ଝାରସୁଗୁଡାସ୍ଥିତ ଅମଲିପାଲିରେ ଆୟୋଜିତ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କୁ ସ୍ୱାଗତ ଜଣାଇ ମା’ ସମଲେଇଙ୍କ ଫଟୋ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ପକ୍ଷରୁ, ଝାରସୁଗୁଡ଼ାର ମାଟିରେ ମୋଦିଙ୍କୁ ସ୍ୱାଗତ କରୁଛି ବୋଲି କହିଛନ୍ତି । ସେ କହିଛନ୍ତି ଯେ, ମା’ ପାଇଁ ଗଛଟିଏ ଆହ୍ୱାନରେ ଓଡ଼ିଶାବାସୀ ସାମିଲ ହୋଇଛନ୍ତି । ୭୫ ଲକ୍ଷ ଗଛ ଲଗାଇବା ଲକ୍ଷ୍ୟ ଥିବାବେଳେ ଦିନକରେ ଦେଢ଼ କୋଟି ଗଛ ଲଗାଯାଇଛି । ମୋଦିଙ୍କ ଜନ୍ମଦିବସ ମୋଦିଙ୍କ ଦେଶ ପ୍ରତି ପଚାଶ ବର୍ଷରୁ ଅଧିକ ସମୟଧରି, ଅତୁଟ ସମର୍ପଣ ଭାବରେ କରିଥିବା ସେବାର ପ୍ରତିଫଳନ । ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ‘ସେବା ପକ୍ଷ’ ଭାବରେ ପାଳନ କରିବା ଏହାର ସବୁଠାରୁ ବଡ଼ ପ୍ରମାଣ । ଏହା ଆମ ପାଇଁ ‘ସେବା ପର୍ବ ବୋଲି ମୋହନ ମାଝୀ କହିଛନ୍ତି । ‘ଅପରେସନ ସିନ୍ଦୁର’ ସହିତ ଦେଶର ସୁରକ୍ଷାକୁ ନେଇ ଆପଣ ଯେଉଁ ‘ଲକ୍ଷ୍ମଣ ରେଖା’ ଆଙ୍କିଛନ୍ତି, ସେଥିରେ ଦେଶର ଯୁବବର୍ଗଙ୍କର ମନପ୍ରାଣରେ ଏକ ନୂତନ ଉତ୍ସାହ ଭରି ଦେଇଛି । ଆଜିର ଏହି ସମାବେଶ, ଯୁବବର୍ଗଙ୍କ ପାଇଁ ସମର୍ପିତ ବୋଲି ମାଝୀ କହିଛନ୍ତି । ଭାରତରେ ଗୋଟିଏ ପ୍ରସିଦ୍ଧ ହିନ୍ଦି ଲୋକକଥା ଅଛି — ‘ଛେଡେଙ୍ଗେ ନେହିଁ, ଅଗର କୋଇ ଛେଡେଗା, ତୋ ଛୋଡେଙ୍ଗେ ନେହିଁ’। ପେହଲଗାମର ନରସଂହାର ପରେ, ଶତ୍ରୁ ଦେଶରେ ପ୍ରବେଶ କରି, ଆତଙ୍କବାଦୀ ଏବଂ ସେମାନଙ୍କର ପୃଷ୍ଠପୋଷକଙ୍କୁ ଯେପରି ଦଣ୍ଡ ଦିଆଗଲା, ସେଥିରେ ଦେଶର ସୁରକ୍ଷା ନୀତିର ସବୁ ଦିଗ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ଦେଶକୁ ସୁରକ୍ଷିତ ରଖିଥିବାରୁ, ସମଗ୍ର ଦେଶ ପକ୍ଷରୁ, ଆପଣଙ୍କୁ ଅଶେଷ ଧନ୍ୟବାଦ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଆପଣଙ୍କର ଭକ୍ତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ଆପଣଙ୍କର ଶ୍ରଦ୍ଧା ବିଷୟରେ ଆମେ ସମସ୍ତେ ଜାଣୁ । ଆମ ସରକାର ଆସିବା ପରେ, ଆପଣ ସାତ ଥର ଓଡ଼ିଶା ଗସ୍ତ କରିଛନ୍ତି ବୋଲି ମାଝୀ କହିଛନ୍ତି । ଗତବର୍ଷ, ଆପଣଙ୍କ ଜନ୍ମଦିନରେ ଆପଣ ଓଡ଼ିଶା ଆସିଥିଲେ ଏବଂ ଆମ ମା’ ଓ ଭଉଣୀମାନଙ୍କ ପାଇଁ ‘ସୁଭଦ୍ରା ଯୋଜନା’ ର ଶୁଭାରମ୍ଭ କରିଥିଲେ । ଆଜି ଏହି ଯୋଜନା ଅଧୀନରେ, ଏକ କୋଟିରୁ ଅଧିକ ମା’ମାନଙ୍କୁ ପ୍ରତିବର୍ଷ ଦଶ ହଜାର ଟଙ୍କାର ସହାୟତା ମିଳୁଛି। ଗତବର୍ଷ, ଜଣେ ଆଦିବାସୀ ମା’ଙ୍କ ହାତରୁ କ୍ଷିରି ଖାଇ, ଆପଣ ଆପଣଙ୍କର ଜନ୍ମଦିନ ପାଳନ କରିଥିଲେ। ଓଡ଼ିଶାବାସୀଙ୍କ ପ୍ରତି ଆପଣଙ୍କର ଏହି ଭଲପାଇବା, ଆମ ସମସ୍ତଙ୍କୁ ଅଭିଭୂତ କରିଛି ବୋଲି ମୋହନ ମାଝୀ କହିଛନ୍ତି । ପରିବେଶ ସୁରକ୍ଷା ପ୍ରତି ଆପଣଙ୍କ ଚିନ୍ତା ବିଷୟରେ ସମଗ୍ର ଦେଶ ଜାଣିଛି। ଗତବର୍ଷ ଆପଣ ଯେଉଁ “ଏକ ପେଡ୍ ମା’ କେ ନାମ୍’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ତାହା ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଚଳିତ ବର୍ଷ ଆପଣଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ରେ, “ଏକ ପେଡ୍ ମା’ କେ ନାମ୍ 2.0” ଅଭିଯାନରେ, ଆମେ ୭୫ ଲକ୍ଷ ବୃକ୍ଷରୋପଣ ପାଇଁ ସଙ୍କଳ୍ପ ନେଇଥିଲୁ। କିନ୍ତୁ ଓଡ଼ିଶାବାସୀ ସେହି ଦିନ, ଦୁଇଗୁଣା ଅର୍ଥାତ ଦେଢ଼ କୋଟି ଗଛ ଲଗାଇଦେଲେ। ଓଡ଼ିଶାବାସୀ ଆପଣଙ୍କୁ ବହୁତ୍ ଶ୍ରଦ୍ଧା ଓ ସମ୍ମାନ କରନ୍ତି ବୋଲି ଆମେ ଜାଣିଥିଲୁ, କିନ୍ତୁ ଏତେ ଅଧିକ ସମ୍ମାନ କରନ୍ତି ବୋଲି ସେହି ଦିନ ହିଁ ସ୍ପଷ୍ଟ ହେଲା। ଏହି ଅବସରରେ, ସମଗ୍ର ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମୋହନ ମାଝୀ କହିଛନ୍ତି । Post navigation ଝାରସୁଗୁଡ଼ାରେ ୬୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ: ଜଳ ସମ୍ପଦ ବିଭାଗ