ଭାରତୀୟ ସିନେଜଗତର ପ୍ରସିଦ୍ଧ ତଥା କିମ୍ବଦନ୍ତୀ କନ୍ନଡ଼ ଅଭିନେତା ଅନନ୍ତ ନାଗଙ୍କୁ ମିଳିବ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ଆୱାର୍ଡ। ୨୦୨୪ ବର୍ଷ ପାଇଁ ଏହି ସମ୍ମାନଜନକ ପୁରସ୍କାର ଘୋଷଣା କରାଯାଇଛି। ଦାଦାସାହେବ ଫାଲକେ ପୁରସ୍କାର ଚୟନ କମିଟିର ସୁପାରିଶ କ୍ରମେ ପଦ୍ମଭୂଷଣ ପ୍ରାପ୍ତ ଅନନ୍ତ ନାଗଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ସେ ନିଜର ବହୁମୁଖୀ ଅଭିନୟ ମାଧ୍ୟମରେ ଅନେକ ପିଢ଼ିର ଅଭିନେତା ଓ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି। ସେପ୍ଟେମ୍ବର ୨୨ରେ ଗୁଜରାଟର କେବଡ଼ିଆଠାରେ ଆୟୋଜିତ ହେବାକୁ ଥିବା ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଅନନ୍ତ ନାଗ କେବଳ କନ୍ନଡ଼ ସିନେମା ନୁହେଁ, ବରଂ ଭାରତୀୟ ସମାନ୍ତରାଳ ସିନେମାରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କନ୍ନଡ଼, ହିନ୍ଦୀ ଏବଂ ମରାଠୀ ସିନେମାରେ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି। ତାଙ୍କର ନିଖୁଣ ଓ ଜୀବନ୍ତ ଅଭିନୟ ପାଇଁ ସେ ବହୁବର୍ଷ ଧରି ଦର୍ଶକଙ୍କ ହୃଦୟରେ ସ୍ଥାନ ଅଧିକାର କରିଆସିଛନ୍ତି। ସ୍ୟାମ ବେନେଗାଲଙ୍କ ନିର୍ଦ୍ଦେଶିତ ‘ଅଙ୍କୁର’, ‘ନିଶାନ୍ତ’, ‘ମନ୍ଥନ’ ଏବଂ ‘ଭୂମିକା’ ଭଳି ସମାନ୍ତରାଳ ସିନେମା ମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କନ୍ନଡ଼ ସିନେମାରେ ‘ବାୟାଲୁ ଦାରି’, ‘ଚନ୍ଦନଦ ଗୋମ୍ବେ’, ‘ଗଣେଶନା ମଦୁବେ’ରୁ ଆରମ୍ଭ କରି ଆଧୁନିକ ସୁପରହିଟ୍ ‘ଗୋଧି ବନ୍ନା ସାଧାରଣ ମାଇକଟ୍ଟୁ’ ଏବଂ ‘KGF’ ଭଳି ଚଳଚ୍ଚିତ୍ରରେ ମନୋମୁଗ୍ଧକର ଅଭିନୟ କରିଛନ୍ତି। କେବଳ ବଡ଼ ପରଦା ନୁହେଁ, ଛୋଟ ପରଦାରେ ମଧ୍ୟ ତାଙ୍କର ଅଭିନୟ ସ୍ମରଣୀୟ। ଲୋକପ୍ରିୟ ଟେଲିଭିଜନ ସିରିଏଲ ‘ମାଲଗୁଡି ଡେଜ୍’ରେ ତାଙ୍କ ଜୀବନ୍ତ ଅଭିନୟ ଆଜି ବି ଦର୍ଶକଙ୍କ ମନରେ ସାଜିରହିଛି। ୧୯୯୫ ମସିହାରେ ଡକ୍ଟର ରାଜକୁମାରଙ୍କ ପରେ ଦାଦାସାହେବ ଫାଲକେ ପୁରସ୍କାର ପାଇବାରେ ଅନନ୍ତ ନାଗ ହେଉଛନ୍ତି ଦ୍ୱିତୀୟ କନ୍ନଡ଼ ସିନେ କଳାକାର। ଏହି ଗୌରବପୂର୍ଣ୍ଣ ସଫଳତା ପାଇଁ ସାରା ଦେଶର ଚଳଚ୍ଚିତ୍ର ଜଗତ, ରାଜନୈତିକ ନେତା ଏବଂ ପ୍ରଶଂସକଙ୍କ ତରଫରୁ ତାଙ୍କୁ ଶୁଭେଚ୍ଛାର ସ୍ରୋତ ଛୁଟୁଛି। Post navigation IMD Issues Low Pressure Warning for Odisha: ସେପ୍ଟେମ୍ବର ୧୯ରେ ଲଘୁଚାପ ସୃଷ୍ଟି ସମ୍ଭାବନା; ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି Congress target BJP Govt Over UPI Taxes: ୟୁପିଆଇ କାରବାର ଉପରେ ଟିକସ ନିଷ୍ପତ୍ତିକୁ କଂଗ୍ରେସର ଦୃଢ଼ ବିରୋଧ; ଲୋକଙ୍କଠୁ ଶୋଷିବା ବିଜେପିର କାମ: ଭକ୍ତ ଦାସ