ଫ୍ରାନ୍ସରେ ସ୍କୁଲ ଭିତ୍ତିଭୂମିର ସୁଧାର ଏବଂ ଶିକ୍ଷକ ଅଭାବ ସମସ୍ୟାର ସମାଧାନ ଦାବିରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବେ ଅତ୍ୟନ୍ତ ଉଗ୍ର ଓ ଭୟଙ୍କର ରୂପ ନେଇଛି। ରାଜଧାନୀ ପ୍ୟାରିସ ସହିତ ଦେଶର ବିଭିନ୍ନ ଭାଗରେ ବ୍ୟାପକ ହିଂସାକାଣ୍ଡ, ଅଗ୍ନିକାଣ୍ଡ ଏବଂ ଦୋକାନ ବଜାର ଲୁଟପାଟ୍ ଘଟଣା ସାମ୍ନାକୁ ଆସିଛି। ଦେଶରେ ଏହି ଛାତ୍ର ଆନ୍ଦୋଳନ ଏକ ଭୟଙ୍କର ରୂପ ନେଇଥିବା ବେଳେ ଏପର୍ଯ୍ୟନ୍ତ ୧୨୦୦ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ସ୍କୁଲଗୁଡ଼ିକରେ ଶିକ୍ଷକଙ୍କ ଅଭାବ ପୂରଣ ଏବଂ ଉତ୍ତମ ଭିତ୍ତିଭୂମି ଯୋଗାଇଦେବା ଦାବିରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଗତ କିଛି ଦିନ ହେବ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କରିଛି। ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ଏକାଧିକ କୋଠାରେ ନିଆଁ ଲଗାଇଦେବା ସହ ରାସ୍ତାଘାଟରେ ଥିବା ବିଭିନ୍ନ ଦୋକାନ ଘରୁ ବ୍ୟାପକ ଲୁଟପାଟ୍ କରିଛନ୍ତି। ପ୍ୟାରିସ୍ ସଡ଼କରେ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ର ଓ ଯୁବକ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ହିଂସା ଓ ବିଶୃଙ୍ଖଳା ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୨୦୦ରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିବା ବେଳେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ହୋଇଥିବା ମୁହାଁମୁହିଁରେ ୧୫୦ରୁ ଅଧିକ ପୋଲିସ କର୍ମୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଦେଶରେ ଶିକ୍ଷା ସଙ୍କଟକୁ ନେଇ ସୃଷ୍ଟି ହୋଇଥିବା ଏହି ସ୍ଥିତିକୁ ସାଧାରଣରେ ଆଣିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି। Post navigation Food Safety Teams Raid Festive Food Stalls: ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ପାଖ ଫୁଡ୍ ଷ୍ଟଲରେ ଫୁଡ୍ ସେଫ୍ଟି ବିଭାଗର ଚଢ଼ାଉ Youth Leadership Summit: କଟକରେ ଯୁବ ନେତୃତ୍ବ ସମାବେଶ: ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ