ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ସୁଶୀଳା କାର୍କି । ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଲେ । ନେପାଳ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଦେଶର ସଂସଦକୁ ଭଙ୍ଗ କରାଯିବା ସହ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ନେପାଳର ପରବର୍ତ୍ତୀ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ। ସରକାର ନିଜ ଅପରାଗତା ଲୁଚାଇବା ପାଇଁ ଫେସ୍ବୁକ୍, ଟୁଇଟର, ହ୍ବାଟ୍ସଆପ୍, ୟ୍ୟୁଟୁବ୍ ଭଳି ସୋସିଆଲ ମିଡିଆର ୨୬ଟି ସାଇଟ୍କୁ ବନ୍ଦ କରିଦେବା ପରେ ଯୁବପିଢ଼ିଙ୍କ କ୍ରୋଧ ପଞ୍ଚମକୁ ଚାଲିଯାଇଥିଲା। ବହୁତ୍ ବିକ୍ଷୋଭ ପରେ ଆସନ୍ତ ନେପାଳକୁ ଦେଖି ପ୍ରଧାନମନ୍ତ୍ରୀ ଥିବା କେ.ପି. ଶର୍ମା ଓଲି ଇସ୍ତଫା ଦେବାକୁ ପଡ଼ିଥିଲା । ଏହାପରେ କେତେକାଂଶରେ ସ୍ଥିତି ସ୍ବାଭାବିକ ଆଡ଼କୁ ଆସିଥିଲା । ସୂଚନା ଯୋଗ୍ୟ; ସୁଶୀଳା କାର୍କି ୧୯୯୦ରେ ସେ ରାଜନୀତିରେ ସ୍ବଚ୍ଛତା ଆଣିବା ଲାଗି କରାଯାଇଥିବା ‘ପିପୁଲ୍ସ ମୁଭମେଣ୍ଟ’ରେ ନିଜକୁ ସାମିଲ କରିଥିଲେ। ସେତିକିବେଳେ ତାଙ୍କ ନେତୃତ୍ୱ ନେବାର ଆଭାସ ମିଳିଥିଲା। ସେହି ସମୟରେ ସେ ମଧ୍ୟ ବିରାଟନଗର ଜେଲରେ ବନ୍ଦୀ ଜୀବନ କଟାଇଥିଲେ। ଏଭଳି ଅଭିଜ୍ଞତାକୁ ନେଇ ସେ ‘କାରା’ ନାମରେ ଏକ ଉପନ୍ୟାସ ରଚନା କରିଥିଲେ। ୨୦୦୮ ସେ ଆଇନ ବ୍ୟବସାୟ କରିବାକୁ ଯାଇ ନେପାଳ ବାର୍ ଆସୋସିଏଶନରେ ସିନିୟର ଆଡ୍ଭୋକେଟ ହୋଇଥିଲେ। ଆଇନଗତ ବିଦ୍ବତ୍ତା ପ୍ରଦର୍ଶନ ପରେ ସେ ୨୦୦୯ ଜାନୁଆରୀରେ ନେପାଳ ସୁପ୍ରିମକୋର୍ଟର ଆଡ୍ହକ ଜଷ୍ଟିସ୍ ହେବାର ଗୌରବ ମଧ୍ୟ ଅର୍ଜନ କରିଥିଲେ। ପରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ। ଏପ୍ରିଲ ୨୦୧୬ରେ କଲ୍ୟାଣ ଶ୍ରେଷ୍ଥା ପ୍ରଧାନ ବିଚାରପତି ପଦବୀରୁ ଅବସର ଗ୍ରହଣ କରିବା ପରେ ସାମ୍ବିଧାନିକ ପରିଷଦ ସୁଶୀଳାଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରିବା ଲାଗି ସୁପାରିସ କରିଥିଲା। ପରବର୍ତ୍ତୀ ସମୟରେ ସେ ସୁପ୍ରିମକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇଥିଲେ। ଅବଶ୍ୟ ତାଙ୍କ ନିଯୁକ୍ତିକୁ ନେଇ ସେ ବିରୋଧର ସମ୍ମୁଖୀନ ହୋଇଥିଲେ। ଏଭଳି କି ତାଙ୍କ ବିରୋଧରେ ମହାଭିଯୋଗ ଅଣାଯାଇଥିଲା। ନ୍ୟାୟିକ ଅଡ଼ୁଆରେ ଧନ୍ଦି ହୋଇଥିଲେ ହେଁ ୨୦୧୭ ଜୁନ୍ ୬ରେ ସେ ୬୫ ବର୍ଷରେ ପହଞ୍ଚତ୍ବା ପରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। Post navigation ଏସିଆ କପ-୨୦୨୫: ବୟକଟ ଦାବି ମଧ୍ୟରେ ଭାରତ ପାକ ମ୍ୟାଚ୍ ସାମଗ୍ରୀରେ ସଂଶୋଧିତ ମୂଲ୍ୟ ବାଧ୍ୟତାମୂଳକ: କୃଷ୍ଣଚନ୍ଦ୍ର ପାତ୍ର