ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଳ୍ଲିକଙ୍କ ଦେହାନ୍ତ । ମୃତବେଳକୁ ତାଙ୍କ ୭୯ ବର୍ଷ ବୟସ ହୋଇଥିଲା ।ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ ଆଜି ପ୍ରାୟ ୧ଟା ସମୟରେ ସେ ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ପୀଡିତ ଥିଲେ। ତାଙ୍କ ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ମେ ୧୧ ତାରିଖରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ୨୦୧୭ ରୁ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ବିହାରର ରାଜ୍ୟପାଳ ଥିଲେ ସତ୍ୟପାଲ ମଲିକ। ତାଙ୍କୁ ୨୧ ମାର୍ଚ୍ଚ ୨୦୧୮ ରୁ ୨୮ ମଇ ୨୦୧୮ ପର୍ଯ୍ୟନ୍ତ ଓଡ଼ିଶାର ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ଜମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ସତ୍ୟପାଲ ମଲିକଙ୍କୁ ଗୋଆର ୧୮ତମ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ସେ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ମେଘାଳୟର ୨୧ତମ ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସୂଚନା ଯୋଗ୍ୟ; ୧୯୬୮-୬୯ ମସିହାରେ ସେ ମେରଠ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ସଭାପତି ଭାବରେ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ ଜୀବନର ଆରମ୍ଭ କରିଥିଲେ। ଏହାପରେ ରାଜନେତା ଭାବରେ ତାଙ୍କର ପ୍ରଥମ ପ୍ରମୁଖ କାର୍ଯ୍ୟକାଳ ୧୯୭୪-୭୭ ମଧ୍ୟରେ ଉତ୍ତର ପ୍ରଦେଶ ବିଧାନସଭାର ସଦସ୍ୟ ଭାବରେ ଥିଲା। ସେ ୧୯୮୦ ରୁ ୧୯୮୬ ଏବଂ ୧୯୮୬-୮୯ ପର୍ଯ୍ୟନ୍ତ ରାଜ୍ୟ ସଭାରେ ଉତ୍ତର ପ୍ରଦେଶର ପ୍ରତିନିଧିତ୍ୱ କରିଥିଲେ। ସେ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଜନତା ଦଳର ସଦସ୍ୟ ଭାବରେ ଆଲିଗଡ଼ରୁ ୯ମ ଲୋକସଭାର ସଦସ୍ୟ ଥିଲେ। Post navigation ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ ମହିଳା କମିଶନ ଅଧ୍ୟକ୍ଷା ହେଲେ ସୋଭନା ମହାନ୍ତି