କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ।ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ବାୟୁମଣ୍ଡଳର ଉପରି ଭାଗରେ ଏହା ୫.୮ କିମି ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି। ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୧ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହାପରେ ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୩ ତାରିଖରେ ଅବପାତରେ ପରିଣତ ହୋଇପାରେ । ବର୍ତ୍ତମାନ ଓଡିଶା ଉପରେ ଏହାର ପ୍ରଭାବ ନାହିଁ । ଆଣ୍ଡାମାନ ସାଗର ଓ ନିକଟବର୍ତ୍ତି ଅଞ୍ଚଳରେ ବର୍ଷା ସହ କୋହଲା ପାଗ ସୃଷ୍ଟି କରିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଧିରେ ଧିରେ ବଙ୍ଗୋପସାଗର ଅଶାନ୍ତ ହେବା ସହ ପବନ ବେଗ ବଢିବ । ୨୩ ତାରିଖ ବେଳକୁ ପବନର ବେଗ ଘଣ୍ଟାପ୍ରତି ୪୫ ରୁ ୫୫ କିମି ହୋଇପାରେ । କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୬୫ କିିମି ପର୍ଯ୍ୟନ୍ତ ଘଣ୍ଟା ପ୍ରତି ପବନର ବେଗ ରହିପାରେ । ସମୁଦ୍ର ଅଶାନ୍ତ ରହିଥିବାରୁ ୨୨ ତାରିଖରୁ ୨୫ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ତେବେ ଏଯାଏଁ ବାତ୍ୟା ଉପରେ କୌଣସି ଆକଳନ କରାଯାଇନଥିବାବେଳେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି। ତେବେ ଏହା କେଉଁଠି ସ୍ଥଳଭାଗ ଅତିକ୍ରମ କରିବ ଓ ଏହାର ରୂପରେଖ କେତେ ତୀବ୍ରତର ହେବ ସେ ନେଇ ଏବେ ସ୍ପଷ୍ଟ ହୋଇପାରିନି। ସେତେବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ବି ବର୍ଷାର ପରିମାଣ ଅଧିକ ରହିପାରେ ବୋଲି ପୁର୍ବାନୁମାନ ହୋଇଛି।

Leave a Reply

Your email address will not be published. Required fields are marked *