ପୂର୍ବତନ ମନ୍ତ୍ରୀ ତଥା କୋରାପୁଟ ଜିଲ୍ଲା କୋଟପାଡ଼ର ପୂର୍ବତନ ବିଧାୟିକା ପଦ୍ମିନୀ ଦିଆନ ଗୁରୁତର ହୋଇଛନ୍ତି । ତାଙ୍କ ସହିତ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି । ଏହା ସହ ତାଙ୍କର ଜଣେ ସମ୍ପର୍କୀୟଙ୍କର ମୃତ୍ୟୁ ଘଟିଛି । ଜୟପୁରରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ତେବେ ହଠାତ ପଦ୍ମିନୀଙ୍କ ସହ ୩ ଜଣଙ୍କ ସ୍ବାସ୍ଥ୍ୟବସ୍ଥା କାହିଁକି ବିଗିଡ଼ିଲା, ସେ ସଂପର୍କରେ ସ୍ପଷ୍ଟ ହୋଇନଥିବା ବେଳେ ଏକ ଭୋଜି ଖାଇବା ପରେ ସମସ୍ତେ ଏକାବେଳେ ଗୁରୁତର ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଯୋଗ୍ୟ; ପଦ୍ମିନୀ ଦିଆନ ଏବଂ ଅନ୍ୟମାନେ ଗତକାଲି ଅପରାହ୍ନ ସମୟରେ ଏକ ଭୋଜିରେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଥିଲେ ଶାନ୍ତିଲତା ମାଝୀ, ପାର୍ବତୀ ମାଝୀ ଓ ରାମବତୀ ଦିଆନ । ସମସ୍ତେ ଭୋଜି ଖାଇ ସାରିବା ପରେ ପ୍ରଥମେ ପଦ୍ମିନୀ ଅସୁସ୍ଥ ହୋଇପଡ଼ିଥିଲେ । ଏହା ପରେ ଜଣକ ପରେ ଜଣେ ଅସୁସ୍ଥ ହୋଇଥିଲେ । ସମସ୍ତଙ୍କୁ ପ୍ରଥମେ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଜୟପୁରରେ ଚିକିତ୍ସାଧୀନ ଅବସ୍ଥାରେ ପାର୍ବତୀ ମାଝୀଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ପଦ୍ମିନୀ ଦିଆନ ଏବଂ ଅନ୍ୟମାନଙ୍କୁ ତୁରନ୍ତ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । Post navigation CycloneMontha: ଭୀଷଣ ବାତ୍ୟାର ରୂପ ନେଲା ମୋନ୍ଥା Chhath Puja: ପତ୍ନୀଙ୍କ ସହିତ ପବିତ୍ର ‘ଛଟ୍ ପୂଜା’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ