ବିଜୁ ପଟ୍ଟନାୟକ ବଡ଼ପୁଅ ପ୍ରେମ ପଟ୍ଟନାୟକ ସସ୍ତ୍ରୀକ ନବୀନ ନିବାସକୁ ଆସିବା ଓ ରହିବା କେବଳ କ’ଣ ପାରିବାରିକ ଘଟଣା ? ପ୍ରେମ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବଡ଼ଭାଇ । ମୁମ୍ବାଇ ହସ୍ପିଟାଲରେ ସ୍ପାଇନ ସର୍ଜରୀ ପରେ ପ୍ରେମ ସେଠାକୁ ଯାଇଥିଲେ । ପ୍ରଥମ ଥର ପାଇଁ ତାଙ୍କ ଭିଡ଼ିଓ ଓଡ଼ିଶାର ଲୋକେ ଦେଖିଲେ। ଇଂରାଜୀରେ ଦୁଇପଦ କହିବା ଭିତରେ ଏକ ସଂକେତ ଆସିଥିଲା । ନବୀନ ଗତ ୧୭ ତାରିଖରେ ଶରୀରରେ ଜଳୀୟାଂଶ କମିବା କାରଣରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୁଇଦିନ ଭିତରେ ଆରୋଗ୍ୟ ଲାଭ କରିଥିଲେ । ନବୀନ ନିବାସକୁ ଫେରିଆସିଥିଲେ। ମୁମ୍ବାଇ ସର୍ଜରୀ ତୁଳନାରେ ଏଥରର ଅସୁସ୍ଥତା କିଛି ବି ନୁହେଁ। ତାହା ସତ୍ତ୍ୱେ ସାନଭାଇକୁ ଦେଖିବା ଲାଗି ପ୍ରେମ ଏବଂ ତାଙ୍କର ବିଦେଶିନୀ ସ୍ତ୍ରୀ ଘରକୁ ଆସିବା କିଛି ଅସଙ୍ଗତ ନୁହେଁ । କିନ୍ତୁ ଯେଉଁ ଭିଡ଼ିଓଟି ବାହାରକୁ ଛଡ଼ାଗଲା ତାହା କିନ୍ତୁ ମାମୁଲି ନୁହେଁ । ଏକ ବଡ଼ ରାଜନୈତିକ ସଂକେତ ବହନ କରୁଛି ଏହି ଭିଡ଼ିଓଟି। ଏହି ଭିଡ଼ିଓରେ ଅଛନ୍ତି ନବୀନଙ୍କ ପୂର୍ବତନ ସଚିବ ଭିକେ ପାଣ୍ଡିଆନ । ଅଛନ୍ତି ନଵୀନ ଓ ପ୍ରେମ। ସେଥିପାଇଁ ଏହି ଭିଡ଼ିଓର ଗୁରୁତ୍ବ ରହିଛି। ଏକଦା ପ୍ରେମ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରଥମ ପସନ୍ଦ ଥିଲେ। ବଲାରପୁର ବାଉଁଶ ରୟାଲଟି ସ୍କାମ ଖବର ସନଟାଇମ୍ସ ଓ ସମ୍ବାଦରେ ବାହାରିବା କାରଣରୁ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିନଥିଲେ ପ୍ରେମ। ରାଜନୀତିଠୁ ଯଥାସମ୍ଭବ ନିଜକୁ ଦୂରେଇ ରଖୁଥିଲେ ହେଁ ବିଜଦ ବ୍ୟାପାରରେ ତାଙ୍କର ବଡ଼ ଭୂମିକା ଥିଲା ଓ ଅଛି । ପ୍ରେମ ନବୀନ ନିବାସରେ ସସ୍ତ୍ରୀକ ରହିବା ଖବର ଯୋଜନା ଅନୁଯାୟୀ ବାହାରକୁ ଛଡ଼ା ଯାଇଥିଲା । ନହେଲେ ଏକତ୍ର ବସିବା ଭିଡ଼ିଓ କେମିତି ଲୋକେ ଦେଖିଥାନ୍ତି। ଏହାପରେ ଆଉ ଏକ ପୁରୁଣା ଭିଡ଼ିଓ ଛଡ଼ାଗଲା । ଏହା ମଧ୍ୟ ପ୍ରାୟୋଜିତ । ଭିଡ଼ିଓଟି ହସ୍ପିଟାଲ ଭିତରର । ଥିଲେ ଦେବୀ ମିଶ୍ର, ସଂଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ଅତନୁ ନାୟକ ଏବଂ ସୁଜାତା ରାଉତ। ସୁଜାତାଙ୍କ ଉପସ୍ଥିତି ବାହାରକୁ ଜଣାଇବା ଥିଲା ଯୋଜନାର ବଡ଼ ଉଦ୍ଦେଶ୍ୟ । ହସ୍ପିଟାଲରୁ ନବୀନ ବାହାରିବା ବେଳେ ପାଣ୍ଡିଆନଙ୍କ ହାତ ଧରିଥିବା ଭିଡ଼ିଓ ବାହାରକୁ ଛଡ଼ା ଯାଇ ଭାଇରାଲ କରାଯାଇଥିଲା। ଉଦ୍ଦେଶ୍ୟ ଯେ, ଦଳରେ ଯିଏ ଯାହା କହୁନା କାହିଁକି ନବୀନ ବାବୁଙ୍କ ଭରସା ହେଲେ ପାଣ୍ଡିଆନ। ଆଉ କେହି ଦରକାର ନାହାଁନ୍ତି। ତିନି ଭିଡ଼ିଓକୁ ଗୋଟିଏ ଗଣ୍ଠିରେ ରଖିଲେ ଏକ ସୁନ୍ଦର ଚିତ୍ର ସାମ୍ନାକୁ ଆସୁଛି। ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ । ଯେହେତୁ ପାଣ୍ଡିଆନ ସେଚ୍ଛାକୃତ ଭାବେ ରାଜନୀତିରୁ ଦୂରେଇ ଯାଇଛନ୍ତି, ନବୀନ ଯେହେତୁ ସେ ଆମ ଦଳରେ ନାହାଁନ୍ତି ବୋଲି କହି ସାରିଛନ୍ତି ସେହେତୁ ବର୍ତ୍ତମାନ ପରିସ୍ଥିତିରେ ଦଳକୁ ଫେରି ମଙ୍ଗ ସମ୍ଭାଳିବେ ନାହିଁ ସେ। ତେଣୁ ସୁଜାତା ରାଉତ ବିଜଦର କେନ୍ଦ୍ର ମଞ୍ଚକୁ ଆସିବା ବାଟ ଖୋଲିବାକୁ ଯାଉଛି। ସେ ଭାରତୀୟ ପ୍ରଶାସନିକ ସେବାରୁ ସେଚ୍ଛାକୃତ ଅବସର ନେଇଛନ୍ତି। କିନ୍ତୁ ବିଜଦରେ ମିଶି ନାହାଁନ୍ତି। କେବଳ ଆନୁଷ୍ଠାନିକ ଘୋଷଣା ବାକି ଅଛି । ନବୀନ ଏବଂ ପାଣ୍ଡିଆନଙ୍କର ସମସ୍ୟା ହେଲା ଯେ, ଦଳର ତଳୁ ଉପର ଯାଏଁ ସମସ୍ତେ ସୁଜାତାଙ୍କ ନେତୃତ୍ବକୁ ଗ୍ରହଣ କରିବେ କି ? ବୋଧହୁଏ ନା । କେବଳ ହାତଗଣତି କେତେଜଣ ନେତାଙ୍କୁ ଛାଡି ଦେଲେ ସୁଜାତାଙ୍କ ନେତୃତ୍ୱ ବିରୋଧରେ ବଡ଼ ଧରଣର ବିଦ୍ରୋହ ସୃଷ୍ଟି ହୋଇପାରେ। ନବୀନଙ୍କର ଆଉ ସେହି ଦମ ନାହିଁ ଯେ କି ବର୍ତ୍ତମାନ ପରିସ୍ଥିତିରେ ବିଦ୍ରୋହକୁ ସମ୍ଭାଳି ନେଇପାରିବେ । ତେଣୁ ଉପାୟ କ’ଣ ଅଛି ? ଚାବି ଅଛି ପ୍ରେମଙ୍କ ପାଖରେ। ପୁଣି ଥରେ ବିଜୁଙ୍କ ପରିବାର ନାମରେ ପ୍ରେମଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କୁ ରାଜନୀତି ଭିତରକୁ ଅଣାଯାଇପାରେ। ଅରୁଣ ମୁଖୋଟା ହେବେ । ସୁଜାତା ଦଳ ପରିଚାଳନା କରିବେ । ପଛରେ ରହିବେ କାର୍ଷିକ। ଏହା ହେଉଛି ମୋଟାମୋଟି ଏକ ବଡ଼ ଫର୍ମୁଲା ଯାହାକୁ ନେଇ ବିଜୁ ଜନତା ଦଳ ଆଗକୁ ବଢ଼ିବ ବୋଲି ସୂଚନା ମିଳିଛି। ଦଳର ନେତାମାନେ ବିଜୁଙ୍କ ନାତି ଅରୁଣଙ୍କୁ ବିରୋଧ କରିବେ ନାହିଁ ବୋଲି ନବୀନ ଓ ପାଣ୍ଡିଆନ ଭାବୁଛନ୍ତି । ଭାଜପା ହାଇକମାଣ୍ଡ ଚାହେଁ ଯେମିତି ବି ହେଉ ବିଜଦ ବଞ୍ଚିରହୁ। ଏଣୁ ଅରୁଣ ଓ ସୁଜାତାଙ୍କୁ ଦୃଷ୍ଟିରେ ରଖି ବିଜଦର ଏକ ବଡ଼ ରୂପାନ୍ତରଣ ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ। ଅରୁଣଙ୍କୁ କାର୍ଯ୍ୟକାରୀ ସଭାପତି ଏବଂ ସୁଜାତାଙ୍କୁ ମହାସଚିବ (ସେକ୍ରେଟେରି ଜେନେରାଲ) କରିବାକୁ ବୋଧହୁଏ ନିବାସ ବୈଠକରେ ସ୍ଥିର ହେଉଛି। Post navigation ଆଜିଠୁ ରାଜ୍ୟରେ ଆରମ୍ଭ ଆମ ଶାସନ ବ୍ୟବସ୍ଥା; ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ୧୫ ଦିନ ପରେ ଆନ୍ଦୋଳନରୁ ଓହରିଲା ଅମଲା ସଂଘ