ପୂର୍ବତନ ମନ୍ତ୍ରୀ ତଥା ଝାରସୁଗୁଡାରେ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ମାମଲାରେ ପୁଣି ଥରେ ରାଜନୀତି ପାଣିପାଗ ସରଗରମ ହୋଇଛି । ହତ୍ୟାକାଣ୍ଡର ଦୀର୍ଘ ୨ ବର୍ଷ ପରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ଝିଅ ଦୀପାଳି ଦାସ । ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ପୂର୍ବ ସରକାର ତଦନ୍ତରେ ଯଦି ଦୀପାଳି ସନ୍ତୁଷ୍ଟ ନାହାଁନ୍ତି ଏବଂ ସିବିଆଇ ତଦନ୍ତ ଚାହୁଛନ୍ତି ବୋଲି ଲେଖିକି ରାଜ୍ୟ ସରକାଙ୍କୁ ଲିଖିତ ଭାବେ ଜଣାନ୍ତୁ । ଖାଲି ଗଣମାଧ୍ୟମ ଆଗରେ କହିଲେ ହେବନି । ଏଥିପାଇଁ ବିଧିବଦ୍ଧ ଭାବେ ଲିଖିତରୂପେ ଜଣାଇ ଦାବି କରନ୍ତୁ । ଲିଖିତଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ବିଚାର କରିବେ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ହେବ କି ନାହିଁ ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯିଏ ଗୁଳି କଲା, ସେ କାହିଁକି ମାରିଲା ତାର ଉତ୍ତର ପୂର୍ବ ସରକାରରେ ନ ଥିଲା । ପୂର୍ବର ବିଜେଡି ସରକାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରି ନବ ଦାସଙ୍କ ପରିବାରକୁ ଭୁଆଁ ବୁଲାଉଥିଲେ । ଦୀପାଳି ଲିଖିତ ଦାବି କରିବା ପରେ ନିଷ୍ପତ୍ତି ନିଆଯିବ ।

ବିଜେପି ସେତେବେଳେ ଆମେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲୁ । କିଏ ଗୁଳି କରିଥିଲା ଧରାଗଲା, କିନ୍ତୁ କାହିଁକି ହତ୍ୟା କରାଗଲା ତାହା ଜଣାପଡ଼ି ନ ଥିଲା । କ୍ରାଇମବ୍ରାଞ୍ଚ ତଥ୍ୟ ବାଟକୁ ବୁଲେଇ ବୁଲେଇ ନେଉଛି, ସତ୍ୟ ବାହାରିବ ନାହିଁ ବୋଲି ଆମେ ସେତେବେଳେ କହିଥିଲୁ । କିନ୍ତୁ ତତ୍କାଳୀନ ସରକାର ଶୁଣି ନ ଥିଲେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ସୂଚନା ଯୋଗ୍ୟ; ୨୦୨୩ ଜାନୁୟାରୀ ୨୯ ତାରିଖରେ ତତ୍କାଳୀନ କ୍ୟାବିନେଟ୍ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଦିନରେ ଭିଡ ଭିତରେ ବ୍ରଜରାଜନଗରର ଗାନ୍ଧୀ ଛକରେ ଗୁଳି କରି ହତ୍ୟା କରାଯାଇଥିଲା । ଏଏସଆଇ ଗୋପାଳ ଦାସ ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି କରି ନବ ଦାସଙ୍କୁ ହତ୍ୟା କରିଥିଲା । ତେବେ ପୋଲିସ ତୁରନ୍ତ ଗୋପାଳକୁ ଗିରଫ କରିଥିଲା । ଗୋପାଳ ନିଜର ଦୋଷ ସ୍ୱୀକାର କରିଥିଲେ ମଧ୍ୟ କିନ୍ତୁ ଏମିତି କାହିଁକି କରିବେ ତାହା ଜଣାପଡ଼ିନାହିଁ । ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ସିବିଆଇ ତଦନ୍ତ ପାଇଁ ଦାବି କରିଥିଲା । କିନ୍ତୁ ତତ୍କାଳୀନ ବିଜେଡ଼ି ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତଭାର ଦେଇଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ହେବା ପରେ ମଧ୍ୟ ସେ ରହସ୍ୟ ଆଜି ପର୍ଯ୍ୟନ୍ତ ସେମିତି ରହସ୍ୟରେ ହିଁ ରହିଗଲା ।

Leave a Reply

Your email address will not be published. Required fields are marked *