ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଲେ  । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମହାମହିମ। ସେଠାରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବା ପରେ ସିଧା ବିମାନବନ୍ଦରରୁ ଲୋକଭବନ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ଆଜି ରାତ୍ରୀଯାପନ କରିବା ପରେ କାଲି ଯାଜପୁର ଅଭିମୁଖେ ଯିବେ। ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୫ ଜିଲ୍ଲାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି। ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜରେ ରାଷ୍ଟ୍ରପତି ବିତାଇବେ ୬ ଦିନ ।

ଆସନ୍ତାକାଲି ଅପରାହ୍ନ ୫ଟାରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିବେ। ଏହାପରେ ପୁରୀ ଲୋକଭବନ ଯାଇ ସେଠାରେ ରାତ୍ରିଯାପନ କରିବେ। ଆସନ୍ତା ୪ ତାରିଖରେ ଶ୍ୱେତଗଙ୍ଗାରେ ରାଷ୍ଟ୍ରପତି ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ଶ୍ରୀମନ୍ଦିରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହିତ ଟ୍ରାଫିକ୍ କଟକଣା ଜାରି କରାଯାଇଛି।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୩୦ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବ। ସ୍ୱତନ୍ତ୍ର ୟୁନିଟ୍‌, ଆଣ୍ଟି ଡ୍ରୋନ୍‌ ଟିମ୍‌, ଆଣ୍ଟି ସାବୋଟାଇଜ ଟିମ୍‌, ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ହେବେ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଥିବା ସମସ୍ତ ହୋଟେଲ, ଲଜିଂ ଯାଞ୍ଚ କରାଯାଇଥିବା ବେଳେ ସହରରେ ରୁଟ୍‌ ପ୍ଲାନିଂ କରାଯାଇଛି। ଏନେଇ ଆଜି କେନ୍ଦ୍ରାଞ୍ଚଳ ଆଇଜି ପୁରୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ସୂଚନା ଯୋଗ୍ୟ; ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨ ରୁ ୭ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ । ଫେବୃଆରୀ ୩ ତାରିଖରେ ରାଷ୍ଟ୍ରପତି ବାଲେଶ୍ବରରେ ଫକିର ମୋହନ ବିଶ୍ବବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗଦେଇ ନବନିର୍ମିତ ଅଡିଟୋରିୟମକୁ ଉଦଘାଟନ କରିବେ ।

ଫେବୃଆରୀ ୪ ତାରିଖରେ ରାଷ୍ଟ୍ରପତି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ଏବଂ ରାଇରଙ୍ଗପୁରର ମହୁଲଡିହା ସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବେ । ସେ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଏବଂ ଡାକ୍ତରଖାନା, ଓୟୁଏଟି କ୍ୟାମ୍ପସ, ତୀରନ୍ଦାଜୀ କେନ୍ଦ୍ର, ସହରୀ ସୌନ୍ଦର୍ଯ୍ୟକରଣ ଏବଂ ଡ୍ରେନେଜ ଅପଗ୍ରେଡେସନ ପ୍ରକଳ୍ପ, ବିଭିନ୍ନ ସିଏସଆର ପ୍ରକଳ୍ପ ଏବଂ ରାଇରଙ୍ଗପୁରରେ ଏମଏସସିବି ବିଶ୍ବବିଦ୍ୟାଳୟ ସୂଚନା ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସ ଭଳି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିଭିପ୍ରସ୍ତର ସ୍ଥାପନ କରିବେ ।

ଫେବୃଆରୀ ୬ ତାରିଖରେ ରାଷ୍ଟ୍ରପତି ଶିମିଳିପାଳଠାରେ ଆଦିବାସୀ ସମ୍ପ୍ରଦାୟର ମହିଳା ଏବଂ ଯୁବକମାନଙ୍କ ସ‌ହ ଭାବବିନିମୟ କରିବେ । ସେ ଭୁବନେଶ୍ବରରେ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ସହଯୋଗରେ ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ ‘ବ୍ଲାକ୍ ସ୍ବାନ୍ ସଖିଟ୍, ଇଣ୍ଡିଆ” ରେ ମଧ୍ୟ ଯୋଗଦେବେ ।

ସେହିପରି ଫେବୃଆରୀ ୭ ତାରିଖରେ ରାଷ୍ଟ୍ରପତି ଛତିଶଗଡ଼ର ଜଗଦଲପୁରରେ ‘ବସ୍ତର ପାଣ୍ଡୁମ ୨୦୨୬ ମହୋତ୍ସବର ଛଦଘାଟନ କରିବେ ।

Leave a Reply

Your email address will not be published. Required fields are marked *