ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କ ବିରୁଦ୍ଧରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (CDO)ଙ୍କ ସହ ଦୁର୍ବ୍ୟବହାର କରିଥିବା ଭଳି ଏକ ସାଙ୍ଘାତିକ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ରାଜନୈତିକ ଏବଂ ପ୍ରଶାସନିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହି ପ୍ରସଙ୍ଗରେ ଦଳ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି।

ରାଜ୍ୟରେ ବିଜେପିର ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି ଯେ, ଗଞ୍ଜାମ, ଗଜପତି ଏବଂ କନ୍ଧମାଳରେ ଅଧିକାରୀମାନେ ଅତି ନିଷ୍ଠାର ସହ କାମ କରୁଛନ୍ତି। ତେବେ କିଛି ଗଣମାଧ୍ୟମରେ ଖବର ଆସିଛି ଗଞ୍ଜାମରେ ବିଧାୟକ ଅଫିସରଙ୍କୁ ହାତ ଉଠାଇଛନ୍ତି । ତାକୁ ଅତ୍ୟନ୍ତ ଗମ୍ଭୀର ଭାବେ ନେଇଛନ୍ତି ରାଜ୍ୟ ସଭାପତି ।

ଏହି ସମଗ୍ର ଘଟଣାର ପର୍ଯ୍ୟାଲୋଚନା କରାଯାଇ ଖୁବଶୀଘ୍ର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅନ୍ୟପଟେ ରିଲଫ ଯୋଗଣକୁ ନେଇ ଦୁର୍ବ୍ୟବହାର ହୋଇଥିବା ସୂଚନା ମିଳିଥିଲେ ମଧ୍ୟ ଏ ନେଇ ଆସିକା ବିଧାୟକ କିମ୍ବା ସମ୍ପୃକ୍ତ CDO ଙ୍କ କୌଣସି ପ୍ରତିକ୍ରିୟା ମିଳି ନାହିଁ ।