Well-Marked Low-Pressure Intensifies Into Depression
ସୃଷ୍ଟି ହେଲା ଅବପାତ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତ ରୂପ ନେଇଛି । ଏହା ଘନୀଭୂତ ହୋଇ କାଲି ଗଭୀର ଅବପାତର ରୂପ ନେବ । ୨୭ ତାରିଖ ସକାଳେ ଏହା ବାତ୍ୟାର ରୂପ ନେବ ବୋଲି ଜଣାପଡିଛି ।
 
ଲଘୁଚାପଟି ଅବପାତରେ ପରିଣତ ହେବା ପରେ ହିଁ ବାତ୍ୟାର ସ୍ଥିତି ଓ ପ୍ରଭାବ ସ୍ପଷ୍ଟ ହେବ । ମାତ୍ର ଓଡ଼ିଶା ଅପେକ୍ଷା ଆନ୍ଧ୍ରପ୍ରଦେଶ ଉପରେ ବାତ୍ୟାର ପ୍ରଭାବ ଅଧିକ ପଡ଼ିପାରେ ବୋଲି ପାଣିପାଗ ବିଭାଗ ଅନୁମାନ ଲଗାଇଛି ।
 
ଏହାର ପ୍ରଭାବରେ ୨୭ ତାରିଖରୁ ଓଡ଼ିଶାରେ ବର୍ଷାର ପରିମାଣ ବଢିବ । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ରହିବ । ୨୭ରୁ ୨୯ ତାରିଖ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୩୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଡ. ମହାନ୍ତି ସୂଚନା ଦେଇଛନ୍ତି ।
 
ଶନିବାର ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
 
ସେହିପରି ରବିବାର ଦିନ ଏହିସବୁ ଜିଲ୍ଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ବୌଦ୍ଧ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ତେବେ ସୋମବାର ୨୭ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାକୁ ୟୋଲେ ୱାର୍ଣ୍ଣିଂ ଏବଂ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *