ଆଜି ଭୁବନେଶ୍ୱର ସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ବର ମନ୍ଦିର ଯାଏଁ ବିଶାଳ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଛି । ଏହି ତ୍ରିରଙ୍ଗା ରାଲିରେ ସାମିଲ୍ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ବିଏମସି କମିଶନର ଏବଂ ମେୟର ପ୍ରମୁଖ ଯୋଗ ଦେଇଛନ୍ତି।

ରାଲି ପରେ ନିଜ ସୋସିଆଲ ମିଡ଼ିଆ ରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଆଜି ରାଜଧାନୀର ଶ୍ରୀଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ବର ମନ୍ଦିର ଯାଏଁ ବିଶାଳ ତ୍ରିରଙ୍ଗା ରାଲିରେ ସାମିଲ ହେଲି । ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆମ ସମସ୍ତଙ୍କୁ ଦେଶ ପ୍ରେମର ସୂତ୍ରରେ ବାନ୍ଧିବାରେ ସଫଳ ହେଉଛି । ଜାତୀୟ ପତାକା ଦେଶ ବାସୀଙ୍କ ପାଇଁ ସମ୍ମାନ ଓ ଗୌରବ ବହନ କରିଥାଏ । ଏହା ହେଉଛି ଆମ ଦେଶର ପ୍ରତୀକ । ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ, ଏହା ମଧ୍ୟ ରାଷ୍ଟ୍ରୀୟ ଏକତା, ସହିଷ୍ଣୁତା ଓ ବନ୍ଧୁତାର ପ୍ରତୀକ ଅଟେ ।

୨୦୨୨ ମସିହା ଠାରୁ ଜାତୀୟ ପତାକାର ସମ୍ମାନାର୍ଥେ ସ୍ଵାଧୀନତା ଦିବସର କିଛି ଦିନ ପୂର୍ବରୁ ଲୋକଙ୍କ ମନରେ ଦେଶ ପ୍ରେମକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ପାଳନ କରାଯାଉଛି । ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ପ୍ରତ୍ଯେକ ଭାରତୀୟ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଆମ ଜାତୀୟ ପତାକା ଉଡ଼ାଉଛନ୍ତି ।

Leave a Reply

Your email address will not be published. Required fields are marked *