ଆଉ ନାହାଁନ୍ତି ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଲ । ୭୩ ବର୍ଷ ବୟସରେ ପରଲୋକ ହୋଇଛି। ନୂଆଦିଲ୍ଲୀସ୍ଥିତ ତାଲ କଟୋରା ରୋଡରେ ଥିବା ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱରାଜ କୌଶଲ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ସ୍ୱାମୀ ।

ମାତ୍ର ୩୭ ବର୍ଷରେ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ମିଜୋରାମ ରାଜ୍ୟପାଳ ଥିଲେ । ବିଜେପିର ପୂର୍ବତନ ସାଂସଦ ଓ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଥିଲେ । ଶେଷ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମନ୍ତ୍ରୀ କିରନ୍ ରିଜିଜୁଙ୍କ ସମେତ ଅନେକ ପ୍ରମୁଖ ନେତା ତାଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱରାଜ କୌଶଳଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ତାଙ୍କୁ ଜଣେ ପ୍ରତିଷ୍ଠିତ ଓକିଲ ଏବଂ ଅବହେଳିତଙ୍କ କଲ୍ୟାଣ ପାଇଁ ଆଇନଗତ ବୃତ୍ତି ବ୍ୟବହାର କରିବାକୁ ପ୍ରତିବଦ୍ଧ ଜଣେ ଜନ ବ୍ୟକ୍ତିତ୍ୱ ଭାବରେ ବର୍ଣ୍ଣନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନିଜ X ରେ ପୋଷ୍ଟରେ କହିଛନ୍ତି ଯେ କୌଶଳ ତାଙ୍କ କ୍ୟାରିୟରର ପ୍ରାରମ୍ଭରେ ଏକ ଛାପ ସୃଷ୍ଟି କରିଥିଲେ, ଭାରତର ସର୍ବକନିଷ୍ଠ ରାଜ୍ୟପାଳ ହୋଇଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମିଜୋରାମର ଲୋକଙ୍କ ଉପରେ ସେ ଯେଉଁ ସ୍ଥାୟୀ ଛାପ ଛାଡିଥିଲେ ତାହା ଉଲ୍ଲେଖ କରିଥିଲେ। ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଜଣେ ସାଂସଦ ଭାବରେ କୌଶଳଙ୍କ ଅବଦାନ “ଉଲ୍ଲେଖନୀୟ” ଥିଲା।

ସୂଚନା ଯୋଗ୍ୟ; ୧୯୫୨ ମସିହା ଜୁଲାଇ ୧୨ ତାରିଖରେ ହିମାଚଳ ପ୍ରଦେଶରେ ସ୍ୱରାଜ କୌଶଲ ଜନ୍ମ ଗ୍ରହଣ କରିଥିଲେ । ଚଣ୍ଡିଗଡ଼ ଡିଏଭି ସ୍କୁଲରୁ କଳାରେ ସ୍ନାତକ ହାସଲ କରିବା ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଆଇନରେ ଶିକ୍ଷା ଗ୍ରହଣ କରିଥିଲେ । ୧୯୮୬ ମସିହାରେ ସ୍ୱରାଜ ମାତ୍ର ୩୪ ବର୍ଷ ବୟସରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଭାବରେ ଘୋଷିତ ହୋଇଥିଲେ । ୮ ଫେବୃୟାରୀ ୧୯୯୦ ରୁ ୯ ଫେବୃଆରୀ ୧୯୯୩ ପର‌୍ୟ୍ୟନ୍ତ ମିଜୋରାମର ରାଜ୍ୟପାଳ ଭାବରେ କାର‌୍ୟ୍ୟ କରିଥିଲେ, ଦେଶର ସବୁଠାରୁ କନିଷ୍ଠ ରାଜ୍ୟପାଳ ହୋଇଥିଲେ ଏବଂ ଉତ୍ତର-ପୂର୍ବ ଅଞ୍ଚଳର ବିଦ୍ରୋହ ସମସ୍ୟା ଉପରେ ବିଶେଷଜ୍ଞତା ହାସଲ କରିଥିଲେ। ହରିୟାଣା ବିକାଶ ପାର୍ଟି ତରଫରୁ ସେ ରାଜ୍ୟସଭାକୁ ଆସିଥିଲେ । ୧୯୯୮-୯୯ ଏବଂ ୨୦୦୦-୨୦୦୪ରେ ସେ ହରିୟାଣାକୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିଥିଲେ । ୧୯୭୫ ଜୁଲାଇ ୧୩ ତାରିଖରେ ସେ ସୁଷମା ସ୍ୱରାଜଙ୍କୁ ବିବାହ କରିଥିଲେ । ୨୦୧୯ରେ ସୁଷମାଙ୍କ ଦେହାନ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *