ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ହେବାକୁ ଥିବା ୨୦୨୭ ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷାକୁ ଅଧିକ କଡ଼ା, ନିରପେକ୍ଷ ଏବଂ ସ୍ୱଚ୍ଛ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ଥର କେବଳ ସିସିଟିଭି କ୍ୟାମେରା ନଜର ରଖିବ ନାହିଁ, ବରଂ ପରୀକ୍ଷାର ପ୍ରତ୍ୟେକଟି କାର୍ଯ୍ୟକଳାପ ସିଧାସଳଖ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ଉଚ୍ଚାଧିକାରୀଙ୍କ ନଜରକୁ ଆସିବ। ଏହି ସମ୍ପର୍କରେ CHSE ର ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସଂଯୁକ୍ତ କଲେଜ, ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଅଧ୍ୟକ୍ଷମାନଙ୍କୁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି।

ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ତ୍ରୁଟି କିମ୍ବା ଅନିୟମିତତା ଯେପରି ନଘଟେ, ସେଥିପାଇଁ ପରୀକ୍ଷା ହଲ୍, ଷ୍ଟ୍ରିଙ୍ଗ୍ ରୁମ୍, ପ୍ରୟୋଗଶାଳା ଏବଂ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ସକ୍ରିୟ ରଖିବା ବାଧ୍ୟତାମୂଳକ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସମସ୍ତ କ୍ୟାମେରାର ସିଧାପ୍ରସାରଣକୁ CHSE, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସମ୍ପୃକ୍ତ ଜିଲ୍ଲାପାଳମାନେ ସିଧାସଳଖ ମାନିଟର୍ କରିବେ। ଫଳରେ ପରୀକ୍ଷା ହଲ୍‌ରେ ଘଟୁଥିବା ପ୍ରତ୍ୟେକଟି ଘଟଣା ଉପରେ ସରକାରୀ ସ୍ତରରୁ ନଜର ରଖାଯାଇପାରିବ।

ଏହି ପ୍ରସ୍ତୁତି ପ୍ରକ୍ରିୟାକୁ ଆସନ୍ତା ୩୦ ନଭେମ୍ବର ୨୦୨୬ ସୁଦ୍ଧା ଶେଷ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି। ଯେଉଁ କଲେଜଗୁଡ଼ିକରେ କ୍ୟାମେରା ନାହିଁ, ସେଠାରେ ତୁରନ୍ତ ନୂତନ ସସିଟିଭି ସ୍ଥାପନ କରିବା ଏବଂ ପୂର୍ବରୁ ଥିବା କ୍ୟାମେରାରେ ସଠିକ୍ ତାରିଖ ଓ ସମୟ ଦେଖାଯାଉଛି କି ନାହିଁ ତାହା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶ୍ନପତ୍ର ଗ୍ରହଣ ଦିନଠାରୁ ଆରମ୍ଭ କରି ପରୀକ୍ଷାର ଶେଷ ଦିନ ପର୍ଯ୍ୟନ୍ତ ଏହି ନଜରଦାରୀ ବ୍ୟବସ୍ଥା କାର୍ଯ୍ୟକ୍ଷମ ରହିବ। ନୂତନ ପରୀକ୍ଷା କେନ୍ଦ୍ର ପାଇଁ ଆବେଦନ କରିଥିବା ସ୍କୁଲଗୁଡ଼ିକ ପାଇଁ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ସ୍ପଷ୍ଟ କରିଦିଆଯାଇଛି।

Leave a Reply

Your email address will not be published. Required fields are marked *