ବିଶ୍ବରାଜ ନାୟକଙ୍କ କଲମରୁ: ଆମେ ଯେଉଁ ଶାରଦୀୟ ପର୍ବକୁ ଦୁର୍ଗାପୂଜା, ଦଶହରା କହୁ, ଗାଁ ଗହଳିରେ ଏହାକୁ କୁହାଯାଏ ଗୋଷାଣୀ ଯାତ୍ରା। ମାର୍କଣ୍ଡେୟ ପୁରାଣ କୁହେ ଚେଦୀ ବଂଶୀୟ କଳିଙ୍ଗ ରାଜା ଖ୍ରୀଷ୍ଟ ପୂର୍ବ ୩୦୦ ଶତାବ୍ଦୀରେ ପାଳନ କରୁଥିଲେ ଦୁର୍ଗା ପୂଜା। ବୋଧ ହୁଏ ଅନ୍ୟ କୌଣସି ରାଜ୍ୟ ସମ୍ବନ୍ଧରେ ଏ ପ୍ରକାରର ଉଲ୍ଲେଖ କୌଣସି ପୁରାଣରେ ନ ଥିବ। ପ୍ରଥମେ ରାଜା, ଜମିଦାର, ଓ ଅନ୍ୟାନ୍ୟ ଧନୀକ ଶ୍ରେଣୀର ବ୍ୟକ୍ତିବିଶେଷ ଦୁର୍ଗା ପୂଜା ପାଳନ କରୁଥିଲେ।ଆଧୁନିକ ସାର୍ବଜନୀନ ପୂଜା, ଯେଉଁଥିରେ ସର୍ବସାଧାରଣ ଭାଗ ନେଲେ ଓ ଯୋଗ ଦେଲେ, ପ୍ରଥମେ ଆରମ୍ଭ ହେଲା ଓଡ଼ିଶାରେ ୧୮୩୨ ମସିହାରେ। ଦୁର୍ଗା ପୂଜା ଆମ ସାମାଜିକ ଜୀବନର ଏକ ଅଂଶ ପାଲଟିଲା।ଇତିହାସ କୁହେ ଏ ସାର୍ବଜନୀନ ପୂଜା ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିଲା ୧୯୨୬ ରେ। ରଥ ଯାତ୍ରା, ରଜ ଓ ଦୁର୍ଗା ପୂଜା – ଆମର ଖାଣ୍ଟି ଓଡ଼ିଆ ପୂଜା । ଓଡ଼ିଆଙ୍କ ପରିଚୟ। ଓଡ଼ିଆଙ୍କ ଚଳଣି , ସଂସ୍କୃତିର ସ୍ବାକ୍ଷର। ପ୍ରଥମାଷ୍ଟମୀ, ମାଣବସା, ଚିତଉ ଅମାବାସ୍ୟା- ଏପରି ଅନେକ ଷୋଳଅଣା ଓଡ଼ିଆ ପର୍ବ ଥିବା ସତ୍ତ୍ବେ, ଏ ତିନୋଟି ପର୍ବ ଆମର ସଦା ପ୍ରତିକ୍ଷୀତ। ଆଉ ଏ ତିନୋଟି ଯାକ ପର୍ବ ନାରୀ କୈନ୍ଦ୍ରିକ। ଯେଉଁ feminism କଥା ପାଶ୍ଚାତ୍ୟ ଦେଶ ଏଇ ଗତ ଶତାବ୍ଦୀରେ ଉଠାଇଲେ, ଆମେ ଓଡ଼ିଆ ତାହାକୁ ପର୍ବ ମାଧ୍ୟମରେ ଯୁଗ ଯୁଗ ଧରି ପାଳି ଆସୁଛୁ। ଋତୁସ୍ରାବ ଆଜି ମଧ୍ୟ ଅନେକ ସଂସ୍କୃତିରେ ଏକ ନିଷିଦ୍ଧ ଶବ୍ଦ ଥିବା ବେଳେ, ଆମେ ଏହା ସମ୍ମାନରେ ରଜ ପାଳି ଆସୁଛୁ। ରଥ ଯାତ୍ରାରେ ସୁଭଦ୍ରାଙ୍କୁ ସାଙ୍ଗରେ ଜନ୍ମ ବେଦୀକୁ ନେବା, ହେରା ପଞ୍ଚମୀ, ମା ଲକ୍ଷ୍ମୀଙ୍କ ରୋଷ ଘର ଯିବା, ରଥ ଦକ୍ଷିଣ ମୋଡା ହେବା, ମାଉସୀ ହାତରୁ ପୋଡ ପିଠା ଖାଇବା ଓ ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ କାଳିଆ ଖଣ୍ଡୁଆ ପାଟ ଆଣିବା ପ୍ରଥା ମନେ ପକାନ୍ତୁ। କି ସୁନ୍ଦର ଭାବେ ନାରୀଙ୍କ ପ୍ରତିଟି ରୂପ ଓ ସମ୍ପର୍କକୁ ପ୍ରାଧାନ୍ୟ ଦିଆ ଯାଇଛି। ଦୁର୍ଗା ପୂଜା ଯେ ‘ନାରୀ ଶକ୍ତି’ର ପୂଜା- ଏ ସମ୍ପର୍କରେ ଲେଖିବାର କୌଣସି ଆବଶ୍ୟକତା ନାହିଁ। ଆଉ ଗୋଟେ ବଡ଼ କଥା ହେଲା, ଆମର ଏ ସମସ୍ତ ପର୍ବ ଆମ ସମାଜର ପ୍ରତିଟି ଶ୍ରେଣୀ ଓ ବର୍ଗକୁ ପକ୍ଷଭୁକ୍ତ କରେ, ସମାନତାର ଶିକ୍ଷା ଦିଏ। ଏଠି ନା ଥାଏ ବୈଷମ୍ୟ, ନା ଥାଏ ବର୍ଗୀକରଣ ନା ଥାଏ ବିଭାଜନ। ଗଣ ମାଧ୍ୟମ ଯେଉଁ ସିନ୍ଦୂର ଖେଳକୁ ଦି ବର୍ଷ ହେଲା ଲୋକପ୍ରିୟ କରୁଛନ୍ତି, ତାହା ନାରୀ ମାନଙ୍କୁ ସଧବା, ବିଧବା ଓ ଅବିବାହିତରେ ବିଭକ୍ତ କରେ। ଦାଣ୍ଡିଆ ନାଚ ପାଇଁ ଆବଶ୍ୟକ ଅର୍ଥ ଓ ଆର୍ଥିକ ସାମର୍ଥ୍ୟ ଦ୍ଵାରା ବ୍ୟକ୍ତି ବିଶେଷ ପାଏ ପ୍ରବେଶ ଅଧିକାର। କିନ୍ତୁ ବହୁ କୋଟିର ଖର୍ଚ୍ଚ ଦ୍ଵାରା ତିଆରି ହୋଇଥିବା ଝାରପଡ଼ା ତୋରଣ ବୁଲିବାକୁ ଧନୀ, ନିର୍ଦ୍ଧନ – ଉଭୟେ ଯାଇ ପାରନ୍ତି ଅନାୟାସରେ, ନିର୍ଦ୍ବନ୍ଦ୍ବରେ। ଆଃ, କି ସୁନ୍ଦର୍ ସାଂସ୍କୃତିକ ସଂରଚନା ଆମର । ଆସନ୍ତୁ ଆଲୋଚନା କରିବା ଓଡ଼ିଶାରେ ଲୋକପ୍ରିୟ ହେଉଥିବା ଦାଣ୍ଡିୟା ନାଚକୁ ଅନ୍ୟ ଏକ ଦୃଷ୍ଟି କୋଣରୁ।”Condom and contraceptive sale goes up in Gujarat during Garba!” ଏ ଖବର ଅନେକ ପଢ଼ିଥିବେ। ଯେଉଁ ମାନେ ଦାଣ୍ଡିୟା ଖେଳିବାକୁ ଉତ୍ସାହୀ ଅଛନ୍ତି, ସେମାନଙ୍କୁ ପ୍ରଶ୍ନ, ” ମା ଦୁର୍ଗା ଆମ ପାଇଁ ମାତୃତ୍ଵର ପ୍ରତୀକ, ନାରୀ ଶକ୍ତିର ସନ୍ତକ। ନାରୀ ଆମ ପାଇଁ ଭୋଗ୍ୟ ନୁହେଁ, ପୂଜ୍ୟ – ଏହାର ସ୍ମାରକ। ତେବେ ଆପଣମାନେ କଣ ଚାହୁଁଛନ୍ତି ଯେ କିଛି ବର୍ଷ ପରେ ଓଡ଼ିଆ ଖବର କାଗଜରେ ପ୍ରକାଶ ପାଉ ଏ ଖବର ? କେହି ଜଣେ ଲେଖୁ ଯେ ମା ଦୁର୍ଗାଙ୍କ ପୂଜା ଆଳରେ ବଢ଼ି ଯାଇଛି କଣ୍ଡମ ଓ ଗର୍ଭ ନିରୋଧକ ବିକ୍ରି ! ଆମ ସମସ୍ତଙ୍କ ଘରେ ଛୋଟିଆ ପିଲା। ଚିନ୍ତା କରନ୍ତୁ, ମହାନ୍ ଓଡ଼ିଆ ସଂସ୍କୃତିକୁ ସୁଦୃଢ଼ କରି ତା ହାତରେ ସମର୍ପି ଦେବା ନା ଆମ ପୁଅ/ଝିଅଙ୍କୁ ନାରୀକୁ ଅସମ୍ମାନ କରି, ଭୋଗ୍ଯା ଭାବେ, ବିପଣନ ସାମଗ୍ରୀ ଭାବେ ଗ୍ରହଣ କରିବାର ଶିକ୍ଷା ଦେବା? ” ଟିଭି ଚ୍ୟାନେଲ ମାନେ ବି ମାତିଛନ୍ତି ଦାଣ୍ଡିଆ ଓ ସିନ୍ଦୁର ଖେଳ ଉପରେ । ଦହି ପଖାଳ ଠାରୁ ମାଂସ ଭୋଜି ଯାଏଁ, ଅନେକ ବିଚିତ୍ର ପରମ୍ପରା ରହିଛି ଦୁର୍ଗାପୂଜାକୁ ନେଇ ଓଡ଼ିଶାରେ। ତା ଉପରେ କଣ କିଛି କାର୍ଯ୍ୟକ୍ରମ କରା ଯାଇ ପାରି ନ ଥାଆନ୍ତା ? ଓଡ଼ିଆ ସମାଜ ସମସ୍ତଙ୍କୁ ନେଇ ( Inclusive) । ଏ ଭଳି ସାମାଜିକ ଜୀବନର ଗୌରବ ଗାନ ନ କରି (ଦୁ)ର୍ଭାଗ୍ୟ ବଶତଃ ବିଧବା ସାଜିଥିବା ନାରୀଙ୍କୁ ମା ଦୂର୍ଗାଙ୍କ ପୂଜାରୁ ବାଦ୍ ଦେଉଥିବା ସିନ୍ଦୂର ଖେଳର ପ୍ରଚାର ପ୍ରସାର କରୁଥିବା ମିଡ଼ିଆ ବନ୍ଧୁ ମାନେ ନିଜ ବିବେକକୁ ଥରୁଟିଏ ପ୍ରଶ୍ନ କରନ୍ତୁ। ପ୍ରତିଟି ସଚେତନ ଓଡ଼ିଆଙ୍କୁ ଅନୁରୋଧ, ଏହାର ବିରୋଧ କରନ୍ତୁ । ଅନୁରୋଧ କରିବି, ନିଜ ଐତିହ୍ୟ, ସଂସ୍କୃତି ଓ ଇତିହାସକୁ ନେଇ ଗର୍ବ କରନ୍ତୁ। ଓଡ଼ିଆ ଭାବେ ଗର୍ବ କରନ୍ତୁ। ନିଜ ଉତ୍ତର ପୀଢ଼ିକୁ ଗର୍ବିତ ହେବାକୁ ଶିକ୍ଷା ଦିଅନ୍ତୁ। Post navigation ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ମାମଲା: ଭଲ ଅଛି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ମା’ ଦୁର୍ଗାଙ୍କ ଭସାଣି ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା; ଜାଣନ୍ତୁ କେଉଁ ପଟେ ଯିବା ଆସିବାର କରାଯାଇଛି ବନ୍ଦୋବସ୍ତ ..