ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ‘ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬’ରେ ଓଡ଼ିଶା ୧୮ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଛି । ଏହାଦ୍ୱାରା ରାଜ୍ୟକୁ ୧,୧୭,୫୫୭ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି । ଏହି ପ୍ରକଳ୍ପଗୁଡ଼ିକରୁ ପ୍ରାୟ ୧୧,୭୪୨ ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି ହେବ । ଏହି ନିବେଶ ପମ୍ପଡ୍ ଷ୍ଟୋରେଜ୍, ସୌର ଓ ପବନ ଶକ୍ତି, ହାଇବ୍ରିଡ୍ ଶକ୍ତି, ବ୍ୟାଟେରୀ ଷ୍ଟୋରେଜ୍, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଡାଟା ସେଣ୍ଟର ଭଳି କ୍ଷେତ୍ରରେ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଓଡ଼ିଶାର ସ୍ୱଚ୍ଛ ଶକ୍ତି କ୍ଷେତ୍ର ପାଇଁ ଏକ ଐତିହାସିକ ସଫଳତା ବୋଲି କହିଛନ୍ତି । ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମିଳିତ ଭାବେ ଓଡ଼ିଶା ଓ ନେଦରଲ୍ୟାଣ୍ଡ୍ସ ପାଭିଲିୟନ୍ ଉଦ୍ଘାଟନ କରିଥିଲେ । ଏହାପରେ ଉଭୟଙ୍କ ଉପସ୍ଥିତିରେ ଗ୍ରିଡ୍କୋ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ ବିଭିନ୍ନ କମ୍ପାନୀର ପ୍ରତିନିଧିଙ୍କ ସହ ଏମ୍ଓୟୁ ସ୍ୱାକ୍ଷର ଓ ଆଦାନପ୍ରଦାନ କରିଥିଲେ । ଏହି ଅବସରରେ ‘ଓଡ଼ିଶାରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସୁଯୋଗ’ ଶୀର୍ଷକ ଏକ ଅଧିବେଶନ ହୋଇଥିଲା । ଏଥିରେ କେନ୍ଦ୍ର ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ର ନବୀନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀ ଏବଂ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ ଦେବ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଦେଶର ଏକ ପ୍ରମୁଖ ସ୍ୱଚ୍ଛ ଶକ୍ତି କେନ୍ଦ୍ରରେ ପରିଣତ କରିବା ସହ ଶ୍ରେଷ୍ଠ ପାଞ୍ଚଟି ବିଦ୍ୟୁତ୍ ରପ୍ତାନିକାରୀ ରାଜ୍ୟ ମଧ୍ୟରେ ସାମିଲ କରିବାକୁ ଲକ୍ଷ୍ୟ ରଖିଥିବା କହିଥିଲେ । ୨୦୪୭ ସୁଦ୍ଧା ରାଜ୍ୟର ମୋଟ ସ୍ଥାପିତ ବିଦ୍ୟୁତ୍ କ୍ଷମତାର ୭୪ ପ୍ରତିଶତ ଅଣ-ଜୀବାଶ୍ମ ଶକ୍ତି ଉତ୍ସରୁ ହାସଲ କରିବାକୁ ଯୋଜନା ରହିଛି । ସେହିପରି ଶିଳ୍ପ କ୍ଷେତ୍ରର ଅତିକମ୍ରେ ୩୩ ପ୍ରତିଶତ ବିଦ୍ୟୁତ୍ ଆବଶ୍ୟକତା ସୁଲଭ ମୂଲ୍ୟରେ ସବୁଜ ଶକ୍ତି ମାଧ୍ୟମରେ ପୂରଣ କରାଯିବ । Post navigation DRDO ने किया प्रलय मिसाइल का सफल टेस्ट; आकाश में बदल लेती है अपनी दिशा Kotia Border Dispute: କୋଟିଆରେ ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ: ରାଜ୍ୟର ଅସ୍ମିତା ରକ୍ଷା ପାଇଁ ଦୃଢ଼ ଭାବେ ଠିଆ ହେବାକୁ ଭକ୍ତ ଦାସଙ୍କ ଆହ୍ୱାନ