ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ  ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ । ବ୍ରାହ୍ମ ମୂହୂର୍ତ୍ତରେ ସୂର୍ଯ୍ୟାଦୋୟବେଳେ ପବିତ୍ର ସ୍ନାନ କରିଛନ୍ତି ଶ୍ରଦ୍ଧାଳୁ ।  ଏହି ଦିନ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ ପକାଇଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି।

ସୋମବାର ଷଷ୍ଠୀ ରାତି ୯ଟା୪୫ରେ ତିନି ଠାକୁର ନିଜ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିଥିଲେ। ତିନିଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା ସହ କୋଣାର୍କ ଏନଏସି ମଣ୍ଡପ, ତହସିଲ କାର୍ଯ୍ୟାଳୟ,ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପୂଜାର୍ଚ୍ଚନା କରଯାଇଥିଲା। ରାତି ୪ଟା୩୫ରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଁଚିଥିଲେ ତିନି ଠାକୁର। ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ଶେଷ ପରେ ସପ୍ତମୀ ତୀଥିରେ ପବିତ୍ର ତୀର୍ଥ ଜଳରେ ତିନିଠାକୁର ସ୍ନାନ କରିଥିଲେ।

ସୂଚନା ଯୋଗ୍ୟ; ଶାମ୍ବ ଦଶମୀର ୨୭ ଦିନ ପରେ ମାଘ ସପ୍ତମୀ ପାଳନ ହୋଇଥାଏ । ଅଭିଶପ୍ତ ଶାମ୍ବ ପିତା ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶକ୍ରମେ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗାରେ ତପସ୍ୟା କରିଥିଲେ ଏବଂ ସୂର୍ଯ୍ୟପୂଜା ଆରମ୍ଭ କରିଥିଲେ । ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇବା ପାଇଁ ପୌଷମାସ ଦଶମୀଠାରୁ ମାଘ ମାସ ସପ୍ତମୀ ପର୍ଯ୍ୟନ୍ତ ତପସ୍ୟା କରିଥିଲେ । ଶାମ୍ବ ସୂର୍ଯ୍ୟପୂଜା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବା ସମୟରେ ଶାମ୍ବ ସୂର୍ଯ୍ୟଙ୍କର ମଣିବିଗ୍ରହ ପାଇଥିଲେ ଏବଂ ସ୍ୱୟଂ ସୂର୍ଯ୍ୟଦେବ ତାଙ୍କର ସେହି ମୂର୍ତ୍ତିକୁ ନେଇ ଚନ୍ଦ୍ରଭାଗା ନଦୀ ତୀରରେ ମନ୍ଦିର ନିର୍ମାଣ ପାଇଁ ଶାମ୍ବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତେଣୁ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ପବିତ୍ର ବୁଡ଼ ପକାଇଲେ ନିରୋଗ ରହିଥାଆନ୍ତି ବୋଲି ବିଶ୍ୱାସ ରହିଛି । ବିଳମ୍ବିତ ରାତ୍ରିରେ କୋଣାର୍କର ତିନି ଠାକୁର ତ୍ରିବେଣୀଶ୍ୱର, ଇଶାଣେଶ୍ୱର ଏବଂ ଦକ୍ଷିଣେଶ୍ୱର ତିନୋଟି ବିମାନରେ ବିଜେ କରି ଚନ୍ଦ୍ରଭାଗା ତୀର୍ଥସ୍ଥଳରେ ପହଞ୍ଚିଥିଲେ । ତିନି ଠାକୁର ତ୍ରିବେଣୀଶ୍ୱର, ଇଶାଣେଶ୍ୱର ଏବଂ ଦକ୍ଷିଣେଶ୍ୱର ମହାସ୍ନାନ କରିଥିଲେ । ଏହା ପରେ ଶ୍ରଦ୍ଧାଳୁଙ୍କର ପବିତ୍ର ସ୍ନାନ ଆରମ୍ଭ ହୋଇଥିଲା । ଏହା ପରେ ମହାଆଳତୀ କରାଯାଇଥିଲା ।

Leave a Reply

Your email address will not be published. Required fields are marked *