ନୂଆ ୟୁପିଆଇ ନିୟମକୁ ନେଇ ବଡ଼ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ବିଶେଷ କରି ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ଶୁଳ୍କ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଥିଲା ବେଳେ ଗ୍ରାହକମାନେ ମଧ୍ୟ ସ୍ପଷ୍ଟ ନୁହଁନ୍ତି । ଯଦିଓ ସରକାର ବାରମ୍ବାର କହିଛନ୍ତି ଫି’ ଗ୍ରାହକ ନୁହେଁ ବ୍ୟବସାୟୀ ଦେବେ, ଛୋଟ ବ୍ୟବସାୟୀଙ୍କ ପାଇଁ କୌଣସି ଶୁଳ୍କ ଲାଗୁ ହେବ ନାହିଁ ତାହା ସତ୍ତ୍ୱେ ଗ୍ରାହକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ମନରେ ଥିବା ଦ୍ଵନ୍ଦ୍ବକୁ ଏପର୍ଯ୍ୟନ୍ତ ଦୂର କରିବାରେ ସଫଳ ହୋଇପାରିନାହାନ୍ତି ସରକାର। ବ୍ୟବସାୟୀଙ୍କ ଭିତରେ ବଢ଼ୁଥିବା ଅସନ୍ତୋଷ, ସୁପ୍ରିମ୍ କୋର୍ଟରେ ମାମଲା ପହଞ୍ଚିବା ଆଦି ଘଟଣା ସୂଚାଇ ଦେଉଛି ଯେ ନୂଆ ନିୟମ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ଝଟ୍‌କା ଦେଇପାରେ।

କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ବାଣିଜ୍ୟିକ ରିହାତି ଶୁଳ୍କ (ଏମ୍‌ଡିଆର୍ ) ଲାଗୁ କରାଯାଇଛି। ଏହି ଫି’ ଗ୍ରାହକଙ୍କଠାରୁ ନୁହେଁ ବ୍ୟବସାୟୀଙ୍କଠାରୁ ନିଆଯିବ । ଅକ୍ଟୋବର ୧୫ରୁ ଏହା ଲାଗୁ ହେବ। ଏହି ନିଷ୍ପତ୍ତି ଦ୍ବାରା ଆଦୌ ପ୍ରଭାବିତ ହେବେ ନାହିଁ ଦେଶର ୯୬ ପ୍ରତିଶତରୁ ଅଧିକ ବ୍ୟବସାୟୀ । ତେବେ ଏହି ନିଷ୍ପଭିକୁ ନେଇ ଦେଶର ପ୍ରମୁଖ ବ୍ୟବସାୟୀ ସଂଗଠନ କନ୍‌ଫେଡେରେସନ ଅଫ୍ ଅଲ୍‌ଇଣ୍ଡିଆ ଟ୍ରେଡର୍ସ ଏବଂ ଅନ୍ୟ ବ୍ୟବସାୟିକ ସଂଗଠନ ବିରୋଧ ଆରମ୍ଭ କରିଛନ୍ତି । ସେମାନଙ୍କ ଯୁକ୍ତି ହେଉଛି ପୂର୍ବରୁ ପ୍ରତିଯୋଗିତାମୂଳକ ବଜାର କାରଣରୁ ମାର୍ଜିନ କମ୍ ରହୁଥିଲା । ଏବେ ୦.୪ ପ୍ରତିଶତ ଅତିରିକ୍ତ ଚାର୍ଜ କାରଣରୁ ଲାଭର ଏକ ବଡ଼ ଭାଗ ଆମ ହାତରୁ ଚାଲିଯିବ। ବ୍ୟବସାୟୀମାନେ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ପାର୍ବଣ ପୂର୍ବରୁ ନିଆଯାଇଥିବା ଏହି ନିଷ୍ପତ୍ତି ଡିଜିଟାଲ ଇଣ୍ଡିଆନ ଅଭିଯାନକୁ ଝଟ୍‌କା ଦେଇପାରେ। ଆମେ ଏବେ ଗ୍ରାହକମାନଙ୍କୁ ୟୁପିଆଇ ବଦଳରେ ନଗଦରେ ଟଙ୍କା ଦେବା ପାଇଁ ଅନୁରୋଧ କରିବୁ। ଦେଶର କିଛି ସ୍ଥାନରେ ବ୍ୟବସାୟୀମାନେ ଦୋକାନରୁ ମଧ୍ୟ ସେମାନଙ୍କ ୟୁପିଆଇ ବୋର୍ଡ ହଟାଇ ସାରିଲେଣି।

ଗ୍ରାହକମାନେ ମଧ୍ୟ ଦ୍ବନ୍ଦ୍ବରେ । ଅଧିକାଂଶ ଗ୍ରାହକ ଲୁଗା ଦୋକାନଠାରୁ ଆରମ୍ଭ କରି ଅନ୍ୟ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ, ସୁନା ଦୋକାନ ଆଦିରେ ୨୦୦୦ରୁ ଅଧିକ ଟଙ୍କାର କିଣାବିକା କରିଥାନ୍ତି। ସେମାନଙ୍କ ମନରେ ଭୟ ସରକାର ସ୍ପଷ୍ଟ କରିଥିଲେ ମଧ୍ଯ କାଳେ ୨୦୦୦ରୁ ଅଧିକ ୟୁପିଆଇ କଲେ ଚାର୍ଜ କଟିପାରେ । ଅନ୍ୟପଟେ ଅଧିକ ୟୁପିଆଇ ପାଇଁ ଦୋକାନୀ ତଥା ବ୍ୟବସାୟୀ ପ୍ରତିଷ୍ଠାନକୁ ଶୁଳ୍କ ଦେବାକୁ ପଡ଼ୁଥିବାରୁ ସେମାନେ ନିଜର ଲାଭ ମାର୍ଜିନ ଭରଣା ପାଇଁ ଦର ବଢ଼ାଇ ପାରନ୍ତି। ମୋଟାମୋଟି ଏହି ନୂଆ ନିୟମ ଏକ ବଡ଼ ଦ୍ବନ୍ଦ୍ବ ସୃଷ୍ଟି କରିସାରିଲାଣି। ସରକାର ଯେଉଁ ସୂଚନା ଦେଇଛନ୍ତି ତାହା ଲୋକଙ୍କୁ ବୁଝିପାରେ ଅଡୁଆ ହେଉଛି ।

ତେଣୁ ସନ୍ଦେହ ଯେ ଏହି ଦ୍ବନ୍ଦ୍ବ ଭିତରେ ଲୋକେ ୟୁପିଆଇ ନୁହେଁ ନଗଦ କିଣାବିକା ଆଡ଼କୁ ମୁହାଁଇପାରନ୍ତି । ବିରୋଧୀଦଳମାନେ ମଧ୍ୟ ଏନ୍‌ଡିଏ ସରକାର ୟୁପିଆଇ ଶୁଳ୍କ ଆଦାୟ କରୁଛି ବୋଲି ଅଭିଯୋଗ ଆଣି ରାଜରାସ୍ତାକୁ ଆସିଲେଣି । ଯଦି ବଡ଼ ବିବାଦର ରୂପ ନିଏ ତେବେ ଆସନ୍ତାବର୍ଷ ହେବାକୁ ଥ‌ିବା କିଛି ରାଜ୍ୟର ବିଧାନସଭା ନିର୍ବାଚନରେ ଶାସକ ଏନ୍‌ଡିଏକୁ ଅଡୁଆରେ ପକାଇପାରେ। ତେଣୁ ଅପେକ୍ଷା ସରକାର କେବେ ସାଧାରଣ ଲୋକ ଏବଂ ବ୍ୟବସାୟୀଙ୍କ ମନରେ ସୃଷ୍ଟି ହୋଇଥିବା ଏହି ଦ୍ବନ୍ଦ୍ବକୁ ଦୂର କରୁଛନ୍ତି !

Leave a Reply

Your email address will not be published. Required fields are marked *