ସୋମ‌ବାର ସନ୍ଧ୍ୟାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୟ ମାଗିଥିବା ଅତ୍ୟନ୍ତ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ଏହି ସମୟରେ ଏଭଳି ସାକ୍ଷାତ ପାଇଁ ସମୟ ମାଗିବାକୁ ନେଇ ଅନେକ କଳ୍ପନା ଜଳ୍ପନା ମୁଣ୍ଡ ଟେକିଛି।

କିଛି ଦିନ ହେଲା ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣକୁ ନେଇ ଜୋରଦାର ଚର୍ଚ୍ଚା ଜାରି ରହିଛି । ଆଉ ଏହି ଚର୍ଚ୍ଚା ଭିତରେ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ବିଷୟ ଜଣାପଢିବା ଏକ ପ୍ରକାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଉପରେ ମୋହର ମାରିବାକୁ ସରକାର ଯାଉଥିବା କୁହାଯାଉଛି । ଯଦିଓ ଏ ସମ୍ପର୍କରେ ବିଶଦ ତ‌ଥ୍ୟ ଜଣାପଡିନି ତେବେ ସଙ୍କେତ ଅନେକ କିଛି ସୂଚାଉଛି ।

ଇତି ମଧ୍ୟରେ ଭାରତୀୟ ଜନତା ପାର୍ଟିକୁ ପୂର୍ଣ୍ଣ କାଳୀନ ସଭାପତି ଭାବେ ମିଳିସାରିଛନ୍ତି ମନମୋହନ ସାମଲ। ରାଜ୍ୟ ଭାଜପା ସଭାପତି ଏବଂ ମୁଖ୍ୟମନ୍ତ୍ରୀ ଉଭୟେ ନୂଆଦିଲ୍ଲୀ ଯାଇଥିଲେ ଏବଂ ଏକାଠି ଫେରିଥିଲେ । ଦିଲ୍ଲୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ବରିଷ୍ଠ ନେତାମାନଙ୍କୁ ମଧ୍ୟ ଭେଟିଥିଲେ। ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ବିଷୟରେ ଆଲୋଚନାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ । ତେବେ ଦୂଇ ମୋହନ ଏକାଠି ଦିଲ୍ଲୀ ଯିବା ଏବଂ ଏକାଠି ଫେରିବା ଚର୍ଚ୍ଚାକୁ ଇନ୍ଧନ ଯୋଗାଇଥିଲା। ବର୍ତ୍ତମାନ ବାଲେଶ୍ଵର ଛାତ୍ରୀ ଏବଂ ବଳଙ୍ଗା ନାବାଳିକାଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ଥିଲାବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ସହ ଏହି ପ୍ରସଙ୍ଗରେ ସୋମବାର ସନ୍ଧ୍ୟାରେ ଆଲୋଚନା କରିପାରନ୍ତି ବୋଲି ମଧ୍ୟ ସୂଚନା ମିଳିଛି ।

ଇତି ମଧ୍ୟରେ ସଂଘ ପକ୍ଷରୁ ବିଭିନ୍ନ ମନ୍ତ୍ରୀଙ୍କ କାର୍ଯ୍ୟ ଏବଂ ସେମାନଙ୍କ ଉପରେ ଥିବା ଜନତାଙ୍କ ଭାବନାକୁ ନେଇ ତଥ୍ୟ ସଂଗ୍ରହ କରାଯାଇଛି। ଲୋକଙ୍କ ଦ୍ବାରା ନେତାମାନେ କିପରି ଗ୍ରହଣୀୟ ହୋଇଛନ୍ତି, ତାର ମତାମତ ମଧ୍ୟ ସଂଘର ହସ୍ତଗତ ହୋଇଛି । ଗତ କିଛି ଦିନ ଧରି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଜୋରଦାର ଭିତିରି ଆଲୋଚନା ମଧ୍ୟ ହୋଇଥିବା ଜଣାପଡିଛି । ଆଉ ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିବା ସୂଚାଇ ଦେଉଛି ଯେ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଖୁବଶୀଘ୍ର।

ସୂଚନାଯୋଗ୍ୟ ଯେ, ନବନିର୍ବାଚିତ ଭାଜପା ସଭାପତି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ ୧୦ଦିନ ତଳୁ ସଙ୍କେତ ଦେଇସାରିଛନ୍ତି । ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମଧ୍ୟ ସମାନ ସଙ୍କେତ ଦେଇଥିଲେ । ବର୍ତ୍ତମାନ ଏକ ମନ୍ତ୍ରୀ ମଣ୍ଡଳର ଅସମ୍ପୂର୍ଣ୍ଣ ନେତୃତ୍ବ ନେଉଛନ୍ତି ମୁଖ୍ୟମନ୍ତ୍ରୀ। ୬ଟି ମନ୍ତ୍ରୀ ପଦ ଖାଲି ପଡିଛି , ଜଣେଜଣେ ମନ୍ତ୍ରୀ ଏକାଧିକ ବିଭାଗ ସମ୍ଭାଳୁଥିବାରୁ କାର୍ଯ୍ୟ ଚାପ ମଧ୍ୟ ବଢିଛି । କିଛି ମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ମଧ୍ୟ ଦେଖାଦେଇଛି। ତେଣୁ ପାରିପାର୍ଶ୍ବକ ରାଜନୈତିକ ସ୍ଥିତି ଓ ମହୋଲ ଭିତରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ସମୟ ମାଗିବା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗକୁ ଜୋର କରିଛି।

Leave a Reply

Your email address will not be published. Required fields are marked *