ଅନଲାଇନ ଗେମିଂ ଆପରେ ଅର୍ଥ ହେରଫେର ମାମଲାରେ ଦୁଇ ପୂର୍ବତନ କ୍ରିକେଟର୍ ଶିଖର ଧାୱନ ଏବଂ ସୁରେଶ ରୈନାଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ଧାୱନ ଏବଂ ରୈନାଙ୍କ ସମ୍ପତ୍ତିକୁ ଗୁରୁବାର ଜବତ କରିଛି । ଦୁଇ ଜଣଙ୍କର ମୋଟ ୧୧ କୋଟି ୧୪ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ଜଣାପଡିଛି । ୨୦୦୨ ମସିହାର ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ, ତଦନ୍ତକାରୀ ସଂସ୍ଥା ଅସ୍ଥାୟୀ ଭାବରେ ସମ୍ପତ୍ତି ଜବତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ବେଆଇନ ଅଫଶୋର ବେଟିଂ ପ୍ଲାଟଫର୍ମ 1xBet ଏବଂ ଏହାର ସହ-ବ୍ରାଣ୍ଡ 1xBat ଏବଂ 1xBat ସ୍ପୋର୍ଟିଂ ଲାଇନ୍ସ ସହିତ ଜଡିତ ମନି ଲଣ୍ଡରିଂ ତଦନ୍ତର ଏକ ଅଂଶ।

ସୂଚନା ଯୋଗ୍ୟ; ଇଡି ଅନଲାଇନ ଗେମିଂ ଆପ୍ ୱାନ୍ଏକ୍ସବେଟ୍ ବିରୁଦ୍ଧରେ ହୋଇଥିବା ମାମଲାର ଅନୁଯାୟୀ ଧାୱନଙ୍କର ସାଢ଼େ ୪ କୋଟି ଅଚଳାଚଳ ସମ୍ପତ୍ତି ଜବତ କରିଛି । ସେହିପରି ରୈନାଙ୍କର ୬ କୋଟି ୬୪ ଲକ୍ଷ ସମ୍ପତ୍ତି ମଧ୍ୟ ଜବତ ହୋଇଛି । ଏହା ସହିତ ଇଡି ଧନ ଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଆଇନ ଅନୁସାରେ ଏକ ଅସ୍ଥାୟୀ ଆଦେଶନାମା ଜାରି କରିଛି । ଉଭୟ ଖେଳାଳି ଜାଣିଶୁଣି ବିଦେଶୀ ସଂସ୍ଥା 1xBet ଏବଂ ତାର ଅନ୍ୟ କମ୍ପାନୀର ପ୍ରଚାର ପ୍ରସାର କରୁଥିଲେ ବୋଲି ଇଡି ଯାଞ୍ଚରୁ ଜାଣିବାକୁ ପାଇଛି ।

ଏହି ମାମଲାରେ ଅନ୍ୟମାନଙ୍କ ମଧ୍ୟରେ ଯୁବରାଜ ସିଂହ, ରବିନ୍ ଉଥପ୍ପା, ସୋନୁ ସୁଦ୍, ଉର୍ବଶୀ ରୌତେଲା, ମିମି ଚକ୍ରବର୍ତ୍ତୀ ଏବଂ ଅନୁଷ୍କା ହାଜରାଙ୍କୁ ମଧ୍ୟ ଜେରା କରିଥିଲା । ଏହି କମ୍ପାନୀ ନିବେଶକମାନଙ୍କର କୋଟି କୋଟି ଟଙ୍କା ହଡ଼ପ କରିବା ସହିତ ଟିକସ ଫାଙ୍କିଛି । ଏହି ମାମଲା ସହିତ ଜଡିତ, ସମ୍ପ୍ରତି ଚାରୋଟି ପେମେଣ୍ଟ ଗେଟୱେରେ ଚଢାଉ କରାଯାଇଥିଲା, ଯାହା ଫଳରେ ୪ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିଲା ଏବଂ ୬୦ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଥିଲା। ଡିଜିଟାଲ୍ ପ୍ରମାଣ ଏବଂ ଡକ୍ୟୁମେଣ୍ଟ ମଧ୍ୟ ଉଦ୍ଧାର କରାଯାଇଥିଲା।

Leave a Reply

Your email address will not be published. Required fields are marked *