ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ମାସରେ ବିଧାନସଭାରେ ଯେଉଁ କମ୍ପାନୀକୁ କଳା ତାଲିକା ଭୁକ୍ତ ହୋଇଥିବା ସୂଚନା ଦେଇଥିଲେ, ସେହି କମ୍ପାନୀକୁ ରାଜ୍ୟ ସରକାର ଅକ୍ଟୋବର ମାସରେ ୩୦୦ କୋଟି ଟଙ୍କାର କାମ ଦେଇଛନ୍ତି, ଯାହା ବିଜେପି ସରକାରଙ୍କ ଦୁର୍ନୀତିକୁ ପଦାକୁ ଆଣୁଛି ବୋଲି ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି କହିଛନ୍ତି । ଦୁଃଖ ଓ ପରିତାପର ବିଷୟ ଯେ, ଏହି କଳା ତାଲିକା ଭୁକ୍ତ କମ୍ପାନୀକୁ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦିଷ୍ଟ, ଆଶ୍ରମ ସ୍କୁଲର ପାହ୍ୟା ବୃଦ୍ଧି ପାଇଁ ଓ ଜନଜାତି ଐତିହ୍ୟ ଓ ସ୍ଵାଭିମାନ ଭବନ ନିର୍ମାଣ ପାଇଁ ଏହି କାମ ଦିଆଯାଇଛି । ଲେନିନ ମହାନ୍ତି କହିଛନ୍ତି ଯେ, ଅଗଷ୍ଟ ୨୨ ତାରିଖରେ ସୁନ୍ଦରଗଡ଼ ସଦର ବିଧାୟକ ଯୋଗେଶ କୁମାର ସିଂଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଥିଲେ ଯେ, ୱାପକୋସ ଲିମିଟେଡ଼କୁ ପତ୍ର ସଂଖ୍ୟା ୧୧୨୯/ ଡିଏମଏଫ ମାର୍ଚ୍ଚ ୪ ତାରିଖରେ କଳା ତାଲିକା ଭୁକ୍ତ କରି କାର୍ଯ୍ୟରୁ ଅନ୍ତର କରି ଦିଆ ଯାଇଥିଲା । ଉଲ୍ଲେଖଯୋଗ୍ୟ, ଏହି କମ୍ପାନୀକୁ ସୁନ୍ଦରଗଡ଼ ସହରର ମଧ୍ୟ ଭାଗରେ ଥିବା ବିଜୁଳି ବନ୍ଧ (ପୋଖରୀର) ସୌନ୍ଦର୍ଯ୍ୟକରଣ ପାଇଁ ଡିଏମଏଫ ତରଫରୁ ୩ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା କାମ ଓ୍ୱାପକୋସ ଦ୍ୱାରା ସମ୍ପାଦନା କରାଯାଉଥିଲା। ଏହି କାର୍ଯ୍ୟରେ ଅଗ୍ରଗତି ନହେବାରୁ କମ୍ପାନୀକୁ ବାରମ୍ବାର ତାଗିଦ କରାଯାଇଥିଲା, କିନ୍ତୁ ତା ସତ୍ତ୍ବେ କାମରେ ଅଗ୍ରଗତି ହୋଇ ନଥିବା ଯୋଗୁଁ କମ୍ପାନୀକୁ କଳା ତାଲିକା ଭୁକ୍ତ କରାଯାଇଥିଲା । ଗତ ଅଗଷ୍ଟ ମାସରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯେଉଁ କମ୍ପାନୀ କଳା ତାଲିକା ଭୁକ୍ତ ହୋଇଥିବା ସୂଚନା ଦେଇଥିଲେ, ସେହି କମ୍ପାନୀକୁ ଅକ୍ଟୋବର ମାସରେ ୩୦୦ କୋଟି ଟଙ୍କାର କାମ କରିବାକୁ କିପରି ଯୋଗ୍ୟତା ପାଇଲା ବୋଲି ଲେନିନ ମହାନ୍ତି ପ୍ରଶ୍ନ କରିଥିଲେ। ଓଡିଶା ସରକାରଙ୍କ ଏସସି/ଏସଟି ଡେଭେଲପମେଣ୍ଟ ବିଭାଗ ପକ୍ଷରୁ ଚିଠି ନମ୍ବର ୨୧୬୨୬, ଅକ୍ଟୋବର ୧୯ ତାରିଖ ଦିନ ସ୍ୱାପକୋସ ଲିମିଟେଡ଼କୁ ରାଜ୍ୟର ଆଶ୍ରମ ସ୍କୁଲ ଗୁଡିକର ପାହ୍ୟାବୃଦ୍ଧି ପାଇଁ ୧୭୮ କୋଟି ଟଙ୍କାର କାମ ଦିଆଯାଇଛି। ସେହି ବିଭାଗର ଚିଠି ନମ୍ବର ୨୧୪୨୬, ଅକ୍ଟୋବର ୧୦ ତାରିଖ ଦିନ ପକୋସ ଲିମିଟେଡ଼କୁ ଜନଜାତି ଐତିହ୍ୟ ଓ ସ୍ଵାଭିମାନ ଭବନ ନିର୍ମାଣ ପାଇଁ ପ୍ରାୟ ୧୫୦ କୋଟି ଟଙ୍କାର କାମ ଦିଆଯାଇଛି। ତେଣୁ, ରାଜ୍ୟବାସୀଙ୍କ ତରଫରୁ ସରକାରଙ୍କୁ ପ୍ରଶ୍ନ କେଉଁ ପରିସ୍ଥିତିରେ ମାତ୍ର ଛଅ ମାସ ତଳେ କଳା ତାଲିକା ଭୁକ୍ତ ହୋଇଥିବା କମ୍ପାନୀ ୩୦୦ କୋଟି ଟଙ୍କାର କାମ କରିବାକୁ ଯୋଗ୍ୟତା ହାସଲ କଲା ? ରାଜ୍ୟ ସରକାରଙ୍କ କଳା ତାଲିକା ଭୁକ୍ତ କମ୍ପାନୀ ପ୍ରତି ଅନୁକମ୍ପାରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡ଼ୁଛି ବୋଲି ଲେନିନ ମହାନ୍ତି କହିଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ, ଏକ ଅରାଜକତା ସ୍ପଷ୍ଟ ପରିଲକ୍ଷିତ ହେଉଛି । ଓଡ଼ିଆ ଅସ୍ମିତା ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଜଣେ ଓଡ଼ିଆ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଓ ଜୋତାରେ ଛେପ ପକାଇ ତାକୁ ଚାଟିବାକୁ କହିବା ଘଟଣାରେ ଓଡିଶା ସରକାରଙ୍କ ତଦନ୍ତ ବାଟବଣା ହୋଇଯାଇଛି । ପନ୍ଦର ଦିନରେ ତଦନ୍ତର ରିପୋର୍ଟ ଜିଲ୍ଲାପାଳ ଦେବେ ବୋଲି ସରକାର କହିଥିଲେ, କିନ୍ତୁ ଛଅ ମାସ ବିତି ଯାଇଥିଲେ ସୁଦ୍ଧା ରିପୋର୍ଟର ଚିହ୍ନବର୍ଣ୍ନ ନାହିଁ । ଏହି ସମ୍ବନ୍ଧରେ, ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସରକାର ତଥ୍ୟ ସଂଗ୍ରହ ଚାଲିଛି ବୋଲି କହିଛନ୍ତି, ଯାହା ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି। ସେହିପରି, ଆମ୍ବ ଟାକୁଆ ଜାଉ ଖାଇ ତିନି ମହିଳାଙ୍କ ମୃତ୍ୟୁ ଘଟଣାରେ, ସେ ଅଞ୍ଚଳରେ ଏହି ଘଟଣା ପୂର୍ବରୁ ରାସନ ଦିଆଯାଇଥିଲା କି ନାହିଁ ବୋଲି ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ସରକାର କହିଛନ୍ତି, ତଥ୍ୟ ସଂଗ୍ରହ ଚାଲିଛି, ଯାହା କେବଳ ସତ୍ୟକୁ ଲୁଚାଇବା ପାଇଁ ଅପଚେଷ୍ଟା ବୋଲି ଲେନିନ ମହାନ୍ତି କହିଛନ୍ତି । Post navigation ଅତ୍ୟାବଶ୍ୟକ ଜିନିଷର ଦରଦାମ ପ୍ରଶ୍ନର ଉତ୍ତର ରଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ