ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ପକ୍ଷରୁ ଆନ୍ଦୋଳନ କରାଯାଇଛି ।ସପ୍ତାହରେ ୫ ଦିନ କାମ କରିବା ଦାବିରେ ଆନ୍ଦୋଳନ ଡାକରା ଦିଆଯାଇଛି । କର୍ମଚାରୀମାନେ କାର୍ଯ୍ୟବନ୍ଦ କରି ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହା ଫଳରେ ଲଗାତାର ଚତୁର୍ଥ ଦିନ ପାଇଁ ସରକାରୀ ବ୍ୟାଙ୍କ ସେବା ପ୍ରଭାବିତ ହେବ । ନଗଦ ଟଙ୍କା ଜମା ଓ ଚେକ୍ କ୍ଲିୟରାନ୍ସ ଭଳି କାମ ପ୍ରଭାବିତ ହେବ ବୋଲି ଆଶା କରାଯାଉଛି।

ଆରବିଆଇ, ଏଲଆଇସି ଓ ଜିଆଇସି ଭଳି ଅନ୍ୟାନ୍ୟ ଆର୍ଥିକ ସଂସ୍ଥାମାନଙ୍କରେ ସପ୍ତାହ ଦୁଇ ଦିନିଆ ଛୁଟି ରହୁଛି । କିନ୍ତୁ ଘରୋଇ କିମ୍ବା ସରକାରୀ ବ୍ୟାଙ୍କ ଗୁଡିକରେ କେବଳ ମାସର ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ରହୁଛି । ତେଣୁ ସବୁ ଶନିବାର ଛୁଟି କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

ବ୍ୟାଙ୍କ କର୍ମଚାରୀମାନେ ଦୀର୍ଘ ଦିନ ଧରି ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଦାବି କରିଆସୁଛନ୍ତି। କିଛି ମାସ ଧରି କେନ୍ଦ୍ର ସରକାରଙ୍କଠାରୁ କୌଣସି ପ୍ରତିକ୍ରିୟା ନ ପାଇବା ପରେ,ୟୁନିଅନଗୁଡ଼ିକ ସେମାନଙ୍କର ଆନ୍ଦୋଳନକୁ ତୀବ୍ର କରିଛନ୍ତି। ସେମାନେ କହିଛନ୍ତି ସମାଧାନ ପ୍ରକ୍ରିୟା ସମୟରେ ବିସ୍ତୃତ ଆଲୋଚନା ସତ୍ତ୍ୱେ, ଆମର ଦାବି ଉପରେ କୌଣସି ପ୍ରତିଶ୍ରୁତି ମିଳିଲା ନାହିଁ। ତେଣୁ, ଆମେ ଧର୍ମଘଟ କାର୍ଯ୍ୟ ଜାରି ରଖିବାକୁ ବାଧ୍ୟ ହୋଇଛୁ ।

୨୦୧୫ରେ ସ୍ୱାକ୍ଷରିତ ଦଶମ ଦ୍ଵିପାକ୍ଷିକ ଚୁକ୍ତି ତଥା ସପ୍ତମ ଯୁଗ୍ମ ସୂଚନା ଅନୁଯାୟୀ, ଆଇବିଏ ଏବଂ ସରକାର ଏହାକୁ ସ୍ୱୀକାର କରିଥିଲେ । ପ୍ରତି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ଘୋଷିତ ହୋଇଛି । ଅନ୍ୟ ଦୁଇଟି ଶନିବାର କାର୍ଯ୍ୟ ଦିବସ ରହିଛି । ଅନ୍ୟ ଶନିବାର ଅଧା ଦିନ ବା ହାଫ୍ ଡେ ଥିବା ବେଳେ ସେଦିନ ସମ୍ପୂର୍ଣ୍ଣ ଦିନ କର୍ମଚାରୀମାନେ କାମ କରୁଛନ୍ତି । ଯାହାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି ।

Leave a Reply

Your email address will not be published. Required fields are marked *