ସ୍ୱାସ୍ଥ୍ୟକର ଏବଂ ସ୍ୱଚ୍ଛ କାର୍ଯ୍ୟପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ପରିସରକୁ ସମ୍ପୂର୍ଣ୍ଣ ଭାବେ ‘ତମାଖୁ ମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଏକ ଆଧିକାରିକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଲୋକସେବା ଭବନ ପରିସର ମଧ୍ୟରେ ଧୂମପାନ, ଗୁଟଖା, ପାନ ମସଲା ଓ ଅନ୍ୟାନ୍ୟ ତମାଖୁ ଜାତୀୟ ଦ୍ରବ୍ୟର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପରିସର ମଧ୍ୟରେ ତମାଖୁ ଖାଇ ଛେପ ପକାଇବା ଉପରେ କଡ଼ା କଟକଣା ଲଗାଯାଇଛି।

ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜରିମାନା ଆଦାୟ କରାଯିବ। ଏହି ନିୟମ ସରକାରୀ କର୍ମଚାରୀଙ୍କ ସମେତ ଲୋକସେବା ଭବନକୁ ଆସୁଥିବା ସମସ୍ତ ସାଧାରଣ ଦର୍ଶକ ସାକ୍ଷାତକାରୀଙ୍କ ପାଇଁ ବାଧ୍ୟତାମୂଳକ।

ତମାଖୁ ସେବନ ଯୋଗୁଁ କ୍ୟାନ୍ସର, ହୃଦରୋଗ ଓ ଫୁସଫୁସ ଜନିତ ଅନେକ ମାରାତ୍ମକ ରୋଗ ହୋଇଥାଏ। ବିଜ୍ଞପ୍ତି ଅନୁଯାୟୀ, ଭାରତରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକ ତମାଖୁ ବ୍ୟବହାର ହେତୁ ପ୍ରାଣ ହରାଉଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ସରକାର କର୍ମଚାରୀ ଓ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିଶ୍ଚିତ କରିବା ସହ, ତମାଖୁର କୁପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଏହି ନିୟମ ପାଳନ କରିବାକୁ ଏବଂ ଲୋକସେବା ଭବନକୁ ସ୍ୱଚ୍ଛ ଓ ତମାଖୁ ମୁକ୍ତ ରଖିବାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *