ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଓଡ଼ିଶାର ବିକାଶ ପ୍ରତି ତାଙ୍କର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ପ୍ରକାଶ କରିଛନ୍ତି।

ସାମାଜିକ ଗଣମାଧ୍ୟମ ‘X’ରେ ଏକ ବାର୍ତ୍ତା ଶେୟାର କରି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ସମଗ୍ର ଦେଶ ପାଇଁ ପ୍ରେରଣାର ଉତ୍ସ। ଜଣେ ସେବକର ନିଷ୍ଠା ଯେତେବେଳେ ନେତାଙ୍କ ସଂକଳ୍ପରେ ପରିଣତ ହୁଏ, ସେତେବେଳେ ଏକ ‘ନୂତନ ଭାରତ’ ଗଠନ ସମ୍ଭବ ହୁଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁଁ ସାରା ଦେଶରେ ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଆନ୍ତରିକତା ଏବଂ ରାଜ୍ୟର ଭିତ୍ତିଭୂମି ବିକାଶରେ କେନ୍ଦ୍ର ସରକାରଙ୍କ କ୍ରମାଗତ ସହଯୋଗ ପାଇଁ ରାଜ୍ୟବାସୀ କୃତଜ୍ଞ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାରେ ‘ସେବା ସଂକଳ୍ପ ପର୍ବ’ ପାଳନ କରାଯାଉଛି। ଏହି ମାଧ୍ୟମରେ ସରକାର ଗରିବ କଲ୍ୟାଣ ଏବଂ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ବିକାଶ ପହଞ୍ଚାଇବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କର୍ମଯୋଗୀ ଜୀବନ ସମସ୍ତଙ୍କୁ ଜନକଲ୍ୟାଣ ଓ ସେବା ସଂକଳ୍ପରେ ଆଗେଇ ନେବାକୁ ସଦା ପ୍ରେରଣା ଦେଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ନିରାମୟ ଜୀବନ ଏବଂ ରାଷ୍ଟ୍ରସେବା ପାଇଁ ଅପାର ଶକ୍ତି କାମନା କରୁଛି।

Leave a Reply

Your email address will not be published. Required fields are marked *