ଲୋକସଭାରେ ଆଖିମାରି ଚର୍ଚ୍ଚାର ଝଡ ସୃଷ୍ଟି କରିଥିଲେ ରାହୁଳ । ଏହା ଆଗରୁ ଗୋଟିଏ ଦକ୍ଷିଣୀ ଫିଲ୍ମରେ ଜଣେ ଛାତ୍ରୀ ଓ ଅନ୍ୟ ଜଣେ ସହପାଠୀଙ୍କ ଭିତରେ ଆଖି ମରାମରି ଭାଇରାଲ ହେଇଥିଲା । କିନ୍ତୁ ରାଜନୀତିରେ ସମସ୍ତେ ଦେଖିଲା ଭଳି ଆଖି ମରାଯାଏନି । ବେଳେବେଳେ ଲୋକଙ୍କୁ ବୁଝେଇବା ପାଇଁ ଧର୍ମକୁ ଆଖି ମରାଯାଏ । ଲୋକଙ୍କୁ କିନ୍ତୁ ଆଖି ମାରିବା ପାଇଁ ଧର୍ମକୁ ବାହାନାରେ ନିଅନ୍ତୁ ନେତା। ଠିକ ଯେମିତି ଶଙ୍ଖ ଦଳିଆ କରିଛନ୍ତି।

ଭୋଟ ସରିଲା ଜୁନ ୧ ତାରିଖରେ । ୪ ତାରିଖରେ ବାହାରିଲା ଫଳ। ଲୋକେ ସରକାର ଓଲଟେଇ ଦେଲେ । ପଦ୍ମଦଳିଆ ଭାବିନଥିଲେ ସରକାର ଗଢିବେ । ଶଙ୍ଖ ଦଳିଆ ଭାବିନଥିଲେ ସରକାରରୁ ବିଦା ହେଇଯିବେ । ଏଭଳି ଅବସ୍ଥାରେ ଜନତା ହିଁ ନେତାଙ୍କୁ ଆଖି ମାରିଥିଲେ । ଯିଏ ଯେମିତି ବୁଝିଲା । ଧିରେ ସେ ଝଟ୍‌କା ଜୋର ସେ ଲଗା। ଶଙ୍ଖ ଦଳିଆଙ୍କର ଚେତା ବୁଡିବା ଭଳି ଅବସ୍ଥା। ଭାବିଥିଲେ କ’ଣ ହେଲା କ’ଣ ! କାହିଁ ୧୧୭ କାହିଁ ୫୧।

ୟା’ଭିତରେ ପାଖାପାଖି ୭ମାସ ହେଇଗଲାଣି। ହଠାତ ଚେତା ଫେରିଲା ଶଙ୍ଖ ବଳିଆଙ୍କର। ଅଙ୍କଟଙ୍କ ଲଗେଇ ବାବୁ ଅମର ପଟନାୟକ ହିସାବ କରି ଜାଣିଲେ ଯେ, ଭୋଟରେ ଧନ୍ଦଲି ହେଇଯାଇଚି । ସରକାର ତାଙ୍କର ଥିଲା । ପ୍ରଶାସନ ବୋଲକରା ଥିଲା । ଏବେ ବି ଅଛି । କିନ୍ତୁ ସବୁକିଛି ଧୋକା ହେଇଗଲା ସେମାନଙ୍କ ସ‌ହ । ନହେଲେ ହାରିନଥାନ୍ତେ  । ମଜାର କଥା ହାତ ଦଳିଆଙ୍କ ପରି ଇଭିଏ ଭିଏମର ଦୋଷ ସିଧା ଦଉନାହାଁନ୍ତି । କିନ୍ତୁ ବୁଲେଇ ବଙ୍କେଇ କଂଗ୍ରେସକୁ ସୁହାଇଲା ଭଳି ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହେଇଛନ୍ତି । ଭୋଟ ଦବା ପରେ ଭିଭିପିଟି ଓ ଭୋଟ ସଂଖ୍ୟା ଭିତରେ କୁଆଡେ ତାଳମେଳ ରହୁନି । ଦି’ଟା ଉଦାହରଣ ସେମାନେ ଦେଇଚନ୍ତି । କଣ୍ଟାବାଞ୍ଜି ଓ କେନ୍ଦୁଝର । ବୁଝିଲା ଲୋକେ ଠିକ ବୁଝିଚନ୍ତି । କଣ୍ଟାବାଞ୍ଜିରେ ତାଙ୍କ ନେତା ହାରିଗଲେ । ସିଏମ ଚଉକି ଉପରେ ତାଙ୍କର ଜନ୍ମଗତ ଅଧିକାର ଅଛି ବୋଲି ଭାବି ଥିଲେ । କେନ୍ଦୁଝରରେ ଏମାନଙ୍କ ନେତା ଜିଣିଗଲେ। ଯଉଁ ଚଉକିରେ ସେମାନଙ୍କ ନେତା ବସୂଥିଲେ, ସେଇ ଚଉକିରେ ଏମାନଙ୍କ ନେତା ବସିଗଲେ । ବାବା କଥା ନୁହେଁ କି ?

୭ମାସ ପରେ ଅଭିଯୋଗ କାଗଜ ଧରି ଶଙ୍ଖ ନେତାମାନେ ପହଞ୍ଚିଚନ୍ତି କମିଶନଙ୍କ ପାଖରେ । କିଛି ଦିନ ଆଗରୁ କମିଶନ କହିସାରିଚନ୍ତି ଯେ, କିଛି ଅମେଳ କଉଁଠି ନାହିଁ । ଏହାପରେ ଏମାନେ କମିଶନଙ୍କ ପାଖକୁ ଯାଇ ଅଭିଯୋଗ କରିବା ଘଟଣାକୁ କ’ଣ ମନେକରାଯାଇପାରେ ? ଲୋକଙ୍କୁ ଆଖିଠାର ନା ପଦ୍ମଦଳିଆଙ୍କୁ ? ଏତେ ଡେରିରେ ନିଦ ଭାଙ୍ଗିବା ଲୋକଙ୍କର କଦାପି ହଜମ ହବନି ।

 

Leave a Reply

Your email address will not be published. Required fields are marked *