ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ତଥା ପଦ୍ମଶ୍ରୀ ସମ୍ମାନିତ ଡାକ୍ତର ଅଶୋକ ମହାପାତ୍ରଙ୍କର ପରଲୋକ ଘଟିଛି। ୭୪ ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାତି ପ୍ରାୟ ୯ଟା ୧୫ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ସୂଚନା ଅନୁଯାୟୀ; ଡାକ୍ତର ଅଶୋକ ମହାପାତ୍ର କିଛି ଦିନ ପୂର୍ବରୁ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଚିକିତ୍ସାଧୀନ ଥିଲେ । ଜଣେ ଦକ୍ଷ ଏବଂ ନିଷ୍ଠାବାନ୍ ସ୍ନାୟୁଶଲ୍ୟ ଚିକିତ୍ସକ ଭାବେ ସେ ଚିକିତ୍ସା କ୍ଷେତ୍ରରେ ବେଶ୍ ପରିଚିତ ଥିଲେ । ଚିକିତ୍ସା ବିଜ୍ଞାନରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ପ୍ରତିଷ୍ଠିତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର ଦୀର୍ଘ ଦିନ ଧରି ଦିଲ୍ଲୀ ଏମ୍ସରେ ଡାକ୍ତର ଭାବେ କାର୍ଯ୍ୟ କରିବା ସହ ତାଙ୍କର ଚିକିତ୍ସକ ଜୀବନ ଅତିବାହିତ କରିଥିଲେ | ଏଥିସହ ସେ ଦିଲ୍ଲୀ ଏମ୍ସର ସ୍ନାୟୁଶଲ୍ୟ ଚିକିତ୍ସା ବିଭାଗର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ଵ ତୁଲାଇଛନ୍ତି । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଜଟିଳ ଅସ୍ତ୍ରୋପଚାରର ସଫଳ ନେତୃତ୍ଵ ନେଇଥିଲେ । ଏଥି ସହିତ ଚିକିତ୍ସା କ୍ଷେତ୍ର ବ୍ୟତୀତ ପ୍ରଶାସନିକ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ବଡ଼ ଯୋଗଦାନ ଥିଲା । ସେ ଭୁବନେଶ୍ଵର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଏହାବାଦ୍ ସେ ଏସଓଏ ବିଶ୍ଵବିଦ୍ୟାଳୟର କୁଳପତି ଭାବେ ମଧ୍ୟ ନିଜର ଦାୟିତ୍ଵ ନିର୍ବାହ କରିଥିଲେ । ତାଙ୍କର ବିୟୋଗ ଦେଶର ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଅନ୍ୟପଟେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡ଼ ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଛନ୍ତି ବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର (ଡା.) ଅଶୋକ କୁମାର ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଦେଶର ଜଣେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଚିକିତ୍ସା ବିଜ୍ଞାନ ଜଗତର ଅଗ୍ରଣୀ ବ୍ୟକ୍ତିତ୍ୱ ଭାବରେ ସେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସମୃଦ୍ଧ କରିବା ସହ ଓଡ଼ିଶା ତଥା ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଥିଲେ। ଚିକିତ୍ସା ସେବା ଓ ଗବେଷଣା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସର୍ବଦା ଅବିସ୍ମରଣୀୟ ରହିବ।ଏହି ଦୁଃଖଦ ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ସଦ୍ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି । Post navigation Naveen Patnaik’s Missing Posters in Hinjili: ହିଞ୍ଜିଳିରେ ନବୀନଙ୍କ ‘ମିସିଂ’ ପୋଷ୍ଟର, ବିଜେପି-ବିଜେଡି ମୁହାଁମୁହିଁ 170 Irrigation Projects Damaged in Ganjam: ଗଞ୍ଜାମରେ ବନ୍ୟା ବିତ୍ପାତ: ୧୭୦ଟି ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ