ଭାଜପା ସଭାପତି ମନମୋହନ ସାମଲ ଏବେ ରାଜଧାନୀ ଦିଲ୍ଲୀରେ । ମଙ୍ଗଳବାର ସକାଳେ ପହଞ୍ଚିଛନ୍ତି। କେତେଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ତାଙ୍କର ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ପୂର୍ବକାଳୀନ ସଭାପତି ହେବା ପରେ – ଏହା ହେଉଛି ତାଙ୍କର ପ୍ରଥମ ଦିଲ୍ଲୀ ଆଗମନ ।

ତେବେ ମଙ୍ଗଳବାର ଦିନ ରାଜ୍ୟର ସବୁ ସାଂସଦଙ୍କ ସହ ତାଙ୍କ ବୈଠକକୁ ଅଧିକ ରାଜନୈତିକ ଗୁରୁତ୍ବ ଦିଆଯାଉଛି । ମନମୋହନଙ୍କ ସହ ବୈଠକରେ ଉପସ୍ଥିତ ଥିଲେ ପ୍ରଭାଗୀ ବିଜୟପାଲ ସିଂ ତୋମର ଏବଂ ସଂଗଠନ ସମ୍ପାଦକ ମାନସ ମହାନ୍ତି । ମନ୍ତ୍ରୀମାନଙ୍କୁ ଛାଡ଼ି ଦେଲେ ଲୋକସଭା ଓ ରାଜ୍ୟସଭାର ୧୮ ଭାଜପା ସାଂସଦ ଏହି ବୈଠକରେ ଥିଲେ । ନଥିଲେ ପୁରୀ ଓ ଢେଙ୍କାନାଳ ସାଂସଦ ଏବଂ ୩ କେନ୍ଦ୍ରମନ୍ତ୍ରୀ। ରାଜ୍ୟରେ ଭାଜପା ସରକାର ହେବା ପରେ ଏହା ଥିଲା ଏଧରଣର ପ୍ରଥମ ବୈଠକ। କିନ୍ତୁ ବୈଠକର ନିର୍ଯାସ ଥିଲା ଦଳ ପାଇଁ ଏକ ବଡ଼ ଚେତାବନୀ । ବୈଠକଟି କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ଘରେ ବସିଥିଲା ।

ଉପସ୍ଥିତ ପ୍ରାୟ ସବୁ ସାଂସଦ ଗୋଟିଏ ଅଭିଯୋଗ କରିଥିଲେ । ରାଜ୍ୟରେ ସରକାର ଠିକ ଭାବେ ଚାଲୁନାହିଁ । ସାଂସଦମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଦୌ ବିଶ୍ବାସକୁ ନେଉନାହାଁନ୍ତି । କୌଣସି ପ୍ରସଙ୍ଗରେ ସେମାନଙ୍କ ସହ ଆଲୋଚନା କରୁନାହାଁନ୍ତି । ଏଭଳି ଧାରା ଜାରି ରହିଲେ ଦଳ ପାଇଁ ବିପଦ ସୁନିଶ୍ଚିତ । ସବୁ ସାଂସଦ ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସରଳ ଓ ଭଲ ଲୋକ ବୋଲି କହିଥିଲେ । କିନ୍ତୁ ତାଙ୍କ ଦପ୍ତର ହିଁ ଦଳ, ନେତା ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ବଡ଼ ପାଚେରୀ ଠିଆ କରାଇଛି। କେତେଜଣ ସାଂସଦ ମଧ୍ୟ ଦର୍ଶାଇଥିଲେ ଯେ ନବୀନ ସରକାରଙ୍କ ଅମଳରେ ଜଣେ ସବୁ ନିଷ୍ପତ୍ତି ନେଇଥିଲେ। ଆଉ କାହା ପାଖକୁ ଧାଇଁବାର ଆବଶ୍ୟକ‌ତା ନଥିଲା । କିନ୍ତୁ ଏ ସରକାରରେ ୫ଜଣ ମାମଲତି କରୁଛନ୍ତି । କାହା ପାଖକୁ ଗଲେ କାମ ହେବ କେହି ଜାଣି ପାରୁନାହାନ୍ତି।

ଅଧିକାଂଶ ସାଂସଦ ଏକ ମତ ହୋଇଥିଲେ ଯେ ଏବେ ଏକାଧିକ ଗୋଷ୍ଠୀ ଭାଜପା ଭିତରେ ପରସ୍ପର ବିରୋଧରେ କାର୍ଯ୍ୟ କରୁଛି । ଏହା ବିଭ୍ରାନ୍ତି ଓ ସମସ୍ୟା ସୃଷ୍ଟି କରୁଛି। ଏହା ଦୂର ହେବା ଜରୁରୀ।

ଯେଉଁ ଆଶାଭରସା ସୃଷ୍ଟି ହୋଇଥିଲା ତାହା ଏବେ ଧିରେଧିରେ ଧୂର୍ମିଳ ପଡ଼ୁଛି ବୋଲି ସାଂସଦମାନେ କହିଥିଲେ । ସରକାରଙ୍କ ପ୍ରଶାସନିକ ବିଫଳତା କାରଣରୁ ପାଣ୍ଡିଆନ ଏବେ ବାହାରକୁ ଆସିବା ପାଇଁ ସୁଯୋଗ ପାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ୨୫ବର୍ଷ ପାଇଁ ଭାଜପା ଶାସନର ଯେଉଁ ସ୍ବପ୍ନ ଦେଖୁଛନ୍ତି, ଏଭଳି ଅବସ୍ଥା ଲାଗି ରହିଲେ ସେହି ସ୍ବପ୍ନ ମଧ୍ୟ ଅଧୁରା ରହିଯିବ ।

ସାଂସଦମାନେ ଦର୍ଶାଇଥିଲେ ଯେ, ଆଉ ଦେଢବର୍ଷ ପରେ ପଞ୍ଚାୟତ ନିର୍ବାଚନ । ତା’ପୂର୍ବରୁ ଅବ୍ୟବସ୍ଥା ସଜାଡ଼ି ବାକୁ ପଡ଼ିବ । ରଥଯାତ୍ରାରୁ ଆରମ୍ଭ କରି ଯେଉଁସବୁ ଘଟଣା ଘଟୁଛି ତାହା ଜନମାନସକୁ ପ୍ରଭାବିତ କରୁଛି । ସରକାର ଓ ସଂଗଠନ ଭିତରେ ଯଦି ସଭାପତି ସଠିକ ସମନ୍ବୟ ନରଖନ୍ତି ତେବେ ଏହା ବଡ଼ ବିପଦ ଘଟାଇବ ବୋଲି ସେମାନେ ମନମୋହନ ଏବଂ ବିଜୟପାଲଙ୍କୁ ଚେତାଇ ଦେଇଥିଲେ । ମନମୋହନ ସବୁ କଥା ଶୁଣିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏବାବଦରେ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟ ଗୋଟିଏ ସୂତ୍ରିରୁ ପ୍ରକାଶ ଯେ ନୂଆଦିଲ୍ଲୀ ବୈଠକ ପଛରେ ଆଉ ଏକ ପ୍ରଭାବଶାଳୀ ଗୋଷ୍ଠୀର ସଂଯୋଜନା ଥାଇପାରେ ବୋଲି ମନେକରାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ଆସନ୍ତା ୨୯ ତାରିଖ ଦିନ ନୂଆଦିଲ୍ଲୀ ଆସିବା ଅବସରରେ ଏମ୍‌ପିମାନଙ୍କୁ ଭେଟିପାରନ୍ତି ।

Leave a Reply

Your email address will not be published. Required fields are marked *