ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟ ସରକାର ଗଜ ସାଥୀ ଏବଂ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଦଳ ସମେତ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏଥିରେ ବ୍ରେକ୍ ନ ଲାଗି ଦିନକୁ ଦିନ ହାତୀଙ୍କ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗୁଛି । ଚଳିତ ବର୍ଷ ଓଡ଼ିଶାରେ ୫୦ ରୁ ଅଧିକ ହାତୀ ଅପମୃତ୍ୟୁର ଶିକାର ହୋଇଥିବା ରିପୋର୍ଟ ଅନୁସାରେ ଜଣାପଡ଼ିଛି । ରିପୋର୍ଟ ପରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟଣାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଏନେଇ ଆଜି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସେସର ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡି ଅନୁସାରେ, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ । କିନ୍ତୁ ଏବେ ୪୦୦ ହାତୀ ଅଧିକ ଅର୍ଥାତ୍ ୨୧ ଶହ ହାତୀ ଅଛନ୍ତି । ସୁଶାନ୍ତ ନନ୍ଦ କହିଛନ୍ତି ଓଡିଶାରେ ହାତୀଙ୍କ ପାଇଁ ଜାଗାର ଅଭାବ ଥିବାରୁ ଖାଦ୍ୟ ଅନ୍ବେଷଣରେ ହାତୀମାନେ ଗାଁ ମୁହାଁ ହେଉଛନ୍ତି । ଖାଦ୍ୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବି ମଧ୍ୟ କମୁଛି । ଫଳରେ ହାତୀମାନେ ଅଧିକ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଥିସହିତ ବିଦ୍ୟୁତ ଆଘାତ ଓ ଟ୍ରେନ୍ ଦୁର୍ଘଟଣାରେ ମଧ୍ୟ ଅନେକ ହାତୀଙ୍କ ଜୀବନ ଯାଉଛି । ସେ ଆଉ କହିଛନ୍ତି, ଏବେ ରାଜ୍ୟକୁ ଝାଡଖଣ୍ଡ ଓ ଛତିଶଗଡରୁ ହାତୀ ଆସୁଛନ୍ତି । ରାଜ୍ୟରେ ହାତୀଙ୍କ ବାସ୍ତବ ସଂଖ୍ୟା ଜାଣିବାକୁ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ହାତୀ ଗଣନା କରାଯିବ । ଏବେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ପୂର୍ଣ୍ଣମୀ ରାତିରେ ସେମାନଙ୍କର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ସେମାନଙ୍କ ଗଣନା କରାଯିବ । Post navigation ଓଡିଶା ରେ ଅନୁଷ୍ଠିତ ହେବାକୁ ଯାଉଛି ‘ଶ୍ରୀ ଅନ୍ନ ସମ୍ମିଳନୀ’ ; କେ ଭି ସିଂ ଦେଓ ହିତାଧିକାରୀଙ୍କୁ ୧୫ କିଲୋ ଲେଖାଏ ତିନିମାସର ଆଗୁଆ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ