ଚଳିତ ବର୍ଷ ଦଶହରା ଓ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କଟକ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଛି। ପୂଜା ସମୟରେ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ସହରରେ ମୋଟ ୬୦ ପ୍ଲାଟୁନ ପୋଲିସ ବଳ ମୁତୟନ କରାଯିବ ବୋଲି ଜଣାପଡ଼ିଛି। ଏନେଇ କଟକ ଡିସିପି ରିଷିକେଶ ଖିଲାରୀ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।

ପୋଲିସ ପ୍ରଶାସନର ଯୋଜନା ଅନୁଯାୟୀ, ଏହି ସୁରକ୍ଷା ବଳ ସହ ୫୦୦ରୁ ଅଧିକ ପୋଲିସ ଅଫିସର ଏବଂ ୬ ପ୍ଲାଟୁନ ସିଭିପି ମଧ୍ୟ ମୁତୟନ ରହିବେ। ସେହିପରି ସହରର ସମସ୍ତ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ଟିମ୍ ମଧ୍ୟ ମୁତୟନ କରାଯିବ ବୋଲି ସୂଚନା ମିଳିଛି। ଏହାସହିତ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ କଡ଼ା ନଜର ରଖିବା ପାଇଁ ୧୩୦୦ଟି ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି, ଯାହାକି ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ଦୃଢ଼ କରିବ।

ଶ୍ରଦ୍ଧାଳୁମାନେ ଯେପରି ବିନା କୌଣସି ଅସୁବିଧାରେ ମା’ଙ୍କ ଦର୍ଶନ କରିପାରିବେ ଏବଂ ଟ୍ରାଫିକ ସମସ୍ୟା ନ ଉପୁଜିବ, ସେଥିପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *