ରାଜ୍ୟର ମେଧାବୀ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ୍ ଭାବେ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା’ ଅଧୀନରେ ଯୋଗ୍ୟ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲ୍ୟାପଟପ୍ କ୍ରୟ କରିବା ନିମନ୍ତେ ୩୦,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏହି ସହାୟତା ରାଶି ସିଧାସଳଖ ପ୍ରତ୍ୟକ୍ଷାନ୍ତ ସ୍ଥାନାନ୍ତର (DBT) ଜରିଆରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଏବଂ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ବାର୍ଷିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ଏହି ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହା ସହିତ ଯେଉଁ ଛାତ୍ରଛାତ୍ରୀମାନେ ୨୦୨୫ ମସିହାରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ପୂର୍ବରୁ ଆବେଦନ କରିବାରୁ ବଞ୍ଚିତ ହୋଇଥିଲେ, ସେମାନଙ୍କ ପାଇଁ ମଧ୍ୟ ଅନଲାଇନ୍ ପୋର୍ଟାଲରେ ଆବେଦନ କରିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଅର୍ଥାତ୍ ନଭେମ୍ବର ୨, ୨୦୨୬ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ନଭେମ୍ବର ୧୯, ୨୦୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଯୋଗ୍ୟ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ବିଭାଗର ଅଫିସିଆଲ୍ ୱେବସାଇଟ୍ www.dhe.odisha.gov.in ଏବଂ www.scholarship.odisha.gov.in ମାଧ୍ୟମରେ ସମସ୍ତ ବିସ୍ତୃତ ତଥ୍ୟ ଏବଂ ତାଲିକା ପାଇପାରିବେ। ଛାତ୍ରଛାତ୍ରୀମାନେ ନିଜର ଆଧାର ନମ୍ବର ଏବଂ ଆଧାର ସହିତ ସଂଯୁକ୍ତ ମୋବାଇଲ୍ ନମ୍ବର ବ୍ୟବହାର କରି ଛାତ୍ରବୃତ୍ତି ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଏବଂ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁସାରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। Post navigation Door-to-Door Survey Extended in 3 Dists: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ୩ ଜିଲ୍ଲାରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି Naveen Patnaik’s Missing Posters in Hinjili: ହିଞ୍ଜିଳିରେ ନବୀନଙ୍କ ‘ମିସିଂ’ ପୋଷ୍ଟର, ବିଜେପି-ବିଜେଡି ମୁହାଁମୁହିଁ