କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କର ବଡ଼ ଦାବି ସତ୍ତ୍ୱେ ଓଡ଼ିଶା ପାଇଁ ଚଳିତ ବର୍ଷ ରେଳ ବଜେଟ୍ ରେ ସେମିତି କିଛି ଆଖିଦୃଶିଆ ବ୍ୟବସ୍ଥା କରାଯାଇ ନାହିଁ ଏବଂ କେନ୍ଦ୍ର ସରକାର ଓଡିଶାକୁ ସଂପୂର୍ଣ୍ଣ ଭାବେ ଚଳିତ ବଜେଟରେ ରେଳବାଇ କ୍ଷେତ୍ରକୁ ଅବହେଳା କରିଛନ୍ତି ବୋଲି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କଡା ସମାଲୋଚନା କରିଛନ୍ତି।

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶାକୁ ଚଳିତ ବର୍ଷ ୧୦ ହଜାର କୋଟିରୁ ଊର୍ଧ ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଇଛି ବୋଲି ବାହାସ୍ପୋଟ ମାରିଛନ୍ତି। ତେବେ ଧର୍ମକୁ ଅଖିଠାର ମାରିବା ଭଳି କେନ୍ଦ୍ର ସରକାରଙ୍କର ରେଳ ବଜେଟରେ ଚଳିତ ବର୍ଷ ଓଡିଶାକୁ ସେମିତି କିଛି ଅଧିକ ଦେଇ ନାହାନ୍ତି ବୋଲି ଓଡିଶା କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଛନ୍ତି। ସେ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଚଳିତ ବର୍ଷ ଓଡିଶାକୁ ବଜେଟରେ ୧୦,୯୨୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଲଗାତାର ଭାବେ ଗତ ତିନି ବର୍ଷ ଧରି କେନ୍ଦ୍ରର ରେଳ ବଜେଟରେ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଊଛି। କେନ୍ଦ୍ର ସରକାର ଓଡିଶାକୁ ୨୦୨୫ ବଜେଟ୍‌ରେ ୧୦,୫୯୯ କୋଟି ଟଙ୍କା ବଣ୍ଟନ କରିଥିବା ବେଳେ ୨୦୨୪ ବଜେଟ୍‌ରେ ୧୦,୫୮୬ କୋଟି ଟଙ୍କା ପ୍ରଦାନ କରିଥିଲେ। ତେଣୁ କେନ୍ଦ୍ରର ମୋଦୀ ସରକାର ଓଡିଶାକୁ ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି ବୋଲି ଯେଊଁ ବାହାସ୍ପୋଟ ମାରିଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ଭଳିଆ ହୋଇଛି।

ସେହିଭଳି ଭକ୍ତ ଦାସ ତାଙ୍କ ବିବୃତିରେ କହିଛନ୍ତି ଯେ, ଅନେକ ବର୍ଷ ପଛରେ ରହିଯାଇଥିବା ତାଳଚେର-ବିମଳାଗଡ଼ ନୂଆ ରେଳପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଜି ସୁଦ୍ଧା ଶେଷ ହୋଇପାରୁ ନାହିଁ। ଓଡ଼ିଶାରେ ୧୫୪ କିଲୋମିଟର ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ, ଯାହା କି କୋଇଲା ସମୃଦ୍ଧ ଅଞ୍ଚଳକୁ ସଂଯୋଗ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା, ତାହା ୨୦୦୩-୦୪ରେ ଅନୁମୋଦିତ ହୋଇଥିଲା। ଏହା ପୂର୍ବରୁ ଏହା କଂଗ୍ରେସ ସରକାରଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏହି ରେଳପଥ କାମ ଏ ଯାଏ ସଂପୂର୍ଣ୍ଣ ହୋଇପାରି ନାହିଁ। ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ କରି ପାରୁ ନଥିବାରୁ ତଥା ସରକାରୀ ଜମି ବିଭାଜନରେ ବିଳମ୍ବ ହେବାରୁ ଏହି ପ୍ରକଳ୍ପ କଚ୍ଛପ ଗତିରେ ଏବେ ବି ଚାଲିଛି।

ଚଳିତ ବଜେଟରେ ପ୍ରସ୍ତାବିତ ପୂର୍ବ-ପଶ୍ଚିମ ମାଲବାହୀ କରିଡର ଓଡ଼ିଶାର ଶିଳ୍ପ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି। ସେହିଭଳି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ ଗତ ୧୧ ବର୍ଷରେ ରାଜ୍ୟରେ ପ୍ରାୟ ୨,୨୦୦ କିଲୋମିଟର ନୂଆ ରେଳପଥ ନିର୍ମାଣ ହୋଇଛି, ଯାହା ମାଲେସିଆର ମୋଟ ରେଳପଥ ଦୈର୍ଘ୍ୟଠାରୁ ଅଧିକହେବ।କିନ୍ତୁ ସେ ଭୁଲି ଯାଉଛନ୍ତି, ଓଡିଶାରେ ଆଜି ବି ବହୁ ଅଂଚଳ ରେଳବାଇ କ୍ଷେତ୍ରଠାରୁ ଅପହଞ୍ଚ ଦୂରରେ ରହିଛି। ପୁରୁଣା ରେଳପଥ ଓ ରେଳ ଷ୍ଟେସନଗୁଡିକର ନିର୍ମାଣ ତଥା ସଂପ୍ରସାରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରି ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର ୫୯ଟି ରେଳ ଷ୍ଟେସନକୁ ସମ୍ପୂର୍ଣ୍ଣ ପୁନର୍ବିକାଶ ପାଇଁ ଚୟନ କରାଯାଇଛି। ଷ୍ଟେସନ ଆଧୁନିକୀକରଣ ପାଇଁ ମୋଟ ୨,୪୩୯ କୋଟି ଟଙ୍କାର ବ୍ୟୟ ନିର୍ଦ୍ଧାରଣ କରାଯାଇଛି। ଛଅଟି ଷ୍ଟେସନରେ ପୁନର୍ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି- କଟକ ୨ୟ ପ୍ରବେଶ, ବାରିପଦା, ବରପାଲି, ବିମଳଗଡ଼, ପାରଳାଖେମୁଣ୍ଡି ଏବଂ ତାଳଚେର।ଏହା ବ୍ୟତୀତ ରାଜ୍ୟରେ ୬୩୨ଟି ଫ୍ଲାଇଓଭର ଏବଂ ଅଣ୍ଡରପାସ ନିର୍ମାଣ ହୋଇଛି। କବଚ ରେଳ ସୁରକ୍ଷା ବ୍ୟବସ୍ଥା ଅଧୀନରେ ୭୭୨ ରୁଟ୍ କିଲୋମିଟର ପାଇଁ କାର୍ଯ୍ୟ କିମ୍ବା ଟେଣ୍ଡର ପ୍ରକ୍ରିୟା ଚାଲିଛି, ଯେତେବେଳେ ୨,୯୨୨ ରୁଟ୍ କିଲୋମିଟର ଅନୁମୋଦିତ ହୋଇଛି।ତେବେ ଏହି ସମସ୍ତ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ତାଳଚେର-ବିମଳାଗଡ ରେଳପଥ ନିର୍ମାଣଭଳି ଘୁଞ୍ଚିବ ନାହିଁ ତ ବୋଲି ଭକ୍ତ ଦାସ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *