ବଡ ଅଘଟଣରୁ ବର୍ତ୍ତିଲା ସ୍ପାଇସ୍ ଜେଟ୍ ବିମାନ । ରବିବାର ରାତିରେ ମୁମ୍ବାଇରୁ କୋଲକାତା ଆସୁଥିବା ଏକ ବିମାନ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି । ମୁମ୍ବାଇରୁ କୋଲକାତା ଯାଉଥିବା ସ୍ପାଇସଜେଟର ଏକ ବିମାନର ଏକ ଇଞ୍ଜିନ ମଝି ଆକାଶରେ ଖରାପ ହୋଇଯିବାରୁ ରବିବାର ବିଳମ୍ବିତ ରାତିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ ଜରୁରୀକାଳୀନ ଗେଟ୍ ଦେଇ ସେମାନଙ୍କୁ ଉଦ୍ଧାର କରାଯାଇଛି।

ଅନ୍ୟପଟେ ବିମାନକୁ ଯାଞ୍ଚ ପାଇଁ ନିଆଯାଇଛି। ଇଞ୍ଜିନ ବିଫଳତା ଉପରେ ଇଞ୍ଜିନିୟରମାନଙ୍କଠାରୁ ତଦନ୍ତ ରିପୋର୍ଟ ମାଗିଛି ବିମାନ କମ୍ପାନୀ।

ସୂଚନା ଯୋଗ୍ୟ; ସ୍ପାଇସଜେଟର ବିମାନ SG670 ରବିବାର ରାତିରେ ମୁମ୍ବାଇରୁ କୋଲକାତା ଅଭିମୁଖେ ଉଡ଼ାଣ ଭରିଥିଲା। କୋଲକାତାରେ ଅବତରଣ କରିବା ପୂର୍ବରୁ ବିମାନର ଇଞ୍ଜିନ ବିଫଳ ହୋଇଥିଲା।  ସ୍ପାଇସ ଜେଟ ବିମାନ କୋଲକତାରେ ପହଞ୍ଚିବା ପୂର୍ବରୁ ମଝି ଆକାଶରେ ଏହାର ଗୋଟିଏ ଇଞ୍ଜିନ୍ କାମ କରିନଥିଲା ।

ଏହାପରେ ପାଇଲଟ ଇଞ୍ଜିନ ବିଫଳତା ବିଷୟରେ ଜଣାଇବା ପାଇଁ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହିତ ଯୋଗାଯୋଗ କରିଥିଲେ। ATC ପାଇଲଟଙ୍କୁ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ପ୍ରଦାନ କରିଥିଲା ​​ଏବଂ ଜରୁରୀକାଳୀନ ଘୋଷଣା କରିଥିଲା ।

ବିମାନକୁ ସୁରକ୍ଷିତ ଅବତରଣ କରାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ତେବେ ଅଘଟଣ ବିଷୟରେ ଜାଣିବା ପରେ କୋଲକାତା ବିମାନ ବନ୍ଦରରେ ଦମକଳ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍ ପହଁଚି ଯାଇଥିଲେ ।

Leave a Reply

Your email address will not be published. Required fields are marked *