ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଭଦ୍ରକର ଇରମ ଠାରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ଏବଂ ସେଠାରେ ଥିବା ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରି ବାସୁଦେବପୁର ପର୍ଯ୍ୟନ୍ତ “ଗାନ୍ଧୀ ପଥେ ଓଡ଼ିଶା” ପଦଯାତ୍ରାରେ ଯାଇଥିଲେ । ବିଧାୟକ ଅଶୋକ ଦାସଙ୍କ ଦ୍ୱାରା ବାସୁଦେବପୁର ଠାରେ ଆୟୋଜିତ ସଭାରେ ଉଦବୋଧନ ଦେଇ ପିସିସି ସଭାପତି ଭକ୍ତ ଦାସ କହିଲେ ଯେ ରକ୍ତତୀର୍ଥ ଇରମକୁ ଇତିହାସରେ ଦ୍ୱିତୀୟ ଜାଲିୱାନାବାଲା ବାଗ ଘଟଣା ବୋଲି ଗ୍ରହଣ କରାଯାଏ । ଏ ମାଟି ମହିମା ମଣ୍ଡିତ ମାଟି । ଏ ମାଟି ବୀରପ୍ରସବିନୀ ମାଟି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଯେଉଁ ଭାରତ ଛାଡ଼ ଆନ୍ଦୋଳନ ହୋଇଥିଲା ସେହି ମୁକ୍ତି ଆନ୍ଦୋଳନକୁ ଏଠାରେ ପାଳନକରି ୨୯ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣବଳୀ ଦେବାସହ ୫୬ ଜଣ ଗୁରୁତ୍ୱର ସହ ଆହତ ହୋଇଥିଲେ । ଏହି ଐତିହାସିକ ଆନ୍ଦୋଳନରେ ମହିଳା ସ୍ୱାଧୀନତା ସଂଗ୍ରାମୀ ପରୀ ବେୱା ଆଜି ଆମମାନଙ୍କ ନିକଟରେ ଚିରସ୍ମରଣୀୟ । ଏହି ଦ୍ୱିତୀୟ ଜାଲିୱାନାବାଲା ବାଗ ହତ୍ୟାକାଣ୍ଡର ପ୍ରଚାର ଭାରତ ବର୍ଷରେ ହୋଇପାରି ନାହିଁ । ଏଠାରେ ମଧୁବାବୁଙ୍କର କାଳଜୟୀ କବିତାକୁ ଉଦ୍ଧାର କରି ଦାସ କହିଲେ ଯେ “ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେଦିନେ, ପୁରୁବ ଗୌରବ ପୁରବ ସାହସ ପଡ଼ିବ କି କେବେ ମନେ? ଏ ଜାତିର ଗୌରବ, ଏ ମାଟିର ମହାପୁରୁଷ ମାନଙ୍କର ଅବଦାନକୁ ଆମେ ଭୁଲିଯାଇଛୁ । ଏପରିକି ଆଜି ମହାତ୍ମା ଗାନ୍ଧୀଙ୍କ ମହାନ ଅବଦାନ ଓ ତ୍ୟାଗକୁ ମଧ୍ୟ ଲୋକେ ଭୁଲିଯାଉଛନ୍ତି । ଦାସ ଏଠାରେ ପୁଲୱାମାରେ ନିରୀହ ପର୍ଯ୍ୟଟକଙ୍କୁ କିଏ ହତ୍ୟା କରିଥିଲା ତାହା ଏପର୍ଯ୍ୟନ୍ତ ଜଣାନପଡ଼ିବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ଏହା ଏକ ଷଡ଼ଯନ୍ତ୍ର ଥିଲା । ଏହାର ଉତ୍ତର ସରକାର ଏ ପର୍ଯ୍ୟନ୍ତ ରଖିପାରି ନାହିଁ । ପୁଲୱାମା ହତ୍ୟାକାଣ୍ଡ ମୋଦି ସରକାରର ଏକ ବିଫଳତା ହେଲେ ଏହାକୁ ଭିନ୍ନ ଢ଼ଙ୍ଗରେ ଚିତ୍ରଣ କରି ନିର୍ବାଚନ ଲଢ଼ାଗଲା । କିଭଳି ଭାବରେ ଲୋକଙ୍କୁ ଭୂଆଁ ବୁଲାଯିବ ତାର ଷଡଯନ୍ତ୍ର ରଚାଯାଉଛି । ଏବେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାମରେ ହୋଇଥିବା ମହାତ୍ମା ଗାନ୍ଧୀ ନରେଗା ଯୋଜନାକୁ ବନ୍ଦ କରିଦିଆଗଲା । ନୂଆ ଯୋଜନା କଲେ, ହେଲେ ସେଥିରେ ମହାତ୍ମା ଗାନ୍ଧୀଙ୍କ ନାମ ମୋଦି ସରକାର ରଖିଲେ ନାହିଁ । ଗାନ୍ଧୀ ହତ୍ୟାକାରୀ ଏବେ କ୍ଷମତାରେ ବସିଛନ୍ତି । ଏ ସରକାର ଗାନ୍ଧୀ ବିରୋଧି ସରକାର । ଇତିହାସକୁ ଲୁଚାଇ ଦେବାପାଇଁ ଷଡଯନ୍ତ୍ର ଚାଲିଛି । ଆମର ପିଲାମାନେ ତାଙ୍କ ଠାରୁ ମିଥ୍ୟା ଦେଶଭକ୍ତି ଶିଖିବେ ନାହିଁ, ଦେଶପାଇଁ ରକ୍ତତୀର୍ଥ ଇରମରେ ଯେପରି ବଳିଦାନ ଦିଆଯାଇଛି ସେହି ପ୍ରେରଣାରେ ଆମର ପିଲାମାନେ ଅଭିମନ୍ତ୍ରିତ ହେବେ ବୋଲି ଭକ୍ତ ଦାସ କହିଛନ୍ତି । ଗାନ୍ଧୀ ଛଡ଼ା ଭାରତର ଇତିହାସ ଆଉ କ’ଣ ଅଛି? ତଡ଼ିପାର ରାଜନେତା ଏବଂ ଯେଉଁମାନଙ୍କର ସାର୍ଟିଫିକେଟ ନାହିଁ ସେମାନେ ଇତିହାସ ଲେଖିବେ ଆମେ ପଢ଼ିବୁ, ଏହା ଦୁର୍ଭାଗ୍ୟଜନକ । ଗ୍ରାମାଞ୍ଚଳର ଲୋକଙ୍କୁ ଉପାସରକାର ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଯେଉଁ କର୍ମସଂସ୍ଥାନ ଯୋଗାଇ ଦେଇଥିଲା ତାର ପ୍ରତ୍ୟାହାର ସେହି ଗରିବ ଲୋକମାନଙ୍କ ପେଟକୁ ଗୋଇଠା ମାରିବା ସହ ସମାନ । ନିଜ ଗାଁରେ ନିଜ ପଞ୍ଚାୟତରେ କାମ ମିଳୁଥିଲା, କାମର ବ୍ୟବସ୍ଥା ପଞ୍ଚାୟତ ସ୍ଥିର କରୁଥିଲା । କାମ ନଦେଲେ ଭତ୍ତାର ବ୍ୟବସ୍ଥା ଥିଲା । ଏବେ କିନ୍ତୁ ତାହା ହେବ ନାହିଁ । କେନ୍ଦ୍ର ପୁଣି ମଜୁରି କ୍ଷେତ୍ରରେ ୧୦୦ ପ୍ରତିଶତ ଅନୁଦାନ ଦେଉଥିଲା । ଏବେ ୬୦ ପ୍ରତିଶତ ଦେବାପାଇଁ ନୂଆ ଯୋଜନାରେ ସ୍ଥିର ହୋଇଛି । ଏହା ଭାରତର ଗ୍ରାମବାସୀଙ୍କ ପାଇଁ ଏକ ବିଶ୍ୱାସଘାତକତା ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ନିଷ୍ଠୁର ନୀତି ନିର୍ଦ୍ଦାରଣ କରି ଜିଜିଆକର ଓଡ଼ିଶା ସରକାର ଆଦାୟ କଲେ । ଓଡ଼ିଶା ସରକାର ଏବେ କର ଅସୁଲି ସରକାରଭାବେ ପରିଚୟ ସୃଷ୍ଟି କରିଛି । ଗାଡ଼ିର ଋଣ ସୁଝିବା ପାଇଁ ଲୋକେ ଅକ୍ଷମ । ହେଲେ ଗାଡ଼ିର ଦାମ ଯେତେ ତାହା ଉପରେ ତିନିଗୁଣା କର ଲଦି ଦିଆଯାଉଛି । ଯାହା ଫଳରେ ଗାଡ଼ି ପଦାକୁ ବାହାରିବ ନାହିଁ ଏବଂ ଗରିବ ଲୋକଙ୍କର ରୋଜଗାର ବନ୍ଦ ହେବ । ଗରିବ ଲୋକଙ୍କ ଉପରେ ଓଡ଼ିଶାର ବିଜେପି ସରକାର ନିର୍ମମ ଆକ୍ରମଣ କରୁଛନ୍ତି । ସରକାରକୁ ଏବେ ଦୁଇବର୍ଷ ପୂରଣ ହେବ । ପ୍ରଦତ୍ତ ପ୍ରତିଶ୍ରୁତି ଅନୁଯାୟୀ ମାଗଣା ୩୦୦ ୟୁନିଟ ବିଜୁଳି ଗଲା କୁଆଡେ? ଆମ ରାଜ୍ୟରେ ବାର୍ଷିକ ୨୨୨ ମିଲିୟନ ଟନ କୋଇଲା ଉତ୍ପାଦନ ହେଉଥିବା ବେଳେ ଆମ ରାଜ୍ୟରେ ମାତ୍ର ୨୦ ମିଲିୟନ ଟନ ଖର୍ଚ୍ଚ ହେଉଛି । ୨୦୨ ମିଲିୟନ ଟନ କୋଇଲା ଆମ ରାଜ୍ୟରୁ ନେଇ ବାହାର ରାଜ୍ୟ ଚାଷୀଙ୍କୁ ମାଗଣା ବିଜୁଳି ଏବଂ ବିଜୁଳି ଉପଭୋକ୍ତାଙ୍କୁ ୨୦୦-୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେଇପାରୁଛନ୍ତି । ହେଲେ କୋଇଲା ଆମର କିନ୍ତୁ ଆମର ଚାଷୀ କି ଗରିବ ଲୋକ ମାଗଣା ବିଜୁଳି ପାଇପାରିବେ ନାହିଁ । ମାତ୍ର ଶିଳ୍ପ ମାନଙ୍କୁ ସରକାର ବିଜୁଳି ଦେୟ ଛାଡ଼ କରିବା ଦୁର୍ଭାଗ୍ୟଜନକ । ଏବେ ସ୍ମାର୍ଟମିଟର ଲଗାଇବା ବ୍ୟବସ୍ଥା କରି ଏବଂ ଅତିରିକ୍ତ ସୁରକ୍ଷା ଜମା ଦାବି କରି ବିଜୁଳି ଗ୍ରାହକଙ୍କୁ ଶୋଷଣ କରାଯାଉଛି । ସ୍ମାର୍ଟ ମିଟର ଭୋଟ ଚୋରି ଭଳି ଟାଟା କମ୍ପାନୀ ବାହାରୁ ଏହାକୁ ପରିଚାଳନା କରିପାରିବ । ଯଦି ଦିନକୁ ୫ ପଇସା ଲେଖାଏଁ ଅଧିକା ନିଏ ତେବେ ରାଜ୍ୟର ୧ କୋଟି ୨୫ ଲକ୍ଷ ଉପଭୋକ୍ତାଙ୍କ ଠାରୁ କେତେ ଟଙ୍କା ଲୁଟିନେବ ତାହା ଚିନ୍ତା କରନ୍ତୁ । ଟାଟା କମ୍ପାନୀ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଚାଲୁଛି । ସୁତରାଂ ବିଜୁଳି ଗ୍ରାହକଙ୍କର ଜାଗରଣ ହେବାର ସମୟ ଆସିଛି ବୋଲି ଦାସ କହିଛନ୍ତି । ଚାଷୀର ସମସ୍ତ ଧାନ କିଣିବାପାଇଁ ପ୍ରତିଶ୍ରୁତି ଦେଇ କୁଇଣ୍ଟାଲ ପିଛା କଟନୀ ଛଟନୀ ବାବଦରେ ୧୦ କିଲୋ କାଟି ଦିଆଯାଉଛି । ସେହିଭଳି କୁଇଣ୍ଟାଲ ପିଛା ଧାର୍ଯ୍ୟ ଏମଏସପି ଦର ୩୧୦୦ ଟଙ୍କାରେ ଚାଷୀ ଧାନ ବିକିପାରୁ ନାହିଁ । ଚାଷୀର ଧାନ ରଖିବା ପାଇଁ ଏମାନଙ୍କର ଗୋଦାମ ନାହିଁ । ସୁତରାଂ ଚାଷୀ କୁଇଣ୍ଟାଲ ପିଛା ୧୮୦୦ ଟଙ୍କାରେ ଧାନ ବିକି କ୍ଷତି ସହୁଥିବା ବେଳେ ମିଲ ମାଲିକ ଓ ସରକାର ମଧୁଚନ୍ଦ୍ରିକାରେ ୫ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଛି । ସଂଧ୍ୟାବେଳେ ବାସୁଦେବପୁର ଚା ଖଟିରେ ପିସିସି ସଭାପତି ବିଜୁଳି ଉପଭୋକ୍ତାଙ୍କୁ ଶୋଷଣ ବାବଦରେ ଚର୍ଚ୍ଚା କରିଥିଲେ । ବିଜେପି ସରକାରରେ ମହିଳା ଅସୁରକ୍ଷିତ । କୁନି କୁନି ଝିଅମାନେ ମଧ୍ୟ ଦୁର୍ଷ୍କମର ଶିକାର ହେଉଛନ୍ତି । ସରକାର ନ୍ୟାୟ ଦେବାର ଅକ୍ଷମ । ଆମେ ଗାନ୍ଧୀ ପଥେ ଓଡ଼ିଶା ଆହ୍ୱାନରେ ୧ ବର୍ଷ ପଦଯାତ୍ରା କରିବୁ । ଏ ସରକାରର କୁଶାସନ ବିରୋଧରେ ଜନଜାଗରଣ ସୃଷ୍ଟି କରିବୁ । ଇରମ ଆମପାଇଁ ପ୍ରେରଣାର ଉତ୍ସ । ଓଡ଼ିଶାକୁ ଜଗାଇବାପାଇଁ କଂଗ୍ରେସ କର୍ମୀ ମାନଙ୍କୁ ଦାସ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ଅନନ୍ତ ସେଠୀ, ନଳିନୀ ମହାନ୍ତି, ଅଶିତ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ମାନସ ମଲ୍ଲିକ, ମଧୁସ୍ମିତା ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । Post navigation Death Of Domestic Help In Minister’s House: ଯୋଗାଣ ମନ୍ତ୍ରୀଙ୍କ ବାସଭବନରେ ତାଙ୍କ ସହଯୋଗୀଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି Odisha Politics: ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି