ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଛି। ବିଜେଡି ୨୪ ବର୍ଷ ଧରି ଶାସକ ଦଳରେ ରହିବା ପରେ ଏବେ ବିରୋଧୀ ଦଳ ଭାବେ କାମ କରିବ। ବିଜେପି ସବୁବେଳେ ବିରୋଧୀ ଦଳରେ ରହିଆସିଛି। ବିରୋଧୀ ଦଳରେ ରହି ସ୍ୱର ଉଠାଇବା ଭିନ୍ନ କଥା। ହେଲେ ଶାସକ ଦଳ ଭାବେ ତିଷ୍ଠିବା ପାଇଁ ବିଜେପି ଏବେ ସଂଘର୍ଷ କରୁଛି। ତା’ ପାଇଁ ଏତେ ସହଜ ହେବନି। କିଛି ଗୋଷ୍ଠୀ ଏବେ ନୂଆ ସରକାର ବିରୁଦ୍ଧରେ ଲାଗିପଡ଼ିଛନ୍ତି। ଏସବୁ ସତ୍ତ୍ୱେ ବିଜେପି ସେମାନଙ୍କୁ କାଉଣ୍ଟର କରିପାରୁନାହିଁ। ବିଜେପିକୁ ତିଷ୍ଠି ରହିବା ପାଇଁ ଅନେକ ଘାତ ପ୍ରତିଘାତର ସାମ୍ନା କରିବାକୁ ପଡ଼ିବ।

ପ୍ରଥମ ପ୍ରସଙ୍ଗ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାକୁ ବିଚାରକୁ ନିଆଯାଇପାରେ। ବିଜେପି ସରକାର ଗଠନ କରୁ କରୁ ଚାରିଦ୍ୱାର ଖୋଲା ହେଲା। ହେଲେ ବିଜେଡି କହିଲା ଚାରିଦ୍ୱାର ଖୋଲିବା ନେଇ ବିଜେପି ସମ୍ପୂର୍ଣ୍ଣ ଭୁଲ ନିଷ୍ପତ୍ତି ନେଇଛି। ଏପରିକି ଅପପ୍ରଚାର କଲା ଯେ, ଚାରିଦ୍ୱାର ଖୋଲିବା ଯୋଗୁଁ ଦଳାଚକଟା ହୋଇ କିଛି ଲୋକଙ୍କ ପ୍ରାଣହାନୀ ହେଲାଣି। ବିଭିନ୍ନ ଅବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏସବୁର ଉଚିତ ଜବାବ ବି ବିଜେପି ଦେଇପାରିଲାନି। ଏହାର ସୁଯୋଗ ନେଇ ବିରୋଧୀ ପ୍ରମାଣ କରିଦେଲେ ଯେ ଚାରିଦ୍ୱାର ଖୋଲିବା ବିଜେପିର ଭୁଲ ନିଷ୍ପତ୍ତି। ହେଲେ ରଜ ଅଛି ଓ ଆଗକୁ ମଧ୍ୟ ଠାକୁର ଅଣସର ଘରେ ରହିବେ, ବିଶେଷକରି ସବୁବର୍ଷ ବି ଏହି ସମସ୍ୟା ହୁଏ, ଏସବୁକୁ ବିଜେପି ଲୋକଙ୍କୁ ଜଣାଇବାରେ ବିଫଳ ହେଲା ।

ଆଉ ଏକ ପ୍ରସଙ୍ଗ ହେଉଛି ବାଲେଶ୍ୱର ଦଙ୍ଗା। ଏମିତି ନୁହେଁ କି ପ୍ରଥମ ଥର ସାମ୍ପ୍ରଦାୟିକ ଦଙ୍ଗା ହୋଇଛି। ଆଗରୁ ମଧ୍ୟ ବିଜେଡି ଶାସନ ସମୟରେ ବାଲେଶ୍ୱର, ଭଦ୍ରକ ଓ ସମ୍ବଲପୁର ଭଳି ଅନେକ ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଛି। କିନ୍ତୁ ଏବେ ବାଲେଶ୍ୱର ଦଙ୍ଗା ପଛରେ ଅନେକ କାରଣ ଥାଇପାରେ। ହେଲେ ବିରୋଧୀ ରାଜ୍ୟ ଓ ଜାତୀୟସ୍ତରରେ ଗୁଜବ ସୃଷ୍ଟି କରିଦେଲେ ଯେ, ବିଜେପି ସରକାରକୁ ଆସିବାର ଅଳ୍ପ କିଛି ଦିନ ମଧ୍ୟରେ ଦଙ୍ଗା ଆରମ୍ଭ ହୋଇଗଲା। କିନ୍ତୁ ଏଭଳି ଘଟଣା ଓଡ଼ିଶାରେ ନୂଆ ନୁହେଁ। ପୂର୍ବରୁ କ୍ରମାଗତ ଭାବେ ଏସବୁ ହେଉଥିଲା। କିନ୍ତୁ ବିଜେପିକୁ ଏହି ଘଟଣା ନେଇ ଦାୟୀ କରାଯାଇଥିଲେ ମଧ୍ୟ ସେ ତା’ର ଉତ୍ତର ରଖିପାରିନି।

ସେହିପରି ଜୁଲାଇ ୮ରେ ରତ୍ନଭଣ୍ଡାର ଖୋଲିବ ବୋଲି ଜଣାପଡ଼ିବା ପରେ ସମସ୍ତଙ୍କ ମନରେ ଖୁସି ଦେଖିବାକୁ ମିଳିଥିଲା। ହେଲେ ଏକଥା ସତ ନୁହେଁ ବୋଲି ପରେ ଜଣାପଡ଼ିବା ପରେ ଏସଆଇଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜେପି କହିଲା। ଖୋଦ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ ଓ ପୁଣି ପୋଷ୍ଟ ଡିଲିଟ କରି ସମାଲୋଚନାର ଶରବ୍ୟ ହେଲେ ।

ଏହିପରିଭାବେ ବିରୋଧୀ ଟାର୍ଗେଟ କରିଚାଲିଛନ୍ତି। ହେଲେ ବିଜେପି ତାକୁ କାଉଣ୍ଟର କରିବାରେ ବିଫଳ ହେଉଛି। ଯଦି ଏମିତି ସ୍ଥିତି ଲାଗିରହେ ବିଜେପିକୁ ସରକାର ଚଳାଇବା କାଠିକର ପାଠ ହେବ। ଜନ ଅସନ୍ତୋଷ ମଧ୍ୟ ଲାଗିରହିବ। ତେଣୁ ବିଜେପିକୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ହେବ। ଏଥିସହ ନିଜର ଆଇଟି ସେଲ, ସୋସିଆଲ ମିଡ଼ିଆ ସିଷ୍ଟମକୁ ସୁଦୃଢ଼ କରିବା ସହ ବୁଦ୍ଧିଜୀବୀମାନଙ୍କୁ ସାଙ୍ଗରେ ନେଇ ଚାଲିବାକୁ ହେବ। ପ୍ରତି କ୍ଷେତ୍ରରେ ସାବଧାନ ରହିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *