ବିଜେଡି ସରକାର ରାଜ୍ୟରେ ୫୬ଟି ନୂଆ ଏନଏସି ଘୋଷଣା କରିଥିଲେ, ଯାହା ମଧ୍ୟରୁ କେବଳ ୧୨ଟି ଅଞ୍ଚଳକୁ ଏନଏସି ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବିଜୁ ଜନତା ଦଳ କଡ଼ା ସମାଲୋଚନା କରିଛି । ରାଜ୍ୟ ସରକାର ତୁରନ୍ତ ବାକି ରହିଯାଇଥିବା ୪୪ଟି ଅଞ୍ଚଳକୁ ଏନଏସି ଘୋଷଣା କରନ୍ତୁ ବୋଲି ବିଜେଡି କହିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବିଧାୟକ ତଥା ବରିଷ୍ଠ ସାଧାରଣ ସମ୍ପାଦକ ଦିବ୍ୟ ଶଙ୍କର ମିଶ୍ର ଓ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ସଭାପତି ପ୍ରଦୀପ ଦିଶାରୀ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ବର୍ଷିଛନ୍ତି । ଦିବ୍ୟ ଶଙ୍କର ମିଶ୍ର କହିଥିଲେ, ସରକାର ଏକ ନିରନ୍ତର ପ୍ରକ୍ରିୟା । ପୂର୍ବ ବିଜେଡି ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ବର୍ତ୍ତମାନର ବିଜେପି ସରକାର ରାଜନୈତିକ ଦୃଷ୍ଟିକୋଣରୁ ପଛଘୁଞ୍ଚା ଦେବା ଦୁର୍ଭାଗ୍ୟଜନକ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜେଡି ସରକାର ୫୬ଟି ଏନଏସି ଘୋଷଣା କରିଥିଲେ । କିନ୍ତୁ, ବର୍ତ୍ତମାନର ବିଜେପି ସରକାର ମାତ୍ର ୧୨ଟି ଅଞ୍ଚଳକୁ ସ୍ୱୀକୃତି ଦେବା, ରାଜ୍ୟର ବିକାଶକୁ ପଛକୁ ନେବା ସଦୃଶ୍ୟ । ଗତ ୧୪ ମାସର ବିଜେପି ସରକାର ସମୟରେ ରାଜ୍ୟର ବିକାଶ ଠପ୍ ହୋଇଯାଇଛି । ବିଜେଡି ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ପରିଲକ୍ଷିତ ହେଉ ନାହିଁ । ପ୍ରଦୀପ ଦିଶାରୀ କହିଥିଲେ, କଳାହାଣ୍ଡି ଜିଲ୍ଲାରେ ମଦନପୁର ରାମପୁର, ନର୍ଲା, ଜୟପାଟଣା ଓ ନୂଆପଡା ଜିଲ୍ଲାର ସିନାପାଲିକୁ ଏନଏସି କରାଯିବ ବୋଲି ବିଜେଡି ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିଲା । କିନ୍ତୁ, ବର୍ତ୍ତମାନର ବିଜେପି ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ୧୨ଟି ଏନଏସି ମଧ୍ୟରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଗୋଟିଏ ବି ପୂର୍ବ ଘୋଷିତ ଅଞ୍ଚଳ ଏନଏସି ମାନ୍ୟତା ପାଇନାହିଁ, ଯାହା ଏହି ଦୁଇ ଜିଲ୍ଲାବାସୀଙ୍କୁ ନିରାଶ କରିଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଦୁଇ ଜିଲ୍ଲାକୁ ପ୍ରତାରିତ କରିଛି, ଯେଉଁ କାରଣରୁ ସରକାରଙ୍କ ବିରୋଧରେ ଜନଅସନ୍ତୋଷ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କୁ ଆମେ ଚେତାବନୀ ଦେଉଛୁ ଯେ, ସରକାର ତୁରନ୍ତ ନିଷ୍ପତ୍ତିର ପୁନଃର୍ବିଚାର କରି ପୂର୍ବ ଘୋଷିତ ସ୍ଥାନ ଗୁଡିକୁ ଏନଏସିର ମାନ୍ୟତା ଦିଅନ୍ତୁ, ନଚେତ ବିଜେଡି ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ । Post navigation ନିଶା ବେପାରୀଙ୍କ ଭୂସ୍ବର୍ଗ ବରମୁଣ୍ଡା ବସ୍ଷ୍ଟାଣ୍ଡ; ଫାଣ୍ଡି ପାଖରେ ବିକ୍ରି ହେଉଛି ମଦ, ଧଳାଜହର ଓ ଗଞ୍ଜେଇ ଛାତ୍ର କଂଗ୍ରେସ ପକ୍ଷରୁ “କ୍ୟାମ୍ପସ ଚଲୋ ଅଭିଯାନ” ର ଶୁଭାରମ୍ଭ