ଉପଯୁକ୍ତ ଭିତ୍ତିଭୂମି ସହ ଏକ ଅତ୍ୟାଧୁନିକ ସହରରେ ନିର୍ମାଣ ପାଇଁ ଭୁବନେଶ୍ବର ଠାରୁ ୨୦ କିମି ଦୂରରେ ବିଡିଏ ପ୍ରସ୍ତୁତ କରିବାକୁ ଯାଉଛି ଏକ ନୂତନ ସହର । ପ୍ରଥମ ଥର ପାଇଁ ବିଡିଏ ଏଭଳି ଏକ ‘ପ୍ଲାନ୍‌ଡ୍‌ ସିଟି’ ପ୍ରସ୍ତୁତ କରିବାକୁ ଯାଉଛି। ଏହାର ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ ହୋଇସାରିଛି । ମଳିପଡ଼ା, ଗୋଠପାଟଣା ଓ ଦାସପୁର ଗ୍ରାମରେ ଚିହ୍ନଟ ହୋଇଥିବା ୮୨୧.୯୬୪ ଏକର ଜାଗାରେ ବିଡିଏ ଏହି ସିଟି ନିର୍ମାଣ କରିବାକୁ ଯାଉଛି । ଏହି ଜାଗାକୁ ସୁରକ୍ଷିତ କରିବା ପାଇଁ ୭ କୋଟି ଟଙ୍କାରେ ପ୍ରାୟ ୧୦ କିମି ଲମ୍ବା ପାଚେରି ତିଆରି ହେଉଛି।

ବିଡିଏ ସମୁଦାୟ ୮୨୧.୯୬୪ ଏକର ଜମିର କିସମ, ଘରୋଇ ମାଲିକାନା ଓ ସରକାରୀ ଜମି କେଉଁ ବିଭାଗ ଅଧୀନରେ ଅଛି ତାହା ଚିହ୍ନଟ କରିଛି। ମଳିପଡ଼ା ରାଜସ୍ବ ଗ୍ରାମରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ(ଓଏସ୍‌ଏଚ୍‌ବି)ର ୨୮.୫୦୦ଏକର ଜମି ରହିଥିବା ବେଳେ ଗୋଠପାଟଣାରେ ଜଙ୍ଗଲ ଜମି ୧୯୪ଏକର, ସରକାରୀ ଜମି ୩୬ଏକର, ଇଡ୍‌କୋର ୭୯ଏକର, ବିଡିଏର ୯୬ ଏକର ଓ ଘରୋଇ ଜମି ୨୧.୯୯୨ ଏକର ରହିଛି। ଘରୋଇ ଜମି ସିଧାସଳଖ କିଣାଯିବା ପାଇଁ ଯୋଜନା ହୋଇଛି। ସେହିଭଳି ଦାସପୁରରେ ୨୧୫.୭୪୩ ଏକର ରହିଥିବା‌ ବେଳେ ୧୦୩. ୩୫୦ଏକର ଗୋଚର ଓ ୨୯. ୫୧୦ଏକର ଜଙ୍ଗଲ ଜମି ରହିଛି। ବାକି ୫. ୦୭୧ଏକର ଘରୋଇ ଜମି ରହିଛି। ଏଭଳି ମୋଟ ୨୭ ଏକର ଘରୋଇ ଜମି ରହିଛି।

ଏହି ନୂଆ ସହରରେ ସହରୀ ବନ୍ୟା ଓ ବସ୍ତିକୁ ଗୁରୁତ୍ବର ସହ ନିଆଯାଇଛି। କୌଣସି ପରିସ୍ଥିତିରେ ବର୍ଷା ହେଲେ ଯେଭଳି ସହରରେ ପାଣି ରହିବ ନାହିଁ ଓ ଗୋଟିଏ ହେଲେ ବସ୍ତି ଗଢ଼ି ଉଠିବ ନାହିଁ ସେ ନେଇ ଯଥେଷ୍ଟ ଯତ୍ନ ନେବାକୁ ଯୋଜନା ହୋଇଛି। ସହରୀ ବନ୍ୟା ପରିସ୍ଥିତି ରୋକିବା ପାଇଁ ଭୂତଳ ନଳା ପ୍ରସ୍ତୁତ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ନିର୍ମାଣ ପ୍ରକଳ୍ପ ସହ ଚଉଡ଼ା ରାସ୍ତା, ବାଣିଜ୍ୟିକ ପ୍ରତିଷ୍ଠାନ, ଶିକ୍ଷା ପ୍ରତିଷ୍ଠାନ, ହସ୍‌ପିଟାଲ୍‌ ସହ ଚିତ୍ତ ବିନୋଦନ ପାଇଁ ସମସ୍ତ ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *