ମହାନ ନାରୀନେତ୍ରୀ ଓ ସ୍ୱାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀଙ୍କ ଜନ୍ମଜୟନ୍ତୀ ପାଳନକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ବିଜୁ ଜନତା ଦଳ ଆଜି ବର୍ଷିଛି । ପୂଜ୍ୟପୂଜା ପରମ୍ପରା ଓଡ଼ିଆ ସଂସ୍କୃତିର ପ୍ରତୀକ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ସଦୃଶ୍ୟ ବୋଲି ବିଜେଡି କହିଛି । ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ରାଜ୍ୟ ଛାତ୍ର ସଭାନେତ୍ରୀ ତଥା ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରମାଦେବୀଙ୍କ ୧୨୫ତମ ଜନ୍ମଜୟନ୍ତୀ ଏକବର୍ଷ ବ୍ୟାପୀ ପାଳନ କରାଯିବ ବୋଲି ଘୋଷଣା କରିଥିଲେ । ଜନ୍ମଜୟନ୍ତୀକୁ ବର୍ଷବ୍ୟାପୀ ପାଳନ ତ ଦୂରର କଥା, ତାଙ୍କ ଜନ୍ମଜୟନ୍ତୀକୁ ପାଳନ କରିବା ପାଇଁ ମଧ୍ୟ ଟାଳଟୁଳ ନୀତି ଦେଖିବାକୁ ମିଳିଛି । ଆଜି ତାଙ୍କର ଜନ୍ମଜୟନ୍ତୀ ଅତ୍ୟନ୍ତ ହାଲୁକା ଭାବେ କଳିଙ୍ଗ ଷ୍ଟାଡିୟମର ଟେନିସ କୋର୍ଟରେ ଅନୁଷ୍ଠିତ ହୋଇଛି । ସମ୍ଭବତଃ ରାଜ୍ୟ ସରକାର ରମାଦେବୀଙ୍କ ଜନ୍ମଜୟନ୍ତୀକୁ ଭୁଲି ଯାଇଥିଲେ, କେହିଜଣେ ମନେ ପକାଇବା ପରେ ତରବରିଆ ଭାବେ ଏହାକୁ ପାଳନ କରାଯାଉଛି । ଦୁଃଖ ଓ ପରିତାପର ବିଷୟ ରମାଦେବୀଙ୍କ ପରି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମଜୟନ୍ତୀ ପାଳନ ପାଇଁ ରାଜ୍ୟ ସରକାର ଗୋଟିଏ ଅଡିଟୋରିୟମ ମଧ୍ୟ ଯୋଗାଡ଼ କରିପାରିଲେ ନାହିଁ । ଇପ୍ସିତା ଆହୁରି କହିଥିଲେ, ନିକଟରେ କିଛି ଖବରକାଗଜରେ ପ୍ରକାଶ ପାଇଥିଲା ଯେ, ରମାଦେବୀଙ୍କ ଜନ୍ମଜୟନ୍ତୀ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିବା ଫାଇଲକୁ, ସେ କଂଗ୍ରେସ ଦଳର ସଦସ୍ୟ ଥିବା କାରଣରୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇନଥିଲେ । ଏଥିରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସରକାରଙ୍କ ହିନମନ୍ୟତା ସ୍ପଷ୍ଟ ପରିଲକ୍ଷିତ ହେଉଛି । ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ସରକାରକୁ ଆସିବା ପରେ ରମାଦେବୀଙ୍କ ପ୍ରତି ଦେଖାଇଥିବା ଅସମ୍ମାନ ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ । ରମାଦେବୀଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ବିଜେପି ସରକାର ହୀନ ଉଦ୍ୟମ କରିଛନ୍ତି । କିନ୍ତୁ ଓଡିଶାବାସୀଙ୍କ ହୃଦୟରେ ରମାଦେବୀ ଚୌଧୁରୀ ସର୍ବଦା ପୂଜ୍ୟ ହୋଇ ରହିବେ । ରାଜ୍ୟ ବିଜେପି ସରକାରଙ୍କ ଏହି ହୀନ ଉଦ୍ୟମକୁ ଓଡିଶାବାସୀ କେବେବି କ୍ଷମା ଦେବେ ନାହିଁ । Post navigation T20 Series: ଟି ଟ୍ବେଣ୍ଟି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା