ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍, ପୁନରୁଦ୍ଧାର ଏବଂ ତଦାରଖ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବନ୍ୟା ପ୍ରଭାବିତ ୩ ଜିଲ୍ଲା ଯିବେ ୪ ଆଇଏଏସ୍ ଅଧିକାରୀ । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ବନ୍ୟା ପ୍ରଭାବିତ ୩ଟି ଜିଲ୍ଲା ଯଥା ଗଞ୍ଜାମ, ଗଜପତି ଏବଂ କନ୍ଧମାଳରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ମୋଟ ୪ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯିବ। ଏହି ପରିସରରେ ଗଞ୍ଜାମ ଜିଲ୍ଲା ପାଇଁ ୨ ଜଣ, ଗଜପତି ଓ କନ୍ଧମାଳ ପାଇଁ ଜଣେ ଲେଖାଏଁ ଆଇଏଏସଙ୍କୁ ଦାୟିତ୍ବ ଦିଆଯାଇଛି। ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ କାମକୁ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ଏହି ସମସ୍ତ ୪ ଜଣ ଆଇଏଏସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନରର ଅତିରିକ୍ତ କ୍ଷମତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହି ଅଧିକାରୀମାନେ ପ୍ରଭାବିତ ଅଞ୍ଚଳରେ ଘରଦ୍ୱାର ଏବଂ ଫସଲ ଆଦିର କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ଆକଳନ କରିବେ। ଏହା ସହିତ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସହାୟତା ପ୍ୟାକେଜ୍ ପ୍ରକୃତ ପ୍ରଭାବିତ ଲୋକଙ୍କ ନିକଟରେ ସଠିକ୍ ଭାବରେ ପହଞ୍ଚିପାରୁଛି କି ନାହିଁ, ସେ କଥାକୁ ସେମାନେ ନିୟମିତ ଭାବେ ତଦାରଖ କରିବେ। ବନ୍ୟା ଯୋଗୁଁ ନଷ୍ଟ ହୋଇଯାଇଥିବା ବିଭିନ୍ନ ଗ୍ରାମାଞ୍ଚଳର ରାସ୍ତାଘାଟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ଜରୁରୀ ଭିତ୍ତିଭୂମି ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଏହି ଅଧିକାରୀମାନେ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଂପୃକ୍ତ ଜିଲ୍ଲାଗୁଡ଼ିକରେ ଆଗାମୀ ୨ ମାସ ପର୍ଯ୍ୟନ୍ତ କିମ୍ବା ୨ ମାସ କିମ୍ବା କାମ ସରିବା ପର୍ଯ୍ୟନ୍ତ ଏହି ବରିଷ୍ଠ ଅଧିକାରୀମାନେ ସେହି ଜିଲ୍ଲାମାନଙ୍କରେ ରହିବେ ଏବଂ ସମଗ୍ର ସ୍ଥିତି ଉପରେ କଡ଼ା ନଜର ରଖିବେ। Post navigation Kotia Border Dispute: କୋଟିଆରେ ପୁଣି ମୁହାଁମୁହିଁ ହେଲେ ଓଡ଼ିଶା ଓ ଆନ୍ଧ୍ର ପୁଲିସ