ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ର କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ମଧ୍ୟ ନିର୍ବାଚନ କରାଯିବା ନେଇ ହୋଇଥିବା ବ୍ୟତିକ୍ରମ ଓ ସଂସ୍ଥାର ନିର୍ବାଚିତ କର୍ମକର୍ତ୍ତାମାନଙ୍କର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଯାଇଥିଲେ ମଧ୍ୟ ସେମାନେ ନିଜ ପଦବୀରେ କିପରି ଜାରି ରହିଛନ୍ତି ସେହି ପ୍ରସଙ୍ଗକୁ ଚାଲେଞ୍ଜ କରି ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ଦିନ ନୋଟିସ୍ ଜାରି କରିଛନ୍ତି।

ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଳ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ସ୍ୱତନ୍ତ୍ର ଅନୁମତି ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି। ଆବେଦନକାରୀମାନେ ପ୍ରଶ୍ନ କରିଛନ୍ତି ଯେ, ନିର୍ଦ୍ଧାରିତ କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ସୁଦ୍ଧା କାହିଁକି ଆସୋସିଏସନ୍ ନିର୍ବାଚନ କରୁନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଓସିଏ ର ନିର୍ବାଚନ ମୂଳତଃ ଅକ୍ଟୋବର ୨୦୨୫ରେ ହେବାର ଥିଲା। ମାତ୍ର ଜାତୀୟ କ୍ରୀଡ଼ା ପ୍ରଶାସନ ଆଇନ, ୨୦୨୫ର ପ୍ରଯୋଜ୍ୟତାକୁ ନେଇ ଦ୍ୱନ୍ଦ୍ୱ ଦର୍ଶାଇ ଆସୋସିଏସନ୍ ଏହାର ନିର୍ବାଚନକୁ ସ୍ଥଗିତ ରଖିଥିଲା। ନୂତନ କ୍ରୀଡ଼ା ପ୍ରଶାସନ ବ୍ୟବସ୍ଥା ଅଧୀନରେ ନିର୍ବାଚନକୁ ପଛକୁ ନିଆଯାଇପାରିବ ବୋଲି ସଂସ୍ଥା ପକ୍ଷରୁ ଯୁକ୍ତି କରାଯାଇଥିଲା।

​ତେବେ ଅଦାଲତରେ ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ ଯେ, ଉକ୍ତ ଆଇନ ଅଧୀନରେ କ୍ରିକେଟ୍ କୌଣସି ପ୍ରକାରେ ଏକ ‘ଚିହ୍ନିତ କ୍ରୀଡ଼ା’ ଭାବରେ ବିଜ୍ଞାପିତ ହୋଇନାହିଁ। ସମସ୍ତ ପକ୍ଷର ଯୁକ୍ତିକୁ ଶ୍ରବଣ କରିବା ପରେ ସୁପ୍ରିମକୋର୍ଟ ଏହି ମାମଲାରେ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ନୋଟିସ୍ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *