ୍ଜର ସାମ୍ନା କରିବ। ଗୋଟିଏ କଥାରେ କହି ବାକୁ ଗଲେ ଏକାଧିକ କାରଣରୁ ବିପଦାଞ୍ଚଳରେ ଭାଜପା । କିନ୍ତୁ କାହିଁକି ? ଏକଥା ସତ ଯେ, ପୌର କିମ୍ବା ପଞ୍ଚାୟତ ନିର୍ବାଚନ ଫଳ ଅନୁରୂପ ବିଧାନସଭା ନିର୍ବାଚନ ଫଳ ହୁଏ ନାହିଁ । ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ବିପୁଳ ସଫଳତା ପାଇଥିଲା । କିନ୍ତୁ ୨୦୧୯ରେ ଏହାକୁ ଦୋହରାଇ ପାରିଲା ନାହିଁ । ସରକାର ଗଠନ କରିବାର ସମ୍ଭାବନା ୨୩ ବିଧାୟକରେ ମଉଳିଗଲା । କିନ୍ତୁ ବିଜଦକୁ ଯେଉଁ ଝଟକା ଲାଗିଥିଲା ସେଥୁରୁ ବାହାରି ଆସିବା ନିମନ୍ତେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଅନେକଗୁଡିଏ କୋର୍ସ କରେକସନ୍ କରିବାକୁ ପଡ଼ିଥିଲା । କିଛି ଯୁବମନ୍ତ୍ରୀଙ୍କୁ ସଂଗଠନକୁ ଆଣିଲେ। ନୂଆ ମନ୍ତ୍ରୀ କଲେ। ଆଦିବାସୀ ବିକାଶ ପରିଷଦ ଗଢ଼ା ହେଲା । ନିଜେ ବି ଲୋକଙ୍କ ସହିତ ମିଶିବା ଆରମ୍ଭ କଲେ। ଫଳରେ ୨୦୧୯ରେ ବିଜଦ ପୁଣି କ୍ଷମତା ପାଇଲା। ୨୦୨୨ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ହାସଲ କଲା ବିଜଦ। କିନ୍ତୁ ୨୪ ନିର୍ବାଚନରେ କ୍ଷମତା ହରାଇଲେ ନବୀନ ଓ ବିଜଦ । ଏହାର ବି କାରଣ ଥିଲା । ପୂର୍ବ ପଞ୍ଚାୟତ ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ଏହି ଦଳର ନେତାମାନଙ୍କୁ ଅହଂ କାରରେ ଅନ୍ଧ କରିଦେଲା । ତେଣୁ ପାଦ ତଳୁ ମାଟି ଖସିଲା । ଭାଜପା ପ୍ରଥମ ଥର ପାଇଁ ସରକାରରେ ଅଛି। ତେଣୁ ପୌର ଓ ପଞ୍ଚାୟତ ନିର୍ବାଚନରେ ଯଦି ବିଧାନସଭା ନିର୍ବାଚନ ସଫଳତା ବଜାୟ ନରଖୁପାରେ ତା’ହେଲେ ୨୯ ବିଧାନସଭା ନିର୍ବାଚନ ଭାଜପାର ବିପଦକୁ ୧୦୦ଗୁଣ ବଢ଼ାଇ ଦେବ। ଭାଜପା ବିପଦର ବଡ଼ କାରଣଗୁଡ଼ିକ ହେଲା – (୧) ଦଳୀୟ କନ୍ଦଳ। ଦଳର ନେତାମାନଙ୍କ ଭିତରେ ସମନ୍ବୟ ନାହିଁ । ମୋହନ ଓ ମନମୋହନଙ୍କ ସହ ଧର୍ମେନ୍ଦ୍ରଙ୍କର ସମ୍ପର୍କ ଆଦୌ ଭଲ ନାହିଁ । ଗୋଷ୍ଠୀ ବିବାଦ ଯୋଗୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ ନିଯୁକ୍ତି ହୋଇପାରୁ ନାହିଁ । ତେଣୁ ପଞ୍ଚାୟତ ଓ ପୌର ନିର୍ବାଚନରେ ପରସ୍ପରର ଗୋଛି କାଟିବା ପାଇଁ ସମସ୍ତେ ଲାଗିଯିବେ। କେନ୍ଦୁଝରରେ ମୋହନ, ସମ୍ବଲପୁରରେ ଧର୍ମେନ୍ଦ୍ର ଏବଂ ଭଦ୍ରକରେ ମନମୋହନଙ୍କୁ ପାନେ ଦେବା ପାଇଁ ସବୁମତେ ଚେଷ୍ଟା ହେବ। ଏହାକୁ ମୋଦୀ ବି ରୋକିପାରିବେ ନାହିଁ। (୨) ପୁରୁଣା କାର୍ଯ୍ୟକର୍ତ୍ତା ଅସନ୍ତୁଷ୍ଟ: କ୍ଷମତା ମିଳିବା ପୂର୍ବରୁ ଯେଉଁମାନେ ଭାଜପା ପାଇଁ ସବୁକିଛି ଦେଇଥିଲେ, ସରକାର ଆସିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଲୋଡା ଓ ଅଖୋଜା ହୋଇପଡ଼ିଛନ୍ତି । ଅନ୍ୟ ଦଳରୁ ଆଣି ସେମାନଙ୍କୁ ମୁଣ୍ଡରେ ମୁଣ୍ଡାଇଛନ୍ତି ନେତୃତ୍ବ। ଯେଉଁମାନେ ମନ୍ତ୍ରୀ ହେଲେ ସେମାନଙ୍କ ପାଖ ଲୋକ ବିଜୁ ଜନତା ଦଳ ନେତାମାନଙ୍କ ସହାୟତାରେ ଧୁମ୍ ଦୁର୍ନୀତିରେ ଲିପ୍ତ । ଏହାଦ୍ଵାରା ହଜାର ହଜାର କାର୍ଯ୍ୟକର୍ତ୍ତା ଭୟଙ୍କର ଭାବେ ଅସନ୍ତୁଷ୍ଟ । ନିର୍ବାଚନ ବେଳେ ସେମାନେ ନାମ ଦେବା ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ। (୩) ଲୋକେ ଦୂରେଇ ଯାଉଛନ୍ତି : ସରକାରଙ୍କର କେତେଜଣ ମନ୍ତ୍ରୀଙ୍କ ବିବାଦୀୟ ନିଷ୍ପତ୍ତି କାରଣରୁ ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହୋଇଛି । ଯେଉଁଭଳି ପରିବହନ ମନ୍ତ୍ରୀ ବିଭୂତି ଜେନା ପ୍ରଦୂଷଣ କେଳେଙ୍କାରୀ ସୃଷ୍ଟି କଲେ ସହରାଞ୍ଚଳ ଜନତା କ୍ଷୁବ୍ଧ । ଜନତାଙ୍କୁ ଏମିତି ଦହଗଞ୍ଜରେ ପକାଯାଇଛି ଯେ, ପୌର ନିର୍ବାଚନରେ ଏହା ପ୍ରତିଫଳିତ ହୋଇପାରେ। ସହରାଞ୍ଚଳରେ ଟ୍ରାଫିକ୍ ସମସ୍ୟା ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏକ ନକାରାତ୍ମକ ସଂକେତ ଯାଇଛି ଲୋକଙ୍କ ପାଖକୁ। ଏହାଦ୍ବାରା ଜନତା ପୂର୍ବ ସରକାରଙ୍କ ସହ ନୂଆ ସରକାରଙ୍କୁ ତୁଳନା କରିବା ପାଇଁ ସୁଯୋଗ ପାଇଛନ୍ତି। ଏସବୁ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇପାରେ। (୪) ଦୁଇବର୍ଷ ଚାଲିଛି ଉତ୍ସବ : ୨୦୨୪ ଜୁନ୍ଠାରୁ ଏତେ ଉତ୍ସବ ପ୍ରତିଦିନ ଆୟୋଜିତ ହେଉଛି ଯେ, ଲୋକଙ୍କୁ ଏହା ବିରକ୍ତ କରିବାକୁ ଆରମ୍ଭ କଲାଣି। ମନ୍ତ୍ରୀମାନେ ବିଭାଗର ଦାୟିତ୍ଵ ବୁଝି ବା ପରିବର୍ତ୍ତେ ସଭାସମିତି ଓ ଉତ୍ସବରେ ମାତିଛନ୍ତି। ଭିଆଇପି ଆସୁଥିବାରୁ ଟ୍ରାଫିକ୍ ଭୁଶୁଡିବା ଅବସ୍ଥାକୁ ଚାଲିଗଲାଣି। ଲୋକେ ଚାହାଁନ୍ତି କାମ। କିନ୍ତୁ କାମ ପରିବର୍ତ୍ତେ ଉତ୍ସବ ପରେ ଉତ୍ସବ ଚାଲିଥିବାରୁ ଲୋକଙ୍କୁ ଚିଡେଇ ଦେଇସାରିଲାଣି। ଏହା ଆଗାମୀ ନିର୍ବାଚନରେ ପ୍ରତିଫଳିତ ହେବା ଆଶଙ୍କା ରହିଛି। ତେବେ ଏହି ୧୦ ମାସ ଭିତରେ ସରକାର ଏବଂ ଦଳ ତ୍ରୁଟି ସୁଧାରିପାରିବେ କି ? ସେମିତି ସମ୍ଭାବନା ବି ଦେଖା ଯାଉନାହିଁ । ଭାଜପା ମନ୍ତ୍ରୀ ଓ ନେତାମାନେ ବାହାରିଲେଣି ପଶ୍ଚିମବଂଗକୁ ପ୍ରଚାର କରିବା ପାଇଁ। କିଛି ମନ୍ତ୍ରୀ ଓ ବିଧାୟକ ତ ଗଲେଣି। ଆଗକୁ ବ୍ଯାଚବ୍ୟାଚ୍ ହୋଇଯିବେ। ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଖରାଦିନେ ନୂଆନୂଆ ସମସ୍ୟା ଆସିବ। ପରେ ରଥଯାତ୍ରା ଓ ବର୍ଷାଋତୁ। ତେଣୁ ହାତରେ ବେଶି ସମୟ ଅଛି ବୋଲି ମନେହେଉନାହିଁ । ତେବେ ଦେଖାଯାଉ ଭାଜପା କିଭଳି ତ୍ରୁଟି ସୁଧାରୁଛି। Post navigation Class 9 Girl Gang-Raped In Balangir: ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଘଟଣା: ୫ ଜଣ ନାବାଳକ ସମେତ ୬ ଗିରଫ Summer Forest Fires In Odisha: ଗ୍ରୀଷ୍ମ ପୂର୍ବରୁ ଜଙ୍ଗଲ ନିଆଁ ରୋକିବାକୁ ପ୍ରାକ୍ ପ୍ରସ୍ତୁତି; ଟୋଲ୍ ଫ୍ରି ନମ୍ବର ଜାରି କଲା ବନ ବିଭାଗ