କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ପ୍ରତିବର୍ଷ ଜୁନ୍ ୨୫ ତାରିଖରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୭୫ ମସିହାରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇବାକୁ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହ ନିଜ ସୋସିଆଲ ମିଡିଆ ଏକ୍ସରେ ଜୁନ୍ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ଘୋଷଣା କରିବା ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୯୭୫ ମସିହା ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏକଛତ୍ରବାଦୀ ମାନସିକତାକୁ ପ୍ରଦର୍ଶିତ କରି ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ। ସେ ଏପରି କରି ଭାରତୀୟ ଗଣତନ୍ତ୍ରର ଆତ୍ମାର ତଣ୍ଟି ଚିପି ଦେଇଥିଲେ। ଲକ୍ଷଲକ୍ଷ ଲୋକଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା ଓ ମିଡିଆର ସ୍ୱରକୁ ଚାପି ଦିଆଯାଇ ଯାଇଥିଲା। ଏଥିପାଇଁ ଭାରତ ସରକାର ପ୍ରତିବର୍ଷ ଜୁନ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ନେଇଥିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ଲକ୍ଷ ଲକ୍ଷ ଲୋକଙ୍କ ସଂଘର୍ଷକୁ ସମ୍ମାନ ଦେବା, ଯେଉଁମାନେ ଏକଛତ୍ରବାଦୀ ସରକାରଙ୍କ ଅଗଣିତ ନିର୍ଯାତନା ଏବଂ ଅତ୍ୟାଚାରର ସମ୍ମୁଖୀନ ହୋଇ ଗଣତନ୍ତ୍ରକୁ ପୁନରୁଦ୍ଧାର କରିବା ପାଇଁ ସଂଗ୍ରାମ କରିଥିଲେ। ଗଣତନ୍ତ୍ରର ସୁରକ୍ଷା ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅମର ଜ୍ୟୋତିକୁ ପ୍ରତ୍ୟେକ ଭାରତୀୟଙ୍କ ଭିତରେ ବଞ୍ଚାଇ ରଖିବା ପାଇଁ ‘ସମ୍ବିଧାନ ହତ୍ୟା ଦିବସ’ କାର୍ଯ୍ୟ କରିବ, ଯାହାଫଳରେ ଭବିଷ୍ୟତରେ କଂଗ୍ରେସ ପରି କୌଣସି ଏକଛତ୍ରବାଦୀ ମାନସିକତା ଏହାର ପୁନରାବୃତ୍ତି କରିପାରିବ ନାହିଁ। ୨୫ ଜୁନ୍ ୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାର ପରଦିନ ଅର୍ଥାତ୍ ୨୬ ଜୁନ୍ ରେ ଦେଶବାସୀଙ୍କୁ ଏନେଇ ରେଡିଓରେ ସୂଚନା ଦେଇଥିଲେ ।ତତ୍କାଳୀନ ସରକାରଙ୍କ ଏହି ନିଷ୍ପତ୍ତି ବେଶ ବିବାଦୀୟ ଥିଲା। ଇନ୍ଦିରା ସରକାର ଏହାକୁ କାର୍ଯ୍ୟକାରୀ କରିବାର କାରଣ ଭାବେ ରାଜନୈତିକ ଅସ୍ଥିରତାକୁ ମଧ୍ୟ ଦର୍ଶାଇଥିଲେ। Post navigation ଦକ୍ଷିଣ ମୋଡ଼ ନେଲା ୩ ରଥ ଆସ୍ଥା ଭୋଟ୍ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ