୨୦୧୯ ନିର୍ବାଚନ ପୂର୍ବରୁ ୨୦୧୮ ନଭେମ୍ବର ୬ ତାରିଖରେ ନବୀନ ସରକାର ଆରମ୍ଭ କରିଥିଲେ ମୋ ବସ୍ ଚଳାଚଳର ଶୁଭାରମ୍ଭ। ଭୁବନେଶ୍ବର, କଟକ, ପୁରୀ, ରାଉରକେଲା, ସମ୍ବଲପୁର ଏବଂ ବ୍ରହ୍ମପୁରରେ ପାଖାପାଖୁ ୪୦୦ ବସ୍ ଏହି ଜନ ପରିବହନ ବ୍ୟବସ୍ଥାରେ ସାମିଲ ହୋଇଥିଲା। କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା କୁଟ୍ ଅଧୀନରେ ଏହି ପରିବହନ ସେବା ଆରମ୍ଭ ହୋଇଥିଲା । କିନ୍ତୁ ଏବେ ଏହା ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା ଭଳି ହେଲାଣି। ଏଭଳି ଅବସ୍ଥା ଚାଲିବ କେତେଦିନ ? ବସ୍ ଭଡ଼ା ବାବଦକୁ ଯେତିକି ଆୟ ହେଉଛି, ବସ୍ ଚଳାଇଥିବା କମ୍ପାନୀକୁ ତା’ଠୁ ଯଥେଷ୍ଟ ଅଧିକ ଟଙ୍କା ଦେଉଛନ୍ତି ସରକାର। ଆର୍ଟିଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୧-୨୨ରେ ୩୫ କୋଟି ୫୫ ଲକ୍ଷ, ୨୦୨୨-୨୩ରେ ୭୪କୋଟି ୧୬ ଲକ୍ଷ ଏବଂ ୨୦୨୩-୨୪ରେ ୧୦୪ କୋଟି ୧୩ ଲକ୍ଷ ଟଙ୍କା ଭଡ଼ା ବାବଦରେ ମିଳିଥିଲା କୁଟ୍କୁ। ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଦୁଇଟି କମ୍ପାନୀ ମୋ ବସ୍ ଲାଗି ସେବା ଯୋଗାଇ ଆସୁଥିଲେ। ଏହି ଦୁଇଟି କମ୍ପାନୀ ହେଲା ନର୍ବଦା ଟ୍ରାଭଲ୍ସ ଏବଂ ଟ୍ରାଭଲ୍ ଟାଇମ୍ ରେଣ୍ଟ୍ରାଲ ପ୍ରା. ଲି । ୨୦୨୧- ୨୨ରେ ଏହି ଦୂଇ କମ୍ପାନୀ ପାଇଛନ୍ତି ୫୯ କୋଟି ୬୬ ଲକ୍ଷ ଟଙ୍କା। ଅର୍ଥାତ ଆୟଠାରୁ ଏହି ଦୁଇ କମ୍ପାନୀ ପାଇଛନ୍ତି ୨୭ କୋଟି ଟଙ୍କା ଅଧିକ । ୨୦୨୨-୨୩ରେ ଆଉ ଦୁଇଟି କମ୍ପାନୀ ବସ୍ ସେବା ଯୋଗାଇ ଦେଇଥିଲେ। ଏହି ତିନିଟି କମ୍ପାନୀ ସରକାରଙ୍କଠାରୁ ନେଇ ୧୦୯ କୋଟି ୩୭ ଲକ୍ଷ ଅର୍ଥାଚ ଆଗଠାରୁ ୩୫ କୋଟି ଟଙ୍କା ଅଧିକ । ୨୦୨୩- ୨୪ରେ ସରକାର ଦେଇଛନ୍ତି ୧୭୩ କୋଟ ୬୫ ଲକ୍ଷ ଟଙ୍କା | ଆୟ ମାତ୍ର ୧୦୪ କୋଟି। ଅର୍ଥାଚ ୬୮କୋଟିରୁ ଅଧିକ ଟଙ୍କା ପାଇଛନ୍ତି ଏହି ବସ୍ କମ୍ପାନୀଗୁଡ଼ିକ । ଆହୁରି ତାତ୍ପର୍ଯ୍ୟପୂର୍ଣ ଯେ ମୋ ବସ୍ ସେବା ବ୍ୟବସ୍ଥାରେ ସଂଶ୍ଳିଷ୍ଟ ସବୁ ବସ୍ କମ୍ପାନୀ ରାଜ୍ୟ ବାହାରର । ଓଡ଼ିଶା କମ୍ପାନୀଗୁଡ଼ିକର ସାମର୍ଥ୍ୟ ନଥିଲା ନା ନବୀନ ସରକାରଙ୍କର ଅତ୍ୟଧିକ ଅଣଓଡ଼ିଆ ପ୍ରୀତି ଯୋଗୁ ରାଜ୍ୟ ବାହାରର କମ୍ପାନୀଗୁଡ଼ିକର ବସ୍ ମୋ ବସ୍ ସେବାରେ ସାମିଲ ହେଲା ? ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ମୋ ବସ୍ର ଗୁରୁତ୍ୱପୂର୍ଣ ଭୂମିକା ଅଛି । ଏହା କେହି ଅସ୍ବୀକାର କରୁନାହାନ୍ତି । କିନ୍ତୁ ରାଜ୍ୟ ବାହାରର କମ୍ପାନୀଗୁଡ଼ିକ ପ୍ରତି ନବୀନ ସରକାରଙ୍କର କାହିଁକି ଥିଲା ଏତେ ଉଦାର ଭାବ ? ଏଭଳି ଅନୁଗ୍ରହ ଓଡ଼ିଆ ବସ୍ ମାଲିକଙ୍କୁ ଦେଇଥିଲେ କ’ଣ ଅଡୁଆ ହୋଇଥାନ୍ତା ? ଯଦି ଭଡ଼ାରୁ ମିଳୁଥୁବା ଅର୍ଥ ତୁଳନାରେ ସରକାର ପୈଠ କରୁଥିବା ଅର୍ଥ ଏତେ ଅଧିକ, ତେବେ ଅଣଓଡ଼ିଆ କମ୍ପାନୀ ପ୍ରୀତି ବଳରେ ଓଡ଼ିଆ କମ୍ପାନୀ ପ୍ରୀତି କାହିଁକି ଦେଖାଇ ନଥୁଲେ ନବୀନ ସରକାର ? Post navigation ବାଙ୍ଗିରୀପୋଷୀରେ ରେଳ ପ୍ରକଳ୍ପ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ ଛତୁଆ ଅପ୍ରମିଶ୍ରଣ ମାମଲାରେ ୬୩ ଜଣଙ୍କୁ ଦିଆଯାଇଛି ଏସଡ଼ିପିଓ ଓ ସୁପରଭାଇଜରଙ୍କୁ ଦିଆଯାଇଛି ନୋଟିସ୍