ଆଜି ରାଜ୍ୟରେ ଆସିବ ନୁଆ ସରକାରଙ୍କ ନୂଆ ବଜେଟ୍ । ପ୍ରଥମ ଥର ପାଇଁ ବିଜେପି ସରକାର ରାଜ୍ୟରେ ଶାସନକୁ ଆସିବା ପରେ ଆସୁଛି ବଜେଟ୍ । ଅର୍ଥବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ନରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟକୁ ଗୃହରେ ଉପସ୍ଥାପନ କରିବେ । ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଓ ବିକଶିତ ଓଡ଼ିଶା ଗଠନ ନେଇ ଯେଉଁ ସକଳ୍ପ ରହିଛି ତାକୁ ଗୁରୁତ୍ୱ ଦେଇ ଗଠନ କରାଯାଇଛି ବଜେଟ୍ । ତେଣୁ ଏସବୁକୁ ଦେଖିଲେ ଅନୁମାନ କରାଯାଉଛି କି ପୂର୍ବ ଅପେକ୍ଷା ଏଥର ବଜେଟର ଆକାର ବୃଦ୍ଧି ପାଇପାରେ । ପାଖାପାଖି ତିନି ଲକ୍ଷ କୋଟିରୁ ଅଧିକର ବଜେଟ୍ ଆଣିପାରନ୍ତି ସରକାର । ଏଥିରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ନିଯୁକ୍ତି ଓ ମହିଳାଙ୍କୁ ଫୋକସ୍ କରାଯାଇପାରେ । ରାଜ୍ୟର ପ୍ରଥମ ଥର ସରକାର ଗଢିଥିବା ବିଜେପି ବଜେଟରେ ଜନକଲ୍ୟାଣ ଯୋଜନାକୁ କେତେ ଅଗ୍ରାଧିକାର ଦେବ ? ବଜେଟ ରୂପରେଖ କ’ଣ ରହିବ ? ପ୍ରଥମ ବଜେଟରେ ରାଜ୍ୟବାସୀଙ୍କୁ କଣ ଭେଟି ଦେଉଛନ୍ତି ନୂଆ ସରକାର ତାହା ଉପରେ ସମସ୍ତଙ୍କ ନଜର ରହିଛି l ଅନ୍ୟପଟେ ବଜେଟ ପୂର୍ବରୁ ଗତକାଲି ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଥିଲା । ଏଥିରେ କୁହାଯାଇଛି, ୨୦୨୩-୨୪ରେ ଓଡ଼ିଶା ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ । ୨୦୨୨-୨୩ରେ ଏହି ଅର୍ଥନୈତିକ ଅଭିବୃଦ୍ଧି ୭.୯ ପ୍ରତିଶତ ଥିଲା । ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ୨୦୨୩-୨୪ରେ ୧ ଲକ୍ଷ ୬୧ ହଜାର ୪୩୭ ଟଙ୍କାକୁ ବଢିଛି । ତେବେ ମୁଣ୍ଡପିଛା ଆୟରେ ଜାତୀୟ ହାରଠୁ ଓଡ଼ିଶା ଢେର୍ ପଛରେ ରହିଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । Post navigation ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବିଧାୟକ ପାଣ୍ଠି ବୃଦ୍ଧିକୁ ନେଇ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ