ସରକାର କହିଲେ କ’ଣ ବୁଝାଯାଏ ସେ ବିଷୟରେ ରାଜନୀତି ବିଜ୍ଞାନରେ ଲେଖା ଅଛି । ଆମେ ବି ପଢିଚୁ । କିନ୍ତୁ ଆମର ସେ ଧାରଣା ସମ୍ପୂର୍ଣ ବଦଳି ଗଲା ଗୋଟିଏ ତଥ୍ୟ ଯୋଗୁ। ସରକାର କହିଲେ ମୁଖ୍ୟମନ୍ତ୍ରୀ,ମନ୍ତ୍ରୀଙ୍କୁ ବୁଝାଏ ନାହିଁ । ଏଇମାନେ ହିଁ ସମ୍ବିଧାନ ଛୁଇଁ ଶପଥ ନେଇଥାନ୍ତି ସରକାର ଚଳାଇବାକୁ । ଅଫିସରମାନେ ଏମିତି ରାଜ୍ୟପାଳଙ୍କ ଦ୍ବାରା ଶପଥ ନେବାର କେବେ ଦେଖିନାହୁଁ । ଲୋକେ ବାଛନ୍ତି ପ୍ରତିନିଧି। ଦଳୀୟ ଶାସନ ବ୍ୟବସ୍ଥା ଅନୁଯାୟୀ ଯେଉଁ ଦଳର ବେଶୀ ପ୍ରତିନିଧି ନିର୍ବାଚିତ ହେବେ, ଯଦି ତାହା ସଂଖ୍ୟାଗରିଷ୍ଠତା ହାସଲ କରିବ ସରକାର ଗଠନ ପାଇଁ ସେହି ଦଳର ନିର୍ବାଚିତ ପ୍ରତିନିଧିମାନଙ୍କ ନେତା ହିଁ ମୁଖ୍ୟମନ୍ତ୍ରୀ ହୁଅନ୍ତି । ସେ ବାଛନ୍ତି ଅନ୍ୟ ମନ୍ତ୍ରୀମାନଙ୍କୁ। ମନ୍ତ୍ରୀମଣ୍ଡଳକୁ କୁହାଯାଏ ସରକାର।

କିନ୍ତୁ ଶଙ୍ଖ ଦଳରେ ଆଉ ଏକ ସରକାର କାମ କରୁଥିଲା ଦେଖି ଆମର ସବୁ ଜ୍ଞାନ ଶୂନ୍ୟରେ ଉଭେଇ ଗଲା । ନବୀନ ବାବୁ ଓ ତାଙ୍କ ମନ୍ତ୍ରୀମାନେ ସରକାର ନଥିଲେ । ସେମାନେ ସମସ୍ତେ ଜଣେ ଅଫିସରଙ୍କ ଅଧସ୍ଥନ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନିଷ୍ପତି ହିଁ ବେଦ । ସରକାର ତାକୁ ମାନିବାକୁ ବାଧ୍ୟ । ଏହି ବଡ଼ବାବୁ ହେଲେ ପାଣ୍ଡିଆନ। ଯାହାଙ୍କୁ ସବୁ କ୍ଷମତା ଟେକି ଦେଇ ବାବୁ ନବୀନ ନିଜ ଘରେ ବସି ଦାରୁ ନହେଲେ ଫାରୁ ପାନ କରୁଥିଲେ । ଏକ ବିଚିତ୍ର ସରକାର ଉଦଭବ ହେଇଥିଲା ୨୦୧୯ ପରେ। ଲୋକେ ବାଛିଲେ ଶଙ୍ଖ ଦଳକୁ । କିନ୍ତୁ ରାଜ୍ୟ ଚଳେଇଲେ ପାଣ୍ଡିଆନ ବାବୁ । ଲୋକଙ୍କ ପାଖରେ ନା ନେଣ ନା ଦେଣ। ଗୋଟିଏ ହେଲିକପ୍ଟର ଧରେଇ ଦିଆଗଲା। ସେ ବୁଲିବୁଲି ରାଜ୍ୟ ଶାସନ କଲେ।

ଶ୍ରୀମନ୍ଦିରର ଚାରି ଦୁଆରରୁ ତିନି ଦୁଆର ବନ୍ଦ ରହିଲା ୫ବର୍ଷ କାଳ । କୁହାଗଲା ସରକାରଙ୍କ ନିଷ୍ପତ୍ତି । ସୁଯୋଗ ଦେଲା କରୋନା । ପୁଣି କୁହାଗଲା ପରିକ୍ରମା ପ୍ରକଳ୍ପ ହବା କାରଣରୁ ସରକାର ବନ୍ଦ କରିଦେଲେ। ଆମେ ବି ଧରି ନେଇ ନେଇଥିଲୁ ଯେ, ଏହା ନବୀନ ବାବୁଙ୍କ ନିଷ୍ପତ୍ତି । ଯେହେତୁ ସେ ଓଡ଼ିଆ ଜାତିର ମଉଡମଣି, ସେହେତୁ କାହାରି ପାଟି ଫିଟିଲା ନାହିଁ । ଅବଶ୍ୟ ହାତ ଦଳିଆ ଦି’ଚାରି ଦିନ ପାଟିତୁଣ୍ଡ କରିଥିଲେ । ତା’ପରେ ସବୁ ତୁନିତାନି । ପଦ୍ମ ଦଳିଆ ବୁଝାମଣା ଭିତରେ ଥିଲା । ସେମାନେ ବି କେବେ ପାଟି ଫିଟାଇବା କେହି ଦେଖିନଥିଲେ।

ଏବେ ଜଣାପଡିଲା ଯେ, ତିନି ଦୁଆର ବନ୍ଦ ପାଇଁ ସରକାର କିଛି ନିଷ୍ପତ୍ତି ନେଇନଥିଲେ। ତା’ହେଲେ ମନ୍ଦିର ପ୍ରଶାସନ ତିନି ଦୁଆର ବନ୍ଦ କଲା କେମିତି ? ପୁଣି ଗଜପତି କେମିତି କହୁଚନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସରକାର ବନ୍ଦ କରିଥିଲେ । କାମ ସରିବା ପରେ ନୂଆ ସରକାର ଖୋଲିଲେ । ଦୁଆର ବନ୍ଦ ନିଷ୍ପତ୍ତି ତେବେ କାହାର ଥିଲା ? ଆଉ କାହାର ଥିବ ? ପାଣ୍ଡିଆନ ତ ହର୍ତ୍ତାକର୍ତ୍ତା। ଗଜପତି ବି ତାଙ୍କ ବୋଲକରା ହୋଇଯାଇଥିଲେ କି ? ଏକଥା ଭାବିଲା ବେଳକୁ ସରକାର କିଏ ବୋଲି ପ୍ରଶ୍ନ ମୁଣ୍ଡରେ ଗୋଳେଇଘାଣ୍ଟି ହେଉଛି।

Leave a Reply

Your email address will not be published. Required fields are marked *